ହାଇଦ୍ରାବାଦ: ବିଦାୟ ନେଉଛି ଘଟଣାବହୁଳ ବର୍ଷ ୨୦୨୩ । ବିଗତ ବର୍ଷଗୁଡ଼ିକ ଭଳି ୨୦୨୩ ମଧ୍ୟ ଅନେକ କ୍ଷେତ୍ରରେ ଉପଲବ୍ଧିର ବର୍ଷ ହୋଇପାରିଛି । ୨୦୨୩ର ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇଛି ମହିଳା ସଶକ୍ତିକରଣର ସଫଳ ଅଧ୍ୟାୟ । ଯେଉଁଠି ଜଳ, ସ୍ଥଳ ଓ ଆକାଶ ପଥରେ ନିଜର ଆଧିପତ୍ୟ ବିସ୍ତାର କରିଛି ନାରୀ । ଜଣେ ନାରୀ କେବଳ ମାଆ, ଭଉଣୀ କି ବୋହୂ ଭାବେ ଘରର ଦେଖାରଖା କରିବ ତାହା ନୁହେଁ, ବରଂ ଦେଶ ଓ ସମାଜର ରକ୍ଷା ମଧ୍ୟ କରିପାରିବ । ପୁରୁଷ ପ୍ରାଧାନ୍ୟ ଦେଶରେ ଆତ୍ମ ନିର୍ଭରଶୀଳ ପାଇଁ ସଂଘର୍ଷ କରୁଥିବା ନାରୀ ଆଜି ପୁରୁଷ ସହିତ ସମକକ୍ଷ ହୋଇ ଶାରୀରିକ, ମାନସିକ ସ୍ତରରେ ମଜଭୁତ ହେବା ସହ ଦେଶ ସେବାରେ ନିଜକୁ ନିୟୋଜିତ କରିପାରିଛି । ଚଳିତ ବର୍ଷ ଭାରତୀୟ ସେନା, ନୌସେନା ଓ ବାୟୁସେନାରେ ପ୍ରତିନିଧିତ୍ବ କରି ଚମକି ଉଠିଛନ୍ତି ଭାରତୀୟ ମହିଳା । ଗାଲାଣ୍ଟ୍ରି ଆୱାର୍ଡଠୁ ଆରମ୍ଭ କରି ସୁରକ୍ଷା ବାହିନୀର କମାଣ ସମ୍ଭାଳିବା ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ଇତିହାସ ସୃଷ୍ଟି କରିଛନ୍ତି ମହିଳା ।
ବିଦାୟୀ ବର୍ଷ ୨୦୨୩ରେ ଭାରତୀୟ ମହିଳା ଇତିହାସ ସୃଷ୍ଟି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ଲିଙ୍ଗ ସମାନତା' ଦୃଷ୍ଟିଭଙ୍ଗୀକୁ ଆଉ ପାଦେ ଆଗେଇ ନେଇଛନ୍ତି । ଚଳିତ ବର୍ଷ ମହିଳାଙ୍କ ଅନ୍ତର୍ଭୂକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ମହତ ନିଷ୍ପତ୍ତି ନେଇଥିଲେ । ମାତୃତ୍ବ, ଶିଶୁ ଯତ୍ନ ଏବଂ ପୋଷ୍ୟ ଶିଶୁ ସନ୍ତାନ ସମୟରେ ସେନାରେ କାର୍ଯ୍ୟରତ ମହିଳା ସୈନ୍ୟ, ନୌସେନା ଏବଂ ବାୟୁସେନା ଅଧିକାରୀଙ୍କୁ ଛୁଟି ପ୍ରଦାନ ଲାଗି ଏକ ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲେ । ଯାହାଫଳରେ ମହିଳାମାନେ ଏହି ସମୟରେ ଛୁଟି ନେଇପାରିବେ । ଏହାବାଦ୍ ଭାରତୀୟ ନୌସେନାରେ ୧ ହଜାରରୁ ଅଧିକ ମହିଳା ଅଗ୍ନିବୀରଙ୍କୁ ନିଯୁକ୍ତି ମିଳିଥିଲା । ଏ ସମ୍ପର୍କରେ ଗତ ଡିସେମ୍ବର ୧ ତାରିଖରେ ନୌସେନା ମୁଖ୍ୟ ଆଡମିରାଲ ଆର. ହରି କୁମାର ସୂଚନା ଦେଇଥିଲେ ।
ଭାରତୀୟ ପ୍ରତିରକ୍ଷା ବାହିନୀରେ ଚଳିତ ବର୍ଷ ସାମିଲ ହୋଇଛନ୍ତି ଅନେକ ବୀରାଙ୍ଗନା । ଯେଉଁମାନେ ମହିଳା ସଶକ୍ତିକରଣର ଉଦାହରଣ ପାଲଟିଛନ୍ତି । ଏହି ବୀରାଙ୍ଗନାଙ୍କୁ ଦେଖିଲେ ଥରି ଉଠୁଛି ଶତ୍ରୁର ଛାତି । ତେବେ ଆସନ୍ତୁ ଇଣ୍ଡିଆନ ଡିଫେନ୍ସ ଫୋର୍ସରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଗ୍ରହଣ କରିଥିବା ଭାରତୀୟ ମହିଳାଙ୍କ ସମ୍ପର୍କରେ ଜାଣିବା...
୧. ସ୍କ୍ବାଡ୍ରନ ମୁଖ୍ୟ ମନୀଷା ପାଢୀ:- ଦେଶର ପ୍ରଥମ ମହିଳା ଏଡିସି(Aide-De-Camp) ଭାବେ ଦାୟିତ୍ବ ଗ୍ରହଣ କରି ସାରା ରାଜ୍ୟକୁ ଗୌରବାନ୍ବିତ କରିଥିଲେ ଓଡ଼ିଆ ଝିଅ ମନୀଷା ପାଢ଼ୀ । ମିଜୋରାମ ରାଜ୍ୟପାଳ ହରିବାବୁ କାମଭାମପତି ଏଡିସି ଭାବେ ମନୀଷାଙ୍କୁ ନଭେମ୍ବର ୩୦ରେ ନିଯୁକ୍ତି ଦେଇଥିଲେ । ୨୦୧୫ ବ୍ୟାଚର ଭାରତୀୟ ବାୟୁସେନା ଅଫିସର ହେଉଛନ୍ତି ମନୀଷା । ଏହା ପୂର୍ବରୁ ସେ ବିଦାର ଏୟାର ଫୋର୍ସ ଷ୍ଟେସନ ବିଦାର, ପୁଣେ ଓ ଭଟିଣ୍ଡା ଭଳି ୩ଟି ସ୍ଥାନରେ କାର୍ଯ୍ୟ କରିସାରିଛନ୍ତି । ମନୀଷାଙ୍କ ଘର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ । ତାଙ୍କର ବାପା ଓ ମାଆ ଭୁବନେଶ୍ବରରେ ରହୁଥିବା ବେଳେ ସେ ରାଜଧାନୀ ସ୍ଥିତ ସିଭି ରମଣ କଲେଜ ଅଫ ଇଞ୍ଜିନିୟରିଂରେ ଶିକ୍ଷାଲାଭ କରିଥିଲେ । ମନୀଷା ଦେଶର ପ୍ରଥମ ମହିଳା ଏଡିସି ଭାବେ ନିଯୁକ୍ତ ହେବା ମହିଳା ସଶକ୍ତିକରଣ ଉପରେ ଏହା ଏକ ବଡ଼ ଉପଲବ୍ଧି ନିଶ୍ଚିତ ।
୨. ଲେଫ୍ଟନାଣ୍ଟ କମାଣ୍ଡର ପ୍ରେରଣା ଦେୱସ୍ଥଲୀ:- ଭାରତୀୟ ନୌସେନା, କମାଣ୍ଡର ପ୍ରେରଣା ଦେୱସ୍ଥଲୀଙ୍କୁ ପ୍ରଥମ ମହିଳା ଅଧିକାରୀ ଭାବେ ନିଯୁକ୍ତି ଦେଇ ଇତିହାସ ସୃଷ୍ଟି କରିଥିଲା । ଫଳରେ ନୌସେନାର ଯୁଦ୍ଧପୋତକୁ ନିର୍ଦ୍ଦେଶ ଦେବାରେ ପ୍ରଥମ ମହିଳା କମାଣ୍ଡର ହୋଇପାରିଛନ୍ତି ପ୍ରେରଣା । ଏବେ ପ୍ରେରଣା କୁଶଳୀ ବିଧ୍ଵଂସକ ଯୁଦ୍ଧପୋତ ଆଇଏନଏସ ଚେନ୍ନାଇରେ ପ୍ରଥମ ଲେଫ୍ଟନାଣ୍ଟ ଭାବେ କାର୍ଯ୍ୟରତ । ନୌସେନା ଏପରି ଘୋଷଣା ପରେ ପ୍ରତିରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ମହିଳା ଅଫିସରଙ୍କ ଆତ୍ମବିଶ୍ବାସ ବୃଦ୍ଧି ପାଇଥିଲା । 'ସମସ୍ତ ଭୂମିକା-ସମସ୍ତ ରାଙ୍କ'କୁ ଦୃଷ୍ଟିରେ ରଖି ମହିଳାଙ୍କୁ ନିଯୁକ୍ତି ଦେଇଥିଲା ଭାରତୀୟ ନୌସେନା । କମାଣ୍ଡର ପ୍ରେରଣା ମୁମ୍ବାଇ ଅଧିବାସୀ ହୋଇଥିବା ବେଳେ ସେ ୨୦୦୯ ମସିହାରେ ଭାରତୀୟ ନୌସେନାରେ ନିଯୁକ୍ତି ପାଇଥିଲେ । ଏହାବାଦ୍ ସେ ଗୋଆ ଆଇଏନଏସ ତ୍ରିଙ୍କଟରେ କମାଣ୍ଡିଂ ଅଫିସର ଭାବେ ଦାୟିତ୍ବ ତୁଲାଇଥିଲେ ।
୩. ଗ୍ରୁପ କ୍ୟାପ୍ଟେନ ଶୈଳଜା ଧାମି:- ଭାରତୀୟ ବାୟୁସେନାର ପ୍ରଥମ ମହିଳା ବାୟୁସେନା ଅଧିକାରୀ ଭାବେ ନିଯୁକ୍ତି ପାଇଥିଲେ ଗ୍ରୁପ କ୍ୟାପ୍ଟେନ ଶୈଳଜା ଧାମି । ସେ ଫ୍ରଣ୍ଟଲାଇନ କମ୍ବାଟ ୟୁନିଟକୁ ପ୍ରତିନିଧିତ୍ବ କରିଥିଲେ । କ୍ୟାପ୍ଟେନ ଧାମି ୨୦୦୩ରେ ପ୍ରଥମେ ହେଲିକପ୍ଟର ପାଇଲଟ ଭାବେ ବାୟୁସେନାରେ ନିଯୁକ୍ତି ପାଇଥିଲେ । ତାଙ୍କ ନିକଟରେ ୨୮୦୦ ଘଣ୍ଟା ହେଲିକପ୍ଟର ଉଡାଣର ଅଭିଜ୍ଞତା ରହିଛି । ଏହାବାଦ୍ ସେ ପଶ୍ଚିମାଞ୍ଚଳରେ ହେଲିକପ୍ଟର ୟୁନିଟର ଫ୍ଲାଇଟ କମାଣ୍ଡର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । କ୍ୟାପ୍ଟେନ ଶୈଳଜା ପଞ୍ଜାବ ଲୁଧିଆନାର ଅଧିବାସୀ ଥିବାବେଳେ ୨୦୦୩ ଡିସେମ୍ବର ୨୦ରେ ଫ୍ଲାଇଙ୍ଗ ଅଫିସର ଭାବେ ନିଯୁକ୍ତି ପାଇଥିବା ବେଳେ ପରେ ପଦୋନ୍ନତି ପାଇ ୨୦୦୫ ଡିସେମ୍ବର ୨୦ରେ ଫ୍ଲାଇଟ ଲେଫ୍ଟନାଣ୍ଟ ହୋଇଥିଲେ । ୨୦୦୯ ଡିସେମ୍ବର ୨୦ରେ ସେ ସ୍କ୍ବାଡନ ଲିଡର ଭାବେ ଦାୟିତ୍ବ ତୁଲାଇଥିବା ବେଳେ ୨୦୧୬ରେ ୱିଙ୍ଗ କମାଣ୍ଡର ଭାବେ ପଦୋନ୍ନତି ପାଇଥିଲେ ।
୪. ୱିଙ୍ଗ କମାଣ୍ଡର ଦୀପିକା ମିଶ୍ର:- ଗତ ଏପ୍ରିଲ ୨୦ ତାରିଖରେ ୱିଙ୍ଗ କମାଣ୍ଡର ଦୀପିକା ମିଶ୍ରଙ୍କୁ ଭାରତୀୟ ବାୟୁସେନାର ପ୍ରଥମ ମହିଳା ଅଫିସର ଭାବେ ଗାଲାଣ୍ଟ୍ରି ଆୱାର୍ଡ (ବୀରତା ସମ୍ମାନ) ପ୍ରଦାନ କରାଯାଇଥିଲା । ୱିଙ୍ଗ କମାଣ୍ଡର ଦୀପିକା ପ୍ରାକୃତିକ ବିପର୍ଯ୍ୟୟ ସମୟର ପ୍ରତିକୂଳ ପରିସ୍ଥିତିରେ ବୀରତ୍ବ ଓ ଅସୀମ ସାହାସ ପ୍ରଦର୍ଶନ କରି ବହୁ ଧନ ଜୀବନ ରକ୍ଷା କରିଥିଲେ । ଏଥିଲାଗି ତାଙ୍କୁ ଏୟାର ଫୋର୍ସ ମେଡାଲ (ଗାଲାଣ୍ଟ୍ରି) ପ୍ରଦାନ କରାଯାଇଥିଲା । ଏହି ବୀରତା ସମ୍ମାନ ପାଇବାରେ ଦୀପିକା ହେଉଛନ୍ତି ପ୍ରଥମ ମହିଳା ବାୟୁସେନା ଅଧିକାରୀ । ଭାରତୀୟ ବାୟୁସେନା ମୁଖ୍ୟ ମାର୍ଶଲ ଭି.ଆର ଚୌଧୁରୀଙ୍କଠାରୁ ସେ ଏହି ସମ୍ମାନଜନକ ପଦକ ହାସଲ କରିଥିଲେ । ୨୦୨୧ ମସିହା ଅଗଷ୍ଟ ମାସରେ ମଧ୍ୟପ୍ରଦେଶରେ ଉତ୍ତରାଞ୍ଚଳରେ ଅଚାନକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଅତ୍ୟନ୍ତ ଖରାପ ପାଗ, ସ୍ବଳ୍ପାଲୋକ ଓ ପ୍ରବଳ ପବନକୁ ଖାତିର ନ କରି ଦୀପିକା ଉଦ୍ଧାର ପାଇଁ ସେଠାରେ ପହଞ୍ଚିଥିଲେ । ତାଙ୍କର ଏହି ଅଦମ୍ୟ ସାହାସ ଲାଗି ବଞ୍ଚିଯାଇଥିଲା ୪୭ ଜଣଙ୍କ ଜୀବନ । ୱିଙ୍ଗ କମାଣ୍ଡର ଦୀପିକା ରାଜସ୍ଥାନର ବାସିନ୍ଦା ହୋଇଥିବା ବେଳେ ସେ ୨୦୦୬ ମସିହା ଡିସେମ୍ବରରେ ଏୟାର ଫୋର୍ସ ଏକାଡେମୀରୁ ପାସ ଆଉଟ୍ ହେବା ପରେ ସେ ବାୟୁସେନାରେ ଯୋଗ ଦେଇଥିଲେ ।
୫. କ୍ୟାପ୍ଟେନ ଶିବା ଚୌହାନ:- ଚଳିତ ବର୍ଷ ଜାନୁଆରୀ ୨ ତାରିଖରେ ଇତିହାସ ରଚିଥିଲେ କ୍ୟାପ୍ଟେନ ଶିବା ଚୌହାନ । ସେ ଦୁନିଆର ସବୁଠୁ ଉଚ୍ଚ ଯୁଦ୍ଧ କ୍ଷେତ୍ର ସିଆଚିନ ଗ୍ଲାସିୟରର କୁମାର ପୋଷ୍ଟଠାରେ ସକ୍ରିୟ ରୂପେ ନିୟୋଜିତ ହେବାରେ ପ୍ରଥମ ମହିଳା ହୋଇପାରିଥିଲେ । କୁମାର ପୋଷ୍ଟରେ ନିଯୁକ୍ତ ହେବା ପୂର୍ବରୁ କ୍ୟାପ୍ଟେନ ଶିବାଙ୍କୁ କଠିନ ପ୍ରଶିକ୍ଷଣର ସାମ୍ନା କରିବାକୁ ପଡ଼ିଥିଲା । ସେ ସିଆଚିନ ବ୍ୟାଟେଲ ସ୍କୁଲରେ ଏ ନେଇ ପ୍ରଶିକ୍ଷଣ ନେଇଥିଲେ । ସୂଚନା ଥାଉକି, ସିଆଚିନ ଗ୍ଲାସିୟର ହେଉଛି ବିଶ୍ବର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର । ଏଠାରେ ୧୯୮୪ ମସିହାଠାରୁ ଭାରତ-ପାକିସ୍ତାନ ମଧ୍ୟରେ ବିବାଦ ହୋଇଆସୁଛି । କ୍ୟାପ୍ଟେନ ଶିବା ଚୌହାନ ହେଉଛନ୍ତି ରାଜସ୍ଥାନର ଝିଅ । ସେ ଉଦୟପୁରରେ ସ୍କୁଲ ଶିକ୍ଷା ଶେଷ କରିବା ପରେ ଉଦୟପୁର ସ୍ଥିତ ଏନଜେଆର ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ସିଭିଲ ଇଞ୍ଜିନିୟରିଂ କରିଥିଲେ । ଚେନ୍ନାଇ ସ୍ଥିତ ଅଫିସର ଟ୍ରେନିଂ ଏକାଡେମୀ (OTA)ରେ ସେ ତାଲିମ ନେବା ପରେ ୨୦୨୧ରେ ଇଞ୍ଜିନିୟର ରେଜିମେଣ୍ଟରେ ନିଯୁକ୍ତି ପାଇଥିଲେ ।
୬. ଲଢୁଆ ବାହିନୀ ରେଜିମେଣ୍ଟ ଅଫ ଆର୍ଟିଲେରିରେ ମହିଳା:- ଭାରତୀୟ ସେନାର ଇତିହାସରେ ପ୍ରଥମ ଥର ଲାଗି ଏପ୍ରିଲ ୨୯ ତାରିଖରେ ୫ ମହିଳାଙ୍କୁ ରେଜିମେଣ୍ଟ ଅଫ ଆର୍ଟିଲେରିରେ ନିଯୁକ୍ତି ମିଳିଥିଲା । ରେଜିମେଣ୍ଟ ଅଫ ଆର୍ଟିଲେରି ହେଉଛି ଭାରତୀୟ ସେନାର ଲଢୁଆ ବାହିନୀ । ଏହି ୫ ମହିଳା ହେଉଛନ୍ତି ଲେଫ୍ଟନାଣ୍ଟ ମେହକ ସୈନି, ଲେଫ୍ଟନାଣ୍ଟ ସାକ୍ଷୀ ଦୁବେ, ଲେଫ୍ଟନାଣ୍ଟ ଅଦିତି ଯାଦବ, ଲେଫ୍ଟନାଣ୍ଟ ପିୟୁଷ ମୁଦଗିଲ, ଲେଫ୍ଟେନାଣ୍ଟ ଆକାଂକ୍ଷା । ଏମାନେ ଚେନ୍ନାଇ ସ୍ଥିତ ଅଫିସର ଟ୍ରେନିଂ ଏକାଡେମୀରେ ତାଲିମ ନେବା ପରେ ତାଙ୍କୁ ଏହି ଲଢୁଆ ବାହିନୀରେ ସାମିଲ କରାଯାଇଥିଲା । ସେନାରେ ମହିଳା ଅଫିସରଙ୍କୁ ସାମିଲ କରିବା ପ୍ରକ୍ରିୟା ୨୦୧୯ରୁ ଆରମ୍ଭ ହୋଇଥିବା ବେଳେ ଏପ୍ରିଲରେ ଏମାନେ ନିଯୁକ୍ତି ପାଇଥିଲେ ।
୭. କର୍ଣ୍ଣେଲ ସୁନୀତା:- ୨୦୨୩ ନଭେମ୍ବର ୨୧ରେ ଆର୍ମି ମେଡିକାଲ କର୍ପସ ଅଫିସର କର୍ଣ୍ଣେଲ ସୁନୀତା ସଶସ୍ତ୍ର ବାହିନୀର ସର୍ବବୃହତ ରକ୍ତଦାନ କେନ୍ଦ୍ର ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ସଶସ୍ତ୍ର ବାହିନୀ ଟ୍ରାନ୍ସଫ୍ୟୁସନ ସେଣ୍ଟର କମାଣ ସମ୍ଭାଳିବାରେ ପ୍ରଥମ ମହିଳା ହୋଇପାରିଛନ୍ତି । ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ଥିବା ରକ୍ତଦାନ କେନ୍ଦ୍ରଟି ସଶସ୍ତ୍ର ବଳର ସର୍ବବୃହତ ରକ୍ତଦାନ କେନ୍ଦ୍ର । ଏହାପୂର୍ବରୁ ସେ ଯୁଦ୍ଧକ୍ଷେତ୍ର ଭାବେ ମହତ୍ତ୍ବପୂର୍ଣ୍ଣ ସ୍ଥାନ ଅରୁଣାଚଳପ୍ରଦେଶରେ କମାଣ୍ଡିଂ ଅଫିସର ଭାବେ ଦାୟିତ୍ବ ତୁଲାଇଥିଲେ । ସୁନୀତା ରୋହତକ ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରେ ପିଜି କରିବା ପରେ ପାଥୋଲୋଜିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ।
୮. କ୍ୟାପ୍ଟେନ ସୁରଭି ଜଖମୋଲା:- ଭାରତୀୟ ସେନାର ୧୧୭ ଇଞ୍ଜିନିୟର ରେଜିମେଣ୍ଟର କ୍ୟାପ୍ଟେନ ସୁରଭି ଜଖମୋଲା ସୀମା ସଡ଼କ ସଂଗଠନ (BRO)ର ପ୍ରୋଜେକ୍ଟ ଦନ୍ତକ ସାମିଲ ହୋଇଥିବା ପ୍ରଥମ ମହିଳା ହୋଇପାରିଛନ୍ତି । ଭୁଟାନରେ BRO ପକ୍ଷରୁ ପରିଚାଳିତ କରାଯାଉଥିବା ପ୍ରୋଜେକ୍ଟ ଦନ୍ତକରେ ସେ ନିଯୁକ୍ତି ପାଇଛନ୍ତି । ବିଦେଶୀ କାର୍ଯ୍ୟକଳାପ ସମ୍ଭାଳିବାରେ କ୍ୟାପ୍ଟେନ ସୁରଭି ପ୍ରଥମ ମହିଳା ହୋଇପାରିଛନ୍ତି । 'ଦନ୍ତକ ପ୍ରକଳ୍ପ' ୧୯୬୧ ମସିହା ଏପ୍ରିଲ ୨୪ରେ ଆରମ୍ଭ ହୋଇଥିଲା । ଏହି ପ୍ରକଳ୍ପର ଆରମ୍ଭ ଭୁଟାନର ତୃତୀୟ ରାଜା ଓ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଦ୍ବାରା ଆରମ୍ଭ କରାଯାଇଥିଲା । ଏହା ଅଧୀନରେ ଭୁଟାନରେ ଅନେକ ମହତ୍ତ୍ବପୂର୍ଣ୍ଣ ରାସ୍ତାର ନିର୍ମାଣ କରାଯାଇଛି । ଏହାକୁ ଭାରତର ସୀମା ସଡ଼କ ସଂଗଠନ ଦ୍ବାରା ପରିଚାଳିତ କରାଯାଏ ।
୯. କର୍ଣ୍ଣେଲ ସୁଚିତା ଶେଖର:- ଭାରତୀୟ ସେନା ସେବା କୋରରେ ପ୍ରଥମ ମହିଳା ଅଧିକାରୀ ଭାବେ ନିଯୁକ୍ତି ପାଇଥିଲେ କର୍ଣ୍ଣେଲ ସୁଚିତା ଶେଖର । ତାଙ୍କୁ ମେକାନିକାଲ ଟ୍ରାନ୍ସପୋର୍ଟ ବାଟାଲିୟନର କମାଣ ସମ୍ଭାଳିବା ଦାୟିତ୍ବ ପ୍ରଦାନ କରାଯାଇଛି । ଏହି ୟୁନିଟ ଭାରତୀୟ ସେନାର ଉତ୍ତରାଞ୍ଚଳ କମାଣ୍ଡର ଅଧୀନରେ ଆସୁଥିବା ବେଳେ ଏହାର ମୁଖ୍ୟ କାର୍ଯ୍ୟାଳୟ ଉଧମପୁରରେ ରହିଛି । ଅପରେସନ ଉତ୍ତର କମାଣ ସପ୍ଲାଏ ଲାଗି ମେକାନିକାଲ ଟ୍ରାନ୍ସପୋର୍ଟ ବାଟାଲିୟନ ଉତ୍ତରଦାୟୀ ରହିଥାଏ ।
୧୦. କର୍ଣ୍ଣେଲ ଗୀତା ରାଣା:- ଭାରତୀୟ ସେନାର କର୍ପସ ଅଫ ଇଲେକ୍ଟ୍ରୋନିକ୍ସ ଆଣ୍ଡ ମେକାନିକାଲ ଇଞ୍ଜିନିୟରର କର୍ଣ୍ଣେଲ ଗାତୀ ରାଣା ମଧ୍ୟ ଚଳିତ ବର୍ଷ ଇତିହାସ ରଚିଥିଲେ । ସେ ପୂର୍ବ ଲଦାଖରେ କ୍ଷେତ୍ର କର୍ମଶାଳାର କମାଣ ଦାୟିତ୍ବ ସମ୍ଭାଳିବାରେ ପ୍ରଥମ ମହିଳା ଅଫିସର ହୋଇପାରିଛନ୍ତି । ଦେବଭୂମି ଉତ୍ତରାଖଣ୍ଡର ଝିଅ ହେଉଛନ୍ତି କର୍ଣ୍ଣେଲ ଗୀତା ରାଣା । ସେ ପ୍ରଥମ ମହିଳା ଭାବେ ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ସମ୍ଭାଳିବା ପରେ ତାଙ୍କୁ ନେଇ ଗୌରବାନ୍ବିତ ସାରା ରାଜ୍ୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ