ଗଜପତି: ଓଡିଶାବାସୀଙ୍କୁ 'ଫନି' ଦେଖାଇଛି ତାଣ୍ଡବ ରୂପ । ବତ୍ୟା ଫନି ଯିବାର 7 ଦିନ ବିତିଯାଇଥିଲେ ସୁଦ୍ଧା ଏବେ ବି ରାଜ୍ୟରେ ସ୍ଥିତି ସ୍ବାଭାବିକ ହୋଇନାହିଁ । ଏହା ମଧ୍ୟରେ ବାତ୍ୟା ବିପନ୍ନଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି ଗଜପତି ଜିଲ୍ଲା ପୋଲିସ ।
ଚାଉଳ, ଚୁଡା, ଗୁଡ, ବିସ୍କୁଟ, ପାଣି ଏବଂ ଡାଲି ଭଳି ଅନେକ ଆବଶ୍ୟକୀୟ ସାମଗ୍ରୀ ଆଦାୟ କରି ଏକ ସ୍ବତନ୍ତ୍ର ଗାଡିରେ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ପଠାଯାଇଛି । ଆବଶ୍ୟକ ଅନୁସାରେ ସେମାନେ ଏହାକୁ ବଣ୍ଟନ କରିବେ ବୋଲି ଗଜପତି ଏସପି ସାରା ଶର୍ମା କହିଛନ୍ତି । ଏଥିସହିତ 13 ଲକ୍ଷ 58 ହଜାର 876 ଟଙ୍କା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଥିବା ସେ କହିଛନ୍ତି ।
ଗତ 3 ଦିନ ହେବ ଜିଲ୍ଲାରେ ପୋଲିସ ରିଲିଫ ପାଣ୍ଠି ସଂଗ୍ରହ ଆରମ୍ଭ କରିଥିବା ବେଳେ ଏହାକୁ ସଫଳ କରିବା ପାଇଁ ସମସ୍ତ ଥାନାର ଅଧିକାରୀ ଏବଂ କର୍ମଚାରୀମାନେ ଦିନ ରାତି ଏକ କରି କାମ କରିଛନ୍ତି । ଆଉ ପୋଲିସର ଏଭଳି କାମରେ ଜିଲ୍ଲାବାସୀ ମଧ୍ୟ ସହାୟତା ପ୍ରଦାନ କରିଥବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏସପି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ