ଚେନ୍ନାଇ: ବିନା ଟିକେଟରେ ରେଳଯାତ୍ରା କରି ଧରାପଡିବା କିମ୍ବା ଫାଇନ ଗଣିବାକୁ ବାଧ୍ୟ ହେବା ପରି ଘଟଣା ଆପଣ ବାରମ୍ବାର ଶୁଣିଥିବେ । ହେଲେ ବିନା ଟିକେଟରେ ଯାତ୍ରା କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡିଛି । ଦୀର୍ଘ 24 ଘଣ୍ଟା କାଳ ଟ୍ରେନର ଟଏଲଟରେ ନିଜକୁ ବନ୍ଦ କରି ରଖିବାକୁ ପଡିଛି ଯୁବକଙ୍କୁ । ସ୍ଥିତି ଏପରି ହେଲା ଯେ ଉକ୍ତ ବଗିରେ ଯାତ୍ରା କରୁଥିବା ଯାତ୍ରୀ ପୋଲିସ ଡାକିବାକୁ ବାଧ୍ୟ ହେଲେ । ରେଳ ସୁରକ୍ଷା ବଳର ଅଧିକାରୀ ପହଞ୍ଚି ଯୁବକଙ୍କୁ ଉଦ୍ଧାର କଲେ । ଏପରି ଏକ ଘଟଣା ତାମଲନାଡୁର ରାନିପେଟର ଆରାକୋନାମ୍ ଦେଖିବାକୁ ମିଳିଛି ।
ପୋଲିସ ସୂଚନା ଅନୁସାରେ, ଝାଡଖଣ୍ଡର ଟାଟା ନଗରରୁ କେରଳର ଏର୍ଣ୍ଣାକୁଲମ୍ ଅଭିମୁଖେ ଯାଉଥିବା ଏର୍ଣ୍ଣାକୁଲମ୍-ଏକ୍ସପ୍ରେସ (18189) ରେ ଏହି ଘଟଣା ଘଟିଛି । ଟାଟାନଗରରୁ ସକାଳ 5:30 ରେ ଟ୍ରେନଟି କେରଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଏହା ପରେ S-2 କୋଚରେ ଥିବା ଟଏଲଟଟି ଦୀର୍ଘ ସମୟ ଧରି ବନ୍ଦ ରହିଥିଲା । କେହି ଭିତରେ ଥାଇପାରନ୍ତି ବୋଲି ଅନୁମାନ କରିଥିଲେ ବଗିରେ ଥିବା ଯାତ୍ରୀ । ମାତ୍ର ଦୀର୍ଘ ଘଣ୍ଟା ଧରି ଏହି ଟଏଲଟ ନଖୋଲିବାରୁ ଯାତ୍ରୀମାନେ ଏହାକୁ ଖୋଲିବାକୁ ପ୍ରୟାସ କରିଥିଲେ । ହେଲେ ଭିତରେ କେହି ଜଣେ ବନ୍ଦ କରି ରଖିଥିବା ଜଣାପଡିବା ପରେ ଟିଟିଇ ଓ ରେଳ ସୁରକ୍ଷା ବଳକୁ ଯାତ୍ରୀମାନେ ସୂଚନା ଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ :-UP: ମଝିରୁ ଅଲଗା ହୋଇଗଲା ମାଲବାହୀ ଟ୍ରେନ, ବିନା ଇଞ୍ଜିନରେ ଗଡିଗଲା 5 ବଗି
ଟ୍ରେନଟି ରାନିପେଟ ଜିଲ୍ଲାର ଆରାକୋନମ ଷ୍ଟେସନ ନିକଟରେ ଅପରାହ୍ନ 2 ଟା 6 ମିନିଟରେ ପହଞ୍ଚିବା ପରେ S-2 କୋଚରେ ପହଞ୍ଚିଥିଲେ ରେଳ ସୁରକ୍ଷା ବଳର ଅଧିକାରୀ । ଟଏଲଟ ଭିତରୁ ବନ୍ଦ କରି ଲୁଚି ରହିଥିବା ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ଏହି ଯୁବକଙ୍କର ନାମ ସୋକନ ଦାସ ଓ ଘର ଉତ୍ତର ଭାରତରେ ବୋଲି ପ୍ରାଥମିକ ତଦନ୍ତରେ ପୋଲିସ ଜାଣିବାକୁ ପାଇଛି । ତେବେ ଏହି ଯୁବକଜଣଙ୍କ ଯାତ୍ରା କରିବା ପାଇଁ ଟିକେଟ କରିନଥିଲେ । ତେଣୁ ଫାଇନ ଦେବା କିମ୍ବା କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ଟଏଲଟରେ ପଶିଯାଇଥିଲେ । ସେଠାରେ ଦୀର୍ଘ 24 ଘଣ୍ଟା ଧରି ନିଜକୁ ବନ୍ଦ କରି ରଖିଥିଲେ । ଅନ୍ୟପଟେ ଏହି ଯୁବକଜଣଙ୍କ ଜଣେ ମାନସିକ ଅସୁସ୍ଥ ବୋଲି ମଧ୍ୟ ପୋଲିସ ଜାଣିବାକୁ ପାଇଛି । ତାକୁ ହେପାଜତକୁ ନେଇ ଜିଆରପି ଜେରା କରୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ