ଭୁବନେଶ୍ବର: ସରିଯାଇଛି ସାଧାରଣ ନିର୍ବାଚନ । ଗଠନ ହୋଇସାରିଛି ସରକାର । ହେଲେ ଗତ ନିର୍ବାଚନରେ ସର୍ବଭାରତୀୟ ସ୍ତରରେ କଂଗ୍ରେସ ଯେଉଁ ଭଳି ଭାବେ ପରାଜୟ ସାମ୍ନା କରିଛି ତାହାର କାରଣ ଖୋଜୁଛି ଦଳ । ଦଳର ବିପର୍ଯ୍ୟୟର କାରଣ ଖୋଜିବା ପାଇଁ ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ନେତୃତ୍ବରେ ଏକ 21ଜଣିଆ କମିଟି ଗଠିତ ହୋଇଛି ।
କମିଟି ଶନିବାର ତାର ପ୍ରଥମ ବୈଠକ ବସିଥିଲା । କମିଟିର ନିଷ୍ପତ୍ତି ଅନୁସାରେ ସବ୍ କମିଟି ଗଠନ କରାଯାଇଛି । ପ୍ରତ୍ୟେକ ସବ୍ କମିଟି 5ଟି ଲେଖାଏଁ ଜିଲ୍ଲାକୁ ଗସ୍ତ କରିବେ । ସେଠାକୁ ଯାଇ ଦଳୀୟ ପ୍ରାର୍ଥୀ ହୋଇଥିବା ସମସ୍ତ ନେତାଙ୍କ ସହ ଆଲୋଚନା କରିବେ ଏବଂ ସେଠାକାର ବୁଦ୍ଧିଜୀବୀଙ୍କ ମତାମତ ନେବେ । କଂଗ୍ରେସର ପରାଜୟ କାହିଁକି ହେଲା ଦଳ କିପରି ଭାବେ ସୁଦୃଢ ହୋଇପାରିବ ସେନେଇ ଲୋକଙ୍କ ଠାରୁ ମତ ଲୋଡିବେ ।
ଏହାପରେ କମିଟି ରିପୋର୍ଟ ଦେବେ । ଯଦି ଆବଶ୍ୟକ ହୁଏ ଦଳର ଶୀର୍ଷସ୍ତରୀୟ ନେତା ମଧ୍ୟ ଜିଲ୍ଲାୱାରୀ ଗସ୍ତରେ ଯିବେ । ପରେ ଏଆଇସିସିକୁ କମିଟିର ମତ ସୁପାରିସ କରାଯିବ ।
ଏନେଇ ଶନିବାର ଦଳୀୟ କାର୍ଯ୍ୟାଳୟରେ ବୈଠକ ବସିଥିଲା । ବୈଠକରେ ନରସିଂହ ମିଶ୍ରଙ୍କ ସମେତ ବିଧାୟକ ମହମ୍ମଦ ମୁକିମ, ସତ୍ୟପ୍ରକାଶ ନାୟକ ଓ ସୁର ରାଉତ ରାୟ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ବିକାଶ ଦାଶ, ଇଟିଭି ଭାରତ