ନୂଆଦିଲ୍ଲୀ: ଦୁଇ ବର୍ଷ ଧରି କୋରୋନା ମହାମାରୀ ସହ ସଂଘର୍ଷ କରି ଆସୁଛି ସାରା ଦେଶ । ଏହାରି ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଦେଶରେ ବେଡ଼ି ଉପରେ କୋରୋଡ଼ା ମାଡ଼ ସଦୃଶ ହୋଇଥିଲା । ସେ ବାତ୍ୟା ହେଉ କି ଭୂମିକମ୍ପ, ଆଖି ପିଛୁଳାକେ ଆସି ଚୁଲି-ଚାଳକୁ ମାଟିରେ ମିଶାଇ ଦେଇଗଲା । ମହାମାରୀରୁ ଅଣ୍ଟା ସଳଖୁ ଥିବା ଦେଶବାସୀଙ୍କ ଜୀବନଯାତ୍ରାକୁ ଛିନଛତ୍ର କରି ଦେଇ ଚାଲିଯାଇଥିଲେ ଏହି ସବୁ ପ୍ରାକୃତିକ ବିପର୍ଯ୍ୟୟ । ନୂଆ ବର୍ଷରେ ପାଦ ଦେବା ପୂର୍ବରୁ ଥରେ ବିତି ଯାଇଥିବା ପ୍ରକୃତି ଦେଇଯାଇଥିବା ଯନ୍ତ୍ରଣା ଉପରେ ଟିକିଏ ନଜର ପକାନ୍ତୁ।
ଗ୍ଲାସିୟର ଭାଙ୍ଗି 200 ନିଖୋଜ
ଉତ୍ତରାଖଣ୍ଡ ଚାମୋଲି ଜିଲ୍ଲାରେ ଏକ ଦୁର୍ବଳ ଗ୍ଲାସିୟର ଭାଙ୍ଗିବା ପରେ ପ୍ରବଳ ତୁଷାରପାତ ଆରମ୍ଭ ହୋଇଯାଇଥିଲା । ଏହି ଗ୍ଲାସିୟର ତରଳି ହରପ୍ପା ବନ ଜମିରେ ବହିଯାଇଥିଲା । ଜମିରେ କାର୍ଯ୍ୟ କରୁଥିବା 200 ଲୋକଙ୍କୁ ଏହି ଗ୍ଲାସିୟର ନିଜ ସାଥିରେ ଭସେଇ ନେଇ ଯାଇଥିଲା । ନିଖୋଜ ଶ୍ରମିକଙ୍କ ମଧ୍ୟରୁ କେବଳ 60 ଜଣଙ୍କ ମୃତଦେହ ଉଦ୍ଧାର ହୋଇ ପାରିଥିଲା । ବାକି ଲୋକଙ୍କ ଆଜି ପର୍ଯ୍ୟନ୍ତ କୌଣସି ପତ୍ତା ମିଳି ପାରିଲା ନାହିଁ। ବନ୍ୟା ଯୋଗୁଁ ଋଷି ଗଙ୍ଗା ନଦୀରେ ଥିବା ବିଦ୍ୟୁତ ପ୍ରକଳ୍ପ ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହୋଇଥିଲା । ହରପ୍ପା ଅଞ୍ଚଳରେ ବନ୍ୟା ଯୋଗୁଁ ଲୋକ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଉତ୍ତରାଖଣ୍ଡ ଉପରେ ପ୍ରକୃତିର ତାଣ୍ଡବ ଏତିକିରେ ଶେଷ ହୋଇନଥିଲା।
ଅକ୍ଟୋବରରେ ଉତ୍ତରାଖଣ୍ଡରେ ପୁଣି ଜୀବନ ଗଲା
ପ୍ରବଳ ବର୍ଷା ଯୋଗୁଁ ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ଭୁସ୍ଖଳନ ହେଲା । ଫଳରେ ପର୍ବତ ଆରୋହୀଙ୍କ ସମେତ ମୋଟ 54 ଜଣଙ୍କ ଜୀବନ ଯାଇଥିଲା। ମୋଟାମୋଟି ଭାବରେ କହିଲେ ଉତ୍ତରାଖଣ୍ଡ ପାଇଁ ଏହି ବର୍ଷ ମୃତ୍ୟୁ ତାଣ୍ଡବର ବର୍ଷ ଥିଲା।
ବୁଡ଼ିଲା ପଶ୍ଚିମ ମହାରାଷ୍ଟ୍ର
ମହାରାଷ୍ଟ୍ରରେ ଜୁଲାଇ 22 ତାରିଖରେ ଲଗାତାର ପ୍ରବଳ ବର୍ଷା ଲାଗି ରହିଲା। ଫଳରେ ପାହାଡ଼ିଆ ଅଞ୍ଚଳର ବିଭିନ୍ନ ସ୍ଥାନରେ ଭୁସ୍ଖଳନ ଦେଖା ଦେଇଥିଲା । ମହାବଳେଶ୍ବରରେ ଗୋଟିଏ ଦିନରେ 60 ସେଣ୍ଟିମିଟର ବର୍ଷା ହୋଇଥିଲା। ଏଭଳି ବର୍ଷା ମହାରାଷ୍ଟ୍ରରେ 40 ବର୍ଷର ରେକର୍ଡ ଭାଙ୍ଗିଥିଲା। ପ୍ରବଳ ବର୍ଷା ଯୋଗୁଁ ପଶ୍ଚିମ ମହାରାଷ୍ଟ୍ରରେ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ଭୁସ୍ଖଳନ ଓ ବନ୍ୟାରେ ପ୍ରଭାବିତ 250 ଜଣଙ୍କ ମୃତ୍ୟୁ ହୋଇଥିଲା। ସରକାରୀ ରିପୋର୍ଟ ମୁତାବକ ଏବେବି 150 ଜଣଙ୍କ କୌଣସି ସନ୍ଧାନ ମିଳି ପାରିନାହିଁ।
ଭୟାବହ କେରଳ ବର୍ଷା
ଅକ୍ଟୋବର 12 ତାରିଖରେ କେରଳରେ ଜବରଦସ୍ତ ବର୍ଷା ଦେଖିବାକୁ ମିଳିଥିଲା। ଫଳରେ ରାଜ୍ୟର ବିଭିନ୍ନ ନଦୀ ଉଗ୍ର ରୂପ ଧାରଣ କରିଥିଲେ। ଉପକୂଳ ଅଞ୍ଚଳରେ ଥିବା ଗାଁରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ବନ୍ୟାରେ କେରଳରେ 216ଟି ଘର ଭାସିଗଲା। ଗୋଟିଏ ଘର ଭାସିଯିବାରୁ 5 ଜଣ ଛୋଟ ପିଲାଙ୍କ ମୃତ୍ୟୁ ହୋଇଥିଲା। ମୋଟ 42 ଜଣ ବନ୍ୟା ଯୋଗୁଁ ପ୍ରାଣ ହରାଇଥିଲେ।
ତାମିଲନାଡ଼ୁରେ ଅଦିନିଆ ବର୍ଷା ତାଣ୍ଡବ
ତାମିଲନାଡ଼ୁରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ । ତେବେ ଏହି ଅଦିନିଆ ବର୍ଷା ଏଭଳି ଦୁଃଖ ଦେବ କେହି କେବେ କଳ୍ପନା କରିନଥିଲେ । ଭୟଙ୍କର ବର୍ଷା ଓ ପରେ ବନ୍ୟା ଲୋକଙ୍କ ଛାତ ଭସେଇ ନେଲା । ସବୁଆଡ଼େ ଖାଲି ଶୁଭିଲା ହାହା କାର ଚିତ୍କାର । ଏହି ବନ୍ୟାରେ 536 ପକ୍କା ଘର ଭାସିଗଲା । ସଡ଼କ ଓ ପୋଲ ମଧ୍ୟ କ୍ଷତିଗ୍ରସ୍ତ ହେଲା। ବନ୍ୟା ପରେ 1100 ଲୋକ ବାସହୀନ ହୋଇଗଲେ।
ବାତ୍ୟା ଦେଖାଇଲା ଶକ୍ତି
ମହାମାରୀ ମଧ୍ୟରେ ବାତ୍ୟା ଉଗ୍ର ରୂପ ଧାରଣ କରି ପ୍ରକଟ ହୋଇଥିଲା । ତାଉତେ, ୟାସ, ଗୁଲାବ, ଶାହିନ ଓ ଜୱାଦ ରୂପରେ ଆସିଥିଲା ବାତ୍ୟା। କିନ୍ତୁ ଯିବାପରେ ସ୍ଥିତି ସମାନ ଦେଖିବାକୁ ମିଳିଥିଲା। ଖାଲି ସେତିକି ନୁହେଁ 2021 ବର୍ଷରେ ଲଘୁଚାପ ମଧ୍ୟ କିଛି କମ୍ ପ୍ରଭାବ ପକାଇ ନଥିଲା।
ପ୍ରଥମେ ତାଉତେର ପଦାର୍ପଣ
ସାମୁଦ୍ରିକ ବାତ୍ୟା ତାଉତେ ପ୍ରଭାବ ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ କେରଳରେ ଦେଖିବାକୁ ମିଳିଥିଲା। ବାତ୍ୟା ଯୋଗୁଁ ଏହି ସବୁ ରାଜ୍ୟରେ ଅଚାନକ ବନ୍ୟା ପରସ୍ଥିତି ସୃଷ୍ଟି ହୋଇଥିଲା। ଏହାର ଭୟାବହତା ଏତେ ଥିଲା ଯେ କେବଳ ଗୁଜୁରାଟରେ ପ୍ରଭାବିତଙ୍କ ପାଇଁ 1000 କୋଟି ଟଙ୍କାର ସହାୟତା ପ୍ୟାକେଜ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ। ସେହିଭଳି ମହାରାଷ୍ଟ୍ର ପାଇଁ 252 କୋଟି ଟଙ୍କା ରିଲିଫ ଫଣ୍ଡ ଯୋଗାଇ ଦିଆଯାଇଥିଲା। ଏହି କ୍ରମରେ ପ୍ରତ୍ୟେକ ମୃତକଙ୍କ ପରିବାର ବର୍ଗଙ୍କୁ 4 ଲକ୍ଷ ଟଙ୍କା ସହାୟତା ରାଶି ଦିଆଯାଇଥିଲା।
ଆସିଲା ୟସ
ଅମ୍ଫାନ ପ୍ରଭାବରେ ଅଣ୍ଟା ସଳଖିବାରେ ଲାଗିଥିଲା ପଶ୍ଚିମବଙ୍ଗ। ଏହାପରେ ପୁଣି ଏଠାରେ ଲାଣ୍ଡଫଲ୍ କରିଥିଲା ୟସ । ଫଳରେ ପୁଣି ବାତ୍ୟାର କରାଳ ରୂପ ଦେଖିଲେ ପଶ୍ଚିମବଙ୍ଗବାସୀଙ୍କ ସହ ଉତ୍ତର ଓଡ଼ିଶା ବାସିନ୍ଦା । ଏହି ବାତ୍ୟା କେବଳ ଏହି ଦୁଇଟି ରାଜ୍ୟରେ ସୀମିତ ହୋଇ ରହିନଥିଲା। ଓଡ଼ିଶା ପଶ୍ଚିମବଙ୍ଗରେ ତାଣ୍ଡବ ରଚିବା ପରେ ଏହା ବିହାର, ଝାଡ଼ଖଣ୍ଡ ଓ ଦକ୍ଷିଣ ଉତ୍ତର ପ୍ରଦେଶକୁ ଅଗ୍ରସର ହୋଇଥିଲା। ଏହାର ପ୍ରଭାବରେ ଏହି ସବୁ ରାଜ୍ୟରେ ମଧ୍ୟର ପ୍ରବଳ ବେଗରେ ପବନ ସହ ଜୋରଦାର ବର୍ଷା ହୋଇଥିଲା। ବାତ୍ୟା ୟାସ ପଶ୍ଚିମବଙ୍ଗରେ 11 ଜଣଙ୍କ ପ୍ରାଣ ନେଇଥିବା ବେଳେ 80ଟି ଘରକୁ ଛାରଖାର କରି ଦେଇ ଚାଲିଗଲା । ବାତ୍ୟା ୟସ ନେପାଳ ଓ ଭୁଟାନରେ ମଧ୍ୟ ତାହାର ଉପସ୍ଥିତି ଜାହିର କରିଥିଲା। ଏହି ବାତ୍ୟା 3 ଲକ୍ଷ ଘରକୁ କ୍ଷତି ପହଞ୍ଚାଇଥିଲା। ଏଥିପାଇଁ ପ୍ରାୟ 1 କୋଟି ଲୋକ ପ୍ରଭାବିତ ହୋଇଥିଲା। ବିଭିନ୍ନ ସ୍ଥାନରେ ଭୁସ୍ଖଳନ ଭଳି ପରିସ୍ଥିତି ଦେଖା ଦେଇଥିଲା।
ୟସ ପଛେ ପଛେ ଆସିଲା ଗୁଲାବ
ୟସ ବାତ୍ୟାର କିଛି ମାସ ପରେ ପାଣିପାଗ କେନ୍ଦ୍ର ଆଉ ଏକ ବାତ୍ୟା ଆସୁଥିବା ନେଇ ସତର୍କତା ଜାରି କଲା । ଏହାର ନାମ ଥିଲା ଗୁଲାବ । ଏଥିପାଇଁ ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାକୁ ସତର୍କ ରହିବାକୁ କୁହାଯାଇଥିଲା। ଏହି ବାତ୍ୟା ଯୋଗୁଁ ବିଶେଷ ଭାବରେ ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ। ଗୁଲାବର ପ୍ରଭାବରେ କେବଳ ସେପ୍ଟେମ୍ବର ମାସରେ 2021 ବର୍ଷର 54 ପ୍ରତିଶତ ବର୍ଷା ଦେଖିବାକୁ ମିଳିଥିଲା । ଯାହା ସ୍ବାଭାବିକ ଠାରୁ ଅଧିକ ଥିଲା। ଏହି ବାତ୍ୟାରେ 39 ଜଣଙ୍କ ମୃତ୍ୟୁ ହୋଇଥିଲା। ବାତ୍ୟାକୁ ଦୃଷ୍ଟିରେ ରଖି 46 ହଜାର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା।
ଶାନ୍ତ ହୋଇ ଫେରିଲା ଶାହିନ
ଗୁଲାବ ପ୍ରତି ଓଡ଼ିଶା ଓ ଆନ୍ଧ୍ରକୁ ସତର୍କ କରାଇବା ବେଳେ ପାଣିପାଗ କେନ୍ଦ୍ରକୁ ଆଉ ଏକ ବାତ୍ୟାର ସନ୍ଧାନ ମିଳିଥିଲା। ଏହାର ନାମ ରଖାଯାଇଥିଲା ଶାହିନ। ଗୁଜୁରାଟରେ ଏହା ଲ୍ୟାଣ୍ଡଫଲ୍ ହେବାକୁ ଥିଲା। କିନ୍ତୁ ଗୁଜୁରାଟ ଉପକୂଲରେ ପହଞ୍ଚିବା ପୂର୍ବରୁ ଏହା ଦୁର୍ବଳ ହୋଇ ଦକ୍ଷିଣ ଆଡ଼କୁ ଗତି କରିଥିଲା। ଏଥିରେ କାହାର କୌଣସି ବିଶେଷ କ୍ଷତି ହୋଇନଥିଲା।
ଖୁବ୍ ଡରାଇଲା ଜୱାଦ
ଏତେ ସବୁ ବାତ୍ୟାର ପ୍ରକୋପ ପରେ ବି ପ୍ରକୃତି ଶାନ୍ତ ହୋଇନଥିଲା। 2021 ବର୍ଷ ଡିସେମ୍ବର ମାସରେ ବାତ୍ୟା ଜୱାଦ ଆସିବା ନେଇ ପୂର୍ବାନୁମାନ କଲା ପାଣିପାଗ କେନ୍ଦ୍ର। ଖାଲି ସେତିକି ନୁହେଁ ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ପାଇଁ ବନ୍ୟା ସତର୍କତା ଜାରି କରାଯାଇଥିଲା। ଏହି ଦୁଇ ରାଜ୍ୟ ଛଡ଼ା ବାତ୍ୟା ଯୋଗୁଁ ପଶ୍ଚିମବଙ୍ଗରେ ମଧ୍ୟ ପ୍ରବଳ ବର୍ଷା ଆଶଙ୍କା କରାଯାଉଥିଲା। ବାତ୍ୟା ଭୟାବହତା ପୂର୍ବାନୁମାନକୁ ନଜରରେ ରଖି ଉଭୟ ଆନ୍ଧ୍ର ଓ ଓଡ଼ିଶା ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହା ଲଘୁଚାପରେ ପରିବର୍ତ୍ତନ ହୋଇ ଫେରିଥିଲା । ଫଳରେ ଶାନ୍ତିରେ ନିଃଶ୍ବାସ ମାରିଥିଲେ ଉଭୟ ରାଜ୍ୟ। ଏହାର ପ୍ରଭାବରେ ଓଡ଼ିଶା ଓ ଆନ୍ଧ୍ରର କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇଥିଲା । ଫଳରେ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଥିଲେ।
ବାତ୍ୟା ଓ ବର୍ଷା 2021 ବର୍ଷରେ କରାଳ ରୂପ ଧାରଣ କରିଥିଲା। ଗତ 5 ବର୍ଷରେ ତାମିଲନାଡ଼ୁରେ 1366 ମିମି ବର୍ଷା ରେକର୍ଡ ହୋଇଥିଲା । ହେଲେ 2021ରେ କେବଳ ଚେନ୍ନାଇରେ 1121.43 ବର୍ଷା ରେକର୍ଡ ହୋଇଛି । ରିପୋର୍ଟ ମୁତାବକ ବିଗତ 2ଶହ ବର୍ଷ ମଧ୍ୟରେ ଗତ ନଭେମ୍ବର ମାସରେ ଅଧିକ ବର୍ଷା ହୋଇଥିଲା।
ଭୂକମ୍ପରେ ଥରିଲା ଆସାମ
ସେଦିନ ଥିଲା ଏପ୍ରିଲ 27 ତାରିଖ । ରାତି 12ଟା ବେଳେ ରାଜ୍ୟବାସୀ ନିଦ ପୁରା କରୁଥିବା ବେଳେ ଅଚାନକ ଥରକୁ ଥର 6 ଥର ଭୂମିକମ୍ପର ଝଟକା ଲାଗିଲା। ରିକ୍ଟର ସ୍କେଲରେ 6.4 ତୀବ୍ରତାର ସହ ଏହି ଭୂମିକମ୍ପ ହୋଇଥିଲା। ଏଥିରେ 2 ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ 11 ଜଣ ଗୁରୁତର ଭାବରେ ଆହତ ହୋଇଥିଲେ।
ଏହି ଭୂମିକମ୍ପର କେନ୍ଦ୍ର ବିନ୍ଦୁ ଥିଲା ଆସାମରୁ 140 କିମି ଦୁର ଗୌହାଟି । ସ୍ଥଳଭାଗରୁ ପ୍ରାୟ 34 କିମି ତଳେ ଏହି ଭୂକମ୍ପ ସୃଷ୍ଟି ହୋଇଥିଲା। ଯାହାର କିଛିଟା ପ୍ରଭାବ କୋଲକାତା ଓ ଉତ୍ତର ପଶ୍ଚିମବଙ୍ଗରେ ବି ଦେଖିବାକୁ ମିଳିଥିଲା। ସାରା ବିଶ୍ବ ଗତ ଦୁଇ ବର୍ଷ ହେଲା କୋଭିଡ ମହାମାରୀ ସହ ସଂଘର୍ଷ କରି ଆସୁଛି । ଏହାରି ମଧ୍ୟରେ ଭାରତରେ ଗୋଟିଏ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟ ଜୀବନ ଜୀବିକାକୁ ଆହୁରି କଷ୍ଟସାଧ୍ୟ କରି ଦେଇଥିଲା। 2021ରେ ଭାରତ ସମସ୍ତ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଦେଖିଛି କହିଲେ ଭୁଲ୍ ହେବନି । ଏଥିରେ ହିମସ୍ଖଳନରୁ ଆରମ୍ଭ କରି ବର୍ଷା, ବାତ୍ୟା, ଭୁସ୍ଖଳନ ଓ ଭୂମିକମ୍ପ ସାମିଲ ରହିଛି।
ବୈଜ୍ଞାନିକଙ୍କ ମତରେ ଏହାର କାରଣ ହେଉଛି ଜଳବାୟୁ ପରିବର୍ତ୍ତନ। ଯେତେ ଗ୍ରୀନହାଉସ ଗ୍ୟାସର ପରିମାଣ ଅଧିକ ହେବ ସେତେ ପ୍ରାକୃତିକ ବିପର୍ଯ୍ୟୟ ଅଧିକ ହେବା ଆଶଙ୍କା ଏବେ ବି ଲାଗି ରହିଛି। ହେଲେ ଆଶା ଏବେ ବି ବଞ୍ଚି ରହିଛି। ସେହି ଆଶାକୁ ନେଇ ଦେଶବାସୀ 2022 ବର୍ଷରେ ପାଦ ଥାପିବାକୁ ଯାଉଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ