କେନ୍ଦ୍ରାପଡା: ଚାଲିଯାଇଛି ବାତ୍ୟା 'ଫନି' । ହେଲେ ଛାଡିଯାଇଛି ତାଣ୍ଡବର କରୁଣ ଚିତ୍ର । ଦୋହଲାଇ ଦେଇଛି ଉପକୂଳର ଚିତ୍ର , ଭାଙ୍ଗି ଯାଇଛି ମେରୁଦଣ୍ଡ , ଉଜୁଡି ଯାଇଛି ଭବିଷ୍ୟତ, ବୁ଼ଡିଯାଇଛି ବେଉଷା । 'ଫନି' ଗଲା ପରେ ଏମିତି ସାଂଘାତିକ ଚିତ୍ର ଏବେ ଦୋହଲାଇ ଦେଇଛି ରାଜ୍ୟକୁ ।
ପୁରୀ, ଖୋର୍ଦ୍ଧା ପରେ କେନ୍ଦ୍ରାପଡାରେ ମଧ୍ୟ 'ଫନି' ରଚିଛି ତାଣ୍ଡବ । ଜିଲ୍ଲାରେ ବ୍ୟାପକ କ୍ଷତି ହୋଇଥିବା ବେଳେ ଲୋକେ ଏବେ ଭଗବାନଙ୍କ ଭରଷାରେ କାଳାତିପାତ କରୁଛନ୍ତି । 'ଫନି'ର ତାଣ୍ଡବରେ କେବଳ ଉପକୂଳ ରାଜନଗର ବ୍ଲକ ନୁହେଁ, ଏହାର ପ୍ରଭାବ ପଡିଛି ଜିଲ୍ଲାର ସମସ୍ତ ବ୍ଲକ ଓ ମ୍ୟୁନିସିପାଲଟି ଅଞ୍ଚଳରେ। ଜିଲ୍ଳାର ଡେରାବିଶ୍ ବ୍ଲକ ଅଞ୍ଚଳରେ 'ଫନି' ବ୍ୟାପକ କ୍ଷୟକ୍ଷତି କରିଛି । ଏହି ବ୍ଲକ ଅନ୍ତର୍ଗତ ବେଣୀପୁର ପଞ୍ଚାୟତର ରାଇତୁଣ୍ଡି ଗାଁର ଚିତ୍ରସେନ ଦଳାଇଙ୍କ ଏକମାତ୍ର ରୋଜଗାରର ଉତ୍ସ ତେଜରାତି ଓ ପାନ ଦୋକାନ ଚାଲୁଥିବା କ୍ୟାବିନ ଟିକୁ 'ଫନି' ଉଡାଇ ନେଇଛି।
ଚିତ୍ରସେନ କିଛିବର୍ଷ ପୂର୍ବରୁ ଅସୁସ୍ଥ ହୋଇ ଅପରେସନ ହୋଇଥିବାରୁ ଚାଷ କାର୍ଯ୍ୟ ତାଙ୍କ ଦ୍ୱାରା ସମ୍ଭବ ହୋଇନଥିଲା । ତେଣୁ ଏହି ଦୋକାନଟିକୁ ରୋଜଗାରର ଏକମାତ୍ର ଉତ୍ସ ଭାବରେ ବାଛି ପାଞ୍ଚ ପ୍ରାଣୀ କୁଟୁମ୍ବ ଚଳିଯାଉଥିଲେ। କିନ୍ତୁ ପ୍ରଳୟଙ୍କାରୀ 'ଫନି' ଧୋଇ ନେଲା ଚିତ୍ରସେନଙ୍କ ରୋଜଗାରର ଏକମାତ୍ର ଉତ୍ସକୁ। ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି ଚିତ୍ରସେନ।
ସେହିପରି ମଙ୍ଗଳପୁର ପଞ୍ଚାୟତର ଦଳିତ ସାହି 'ଫନି' ଫଣାରେ ଧ୍ବଂସ ହୋଇଯାଇଥିବା ବେଳେ ଗାଁର ଟୁକୁନା ମଲ୍ଲିକଙ୍କ ଘର ହୋଇଛି ଅଧିକ ପ୍ରଭାବିତ। ମୁଣ୍ଡ ଗୁଞ୍ଜିବା ପାଇଁ ଛାତ ଖଣ୍ଡିଏ ନଥିବାରୁ ଚାଳଛପର ଘରେ ମୁଣ୍ଡ ଗୁଞ୍ଜିଥିଲେ ଟୁକୁନାଙ୍କ ସମେତ ତାଙ୍କ ଆଠ ପ୍ରାଣୀ କୁଟୁମ୍ବ । କିନ୍ତୁ 'ଫନି' ଉଡାଇ ନେଇଛି ଘରର ଛପର ଓ ଭାଙ୍ଗିଦେଇଛି କାନ୍ଥ । ଏବେ ଏହି ପରିବାର ବେସାହାରା ହୋଇଯାଇଛନ୍ତି । ଗତ ଲଗାଣ ବର୍ଷାରେ ଏହି ପରିବାରର ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ଏମାନଙ୍କୁ ସରକାରୀ ସାହାଯ୍ୟ ମିଳିବା ତ ଦୂରର କଥା କେହି ସରକାରୀ ବାବୁ କେବେ ଆହା ପଦେ କହିନାହାଁନ୍ତି । ସରକାରଙ୍କ ରିଲିଫ ସାମଗ୍ରୀ ଏମାନଙ୍କ ପାଖରେ ଏପର୍ଯ୍ୟନ୍ତ ପହଞ୍ଚି ନଥିବା ବେଳେ ଭୋକ ମେଣ୍ଟାଇବା ପାଇଁ 'ଫନି' ଝଡରେ ଝଡିପଡିଥିବା ଆମ୍ବହିଁ ପାଲଟିଛି ଏମାନଙ୍କର ଏକମାତ୍ର ଆହାର ।
ପ୍ରକୃତିର ତାଣ୍ଡବ 'ଫନି' ଏମାନଙ୍କର ସବୁକିଛି ଶେଷ କରିଦେଇଥିବା ବେଳେ ଶେଷ କରିପାରିନି ମନୋବଳ କି ଶେଷ କରି ପାରିନି ଧୈର୍ଯ୍ୟ । ଯଦି ଠିକ୍ ସମୟରେ ଏମାନଙ୍କୁ ଉଚିତ ସରକାରୀ ସହାୟତା ଯୋଗାଇ ଦିଆଯିବ ଏମାନେ ପୁଣି ଥରେ ଅଣ୍ଚା ସଳଖି ଛିଡା ହୋଇପାରିବେ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ