କୋରାପୁଟ: ଜିଲ୍ଲାର କୋଟିଆ ଜଙ୍ଗଲ । ଯେଉଁଠାରେ ଭରି ରହିଛି ଶିଆଳି ପତ୍ର ଓ ଫୁଲଝାଡୁର ଗଛ । ଆଉ ଏହି ପତ୍ର ଓ ଝାଡୁକୁ ଅତି କମ ଦାମରେ ବ୍ୟବସାୟୀଙ୍କ ହାତରେ ବିକ୍ରି କରୁଥିଲେ ଉକ୍ତ ଗ୍ରାମର ଆଦିବାସୀ ମହିଳା । ମହିଳାଙ୍କ ଏହି ଅସହାୟତାକୁ ଅନୁଭବ କରି ତାଙ୍କୁ ସହଯୋଗର ହାତ ବଢାଇଥିଲେ ଓରମାସ ଏବଂ ଷ୍ଟେଟ ବ୍ୟାଙ୍କର ଆରଏସଇଟିଆଇ ବିଭାଗ ।
କୋଟିଆ ଅଞ୍ଚଳର ଆଦିବାସୀ ମହିଳାଙ୍କୁ ଉତ୍ପାଦକ ଦଳ ଭାବେ ପ୍ରଥମେ ସେମାନଙ୍କୁ ଏକାଠି କରାଯାଇଥିଲା । ଶିଆଳି ପତ୍ରରେ ଗ୍ରାହକଙ୍କ ଉପଯୋଗୀ ଖଲିପତ୍ର ପ୍ରସ୍ତୁତ କରିବା ସହ ଝାଡୁକୁ ପ୍ଲାଷ୍ଟିକ ଦୌଡିରେ ବାନ୍ଧି ତାର ମାନ ବୃଦ୍ଧି କରିବାର ତାଲିମ ଦିଆଯାଇଥିଲା । ଏଥିସହ ମେସିନ ଯୋଗେ ଖଲି ସିଲେଇବାର ତାଲିମ ମଧ୍ୟ ଦିଆଗଲା । ବର୍ତ୍ତମାନ ଏହି ତାଲିମ ପ୍ରାପ୍ତ ୩୫ ଜଣ ମହିଳାଙ୍କ ମନରେ ଏକ ଉନ୍ନତ ଆର୍ଥିକ ସ୍ବାଧୀନତା ପାଇବାର ସ୍ବପ୍ନ ସଂଚାରିତ ହୋଇଛି ।
ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ସୀମାବର୍ତ୍ତୀ ଅଞ୍ଚଳରେ ଥିବା କୋଟିଆର ୨୧ଟି ଗ୍ରାମ ମଧ୍ୟରେ ଅଦାଲତର ସଂଘର୍ଷ ସହ ବିକାଶର ଧାରା ପହଞ୍ଚାଇବାକୁ ଲାଗି ରହିଛି ପ୍ରତିଯୋଗିତା । ଭୋଟ ପରିଚୟ ପତ୍ରଠାରୁ ଆରମ୍ଭ କରି ଜଳ, ବିଦ୍ୟୁତ, ରାସ୍ତା, ଅଙ୍ଗନବାଡି ସେବା ଓ ପିଲାଙ୍କ ପାଇଁ ଶିକ୍ଷା ଯୋଗାଇ ଦେବା ପାଇଁ ଉଭୟ ରାଜ୍ୟ ସର୍ବଦା ତତ୍ପରତା ଦେଖାଇ ଆସିଛନ୍ତି । ଏହି କ୍ରମରେ କୋରାପୁଟ ଜିଲ୍ଲା ପ୍ରଶାସନ ଦ୍ୱାରା କୋଟିଆ ଅଞ୍ଚଳବାସୀଙ୍କ ପାଇଁ କୋଟିଆ ଠାରେ ଏକ ସାପ୍ତାହିକ ହାଟର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ହେଲେ ଏହି ହାଟରେ କୋଟିଆର ଲୋକେ ନିଜ ତରଫରୁ ବିକ୍ରି କରିବା ପାଇଁ କିଛି ଉତ୍ପାଦ ନଥିବାରୁ ସେମାନେ କେବଳ ଗ୍ରାହକ ହେବା ହିଁ ସାର ହୋଇଥିଲା । ଆଉ ଏବେ ତାଲିମ ପାଇବା ପରେ ଖଲି ଓ ଝାଡୁକୁ ନେଇ ଏହି ହାଟ ସହ କୁନ୍ଦୁଲି ହାଟ ଏବଂ ଓରମାସ ଦ୍ୱାରା ସମ୍ପର୍କ ସ୍ଥାପନା କରାଯାଇଥିବା ବାହାରର ବ୍ୟବସାୟୀଙ୍କୁ ଉଚିତ୍ ମୂଲ୍ୟରେ ବିକ୍ରି କରିବା ପାଇଁ ମହିଳା ଗ୍ରୁପ ଉତ୍ସାହିତ ହୋଇଉଠିଛନ୍ତି ।
ଅନ୍ୟପଟେ ତାଲିମପ୍ରାପ୍ତ ମହିଳାଙ୍କୁ ବ୍ୟାଙ୍କ ତରଫରୁ ସହଜ କିସ୍ତିରେ ଋଣ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଗ୍ରୁପକୁ 10ଟି ସିଲେଇ ମେସିନ ବିନା ମୂଲ୍ୟରେ ଦିଆଯିବାର ଯୋଜନା ରହିଛି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ