ବ୍ରହ୍ମପୁର: ବାହାଘର ପାଇଁ ବର ବେଶରେ ସଜେଇ ହେଉଥିଲା ଯୁବକ । ହେଲେ ପୂର୍ବରୁ ପ୍ରଶାସନ ପକ୍ଷରୁ କରାଯାଇଥିବା କୋଭିଡ ପରୀକ୍ଷା ରିପୋର୍ଟ ପଜିଟିଭ ଚିହ୍ନଟ ପରେ ପ୍ରଶାସନ ବାହାଘର ବନ୍ଦ କରି ବରକୁ ସଂଗରୋଧରେ ରହିବାକୁ କୁହାଯାଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସାନଖେମୁଣ୍ଡି ବ୍ଲକ ଟି . ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଦସେଇପୁର ଗ୍ରାମରେ । ବରକୁ କୋଭିଡ୍ ପଜିଟିଭ ରହିଥିବା ବେଳେ ପରିବାର ଲୋକେ ବାହାଘର ପାଇଁ ସଜାଗ ହେଉଥିବା ବେଳେ ଖବର ପାଇ ବ୍ଳକ ପ୍ରଶାସନିକ ଅଧିକାରୀ ମାନେ ଗ୍ରାମରେ ପହଞ୍ଚି ବାହାଘର ବନ୍ଦ କରିଥିବା ସୂଚନା ମିଳିଛି ।
ସୂଚନାନୁଯାୟୀ, ବର ଜଣଙ୍କ ନିଜ ବାହାଘର ପାଇଁ ଗତ ୧୭ ତାରିଖରେ କୋଭିଡ୍ ଟେଷ୍ଟ କରାଇଥିବା ବେଳେ ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଏହା ସତ୍ତ୍ବେ ପରିବାର ଲୋକେ ଘଟଣା ସମ୍ପର୍କରେ କନ୍ୟା ଘର କିମ୍ବା ଗ୍ରାମବାସୀଙ୍କୁ ନଜଣାଇ ବାହାଘର ପାଇଁ ପ୍ରସ୍ତୁତି ଚଳାଇଥିଲେ । ତେବେ ଏହି ଖବର ପାଇବା ପରେ ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ ଏବଂ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ମିଳିତ ଭାବେ ଘଟଣାସ୍ଥଳରେ ପହଞ୍ଚି ବାହାଘରକୁ ସ୍ଥଗିତ କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଶାସନ ପକ୍ଷରୁ ଉଭୟ ପରିବାରର ସଦସ୍ୟ ମାନଙ୍କୁ ବୁଝାସୁଝା କରିବା ସହ ବର ଜଣଙ୍କ ସମ୍ପୂର୍ଣ୍ଣ ସୁସ୍ଥ ହେବାର ୩୦ ଦିନ ପରେ ସମ୍ପୂର୍ଣ୍ଣ ପରିବାର କୋଭିଡ ପରୀକ୍ଷା କରାଇ ବାହାଘର କରାଇବା ପାଇଁ ସଚେତନ କରାଇଛନ୍ତି ।
ଏହାପରେ କନ୍ୟାକୁ ନିଜ ଘରକୁ ପଠାଇ ଦିଆଯାଇଥିବା ବେଳେ ବରକୁ ସଂଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛି ପ୍ରଶାସନ । ବର୍ତ୍ତମାନ ସମଗ୍ର ଦେଶ ତଥା ରାଜ୍ୟ କୋରୋନା ରୂପକ ଅଦୃଶ୍ୟ ମହାମାରୀକୁ ନେଇ ଆତଙ୍କିତ ଅବସ୍ଥାରେ ଗତି କରୁଛି । ଏଭଳି ସ୍ଥିତିରେ ବହୁ ଲୋକ ସଂକ୍ରମିତ ହୋଇ ନିୟମିତ ଭାବରେ ମୃତ୍ୟୁ ମୁଖରେ ପଡୁଛନ୍ତି । ସେପଟେ ଜିଲ୍ଲାରେ ଦୈନିକ କୋଭିଡ ସଂକ୍ରମିତ ସଂଖ୍ୟା ଦୁଇ ଶହ ତଳକୁ ଖସୁ ନଥିବା ନେଇ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଥିବା ବେଳେ ଏହାର ପ୍ରଭାବ ସହରାଞ୍ଚଳ ଠାରୁ ଆରମ୍ଭ କରି ଏବେ ଗ୍ରାମାଞ୍ଚଳରେ ମଧ୍ୟ ଲୋକେ କୋରୋନାରେ ସଂକ୍ରମିତ ହେଉଥିବା ଜଣାପଡିଛି । ସେପଟେ ଏ ସମସ୍ତ ବିଷୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକଡାଉନ ଓ ସଟଡାଉନ କଟକଣା ଜାରି କରିଛନ୍ତି । ଅନ୍ୟପଟେ ଗଞ୍ଜାମ ଜିଲ୍ଲା ପ୍ରଶାସନ ବାହାଘର ପାଇଁ ଅନୁମତି ପାଇଁ ବାହାଘର ପୂର୍ବରୁ ପରିବାର ସଦସ୍ୟଙ୍କ କୋଭିଡ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ