ନୂଆଦିଲ୍ଲୀ: ସାରା ଦେଶ ଆଜି ବିଡି ସାବରକରଙ୍କ 133ତମ ଜନ୍ମ ଜୟନ୍ତୀ ପାଳନ କରୁଛି । ଏହି ଅବସରରେ ତାଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବାକୁ ଦାବି କରିଛି ଅଖିଳ ଭାରତ ହିନ୍ଦୁ ମହାସଭା । ଏଥି ସହିତ ଭାରତୀୟ ମୁଦ୍ରାରୁ ମହାତ୍ମା ଗାନ୍ଧୀଙ୍କ ଫଟୋକୁ ହଟାଇ ବୀର ସାବରକରଙ୍କ ଫଟୋ ଲଗାଇବାକୁ ଦାବି ହୋଇଛି ।
ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଣ୍ଡିତ ଅଶୋକ ଶର୍ମା ଏବଂ ରାଜ୍ୟ ମୁଖପାତ୍ର ଅଭିଷେକ ଅଗ୍ରୱାଲ ମିଳିତ ଭାବେ ଭାରତ ସରକାରଙ୍କୁ ଏହି ଦାବି କରିଛନ୍ତି । ତାଙ୍କୁ ଭାରତ ରତ୍ନ ଦେଇ ପ୍ରକୃତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉ । ମହାସଭାର ନେତାଙ୍କ କହିବାନୁଯାୟୀ, ବୀର ସାବରକରଙ୍କ ରାଷ୍ଟ୍ରପ୍ରତି ଥିବା ନିଃସ୍ବାର୍ଥପର ସେବାକୁ ଏଡାଇ ଦିଆଯାଇ ପାରିବ ନାହିଁ ।
ଏହା ପୂର୍ବରୁ ସାବରକରଙ୍କ ଜୟନ୍ତୀ ଅବସରରେ ପିଏମ ମୋଦି ତାଙ୍କୁ ଟ୍ବିଟ୍ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ ଟ୍ଵିଟରେ ଲେଖିଥିଲେ ଯେ, 'ବୀର ସାବରକରଙ୍କ ଜନ୍ମ ଜୟନ୍ତୀରେ ତାଙ୍କୁ ଶତଶତ ନମନ । ଏକ ମଜବୁତ ଭାରତ ପାଇଁ ସାହାସ, ଦେଶଭକ୍ତି ଓ ଅସୀମ ପ୍ରତିବଦ୍ଧତାର ପ୍ରତୀକ ଅଟନ୍ତି । ସେ ବହୁତ ଲୋକଙ୍କୁ ରାଷ୍ଟ୍ର ନିର୍ମାଣ ପାଇଁ ପ୍ରେରିତ କରିଥିଲେ ।'