ହାଇଦ୍ରାବାଦ: ଆଜି ବିଶ୍ବ ଜଳାତଙ୍କ ଦିବସ । ଜଳାତଙ୍କ ରୋଗ ପାଇଁ ଫଳପ୍ରଦ ଟିକା ବାହାର କରିଥିବା ଦୁଇ ଲୁଇ ପାଶ୍ଚରଙ୍କ ସ୍ମୃତିରେ ତାଙ୍କ ଜନ୍ମଦିନକୁ ଜଳାତଙ୍କ ଦିବସ ରୂପେ ସମଗ୍ର ବିଶ୍ବରେ ପାଳନ କରାଯାଉଛି । ସାଧାରଣତଃ କୁକୁର କାମୁଡିଲେ ହେଉଥିବା ଏହି ରୋଗ ବିଭିନ୍ନ ଦେଶ ପାଇଁ ଏକ ଗୁରୁତର ସଙ୍କଟ ରହିଆସିଛି । ମନୁଷ୍ୟ ଏବଂ ପ୍ରାଣୀ ଉପରେ ଜଳତାଙ୍କ ପ୍ରଭାବ ଏବଂ ଏହାର ନିବାରଣ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ୨୦୦୭ରୁ ପାଳିତ ହୋଇଆସୁଛି ଏହି ଦିବସ ।
WHO ଅନୁଯାୟୀ, ବିଶ୍ବର ୧୫୦ରୁ ଅଧିକ ଦେଶରେ ଜଳାତଙ୍କ ରୋଗ ଯୋଗୁଁ ବର୍ଷକୁ ୫୯,୦୦୦ ଲୋକଙ୍କ ମୃତ୍ୟୁ ହୋଇଥାଏ । ଆଫ୍ରିକା ଏବଂ ଏସିଆରେ ଏହି ମୃତ୍ୟୁ ମାମଲା ୯୫ ପ୍ରତିଶତ ଅଟେ । ଜଳାତଙ୍କ ଏକ ମାରାତ୍ମକ ଭୂତାଣୁ ଯାହା ପଶୁଙ୍କ ଲାଳ ମାଧ୍ୟମରେ ବ୍ୟାପିଥାଏ ।
ପଶୁମାନଙ୍କ ଠାରୁ ମଣିଷକୁ ସଂକ୍ରମିତ କରୁଥିବା ଏହା ଏକ ଜୁନୋଟିକ ରୋଗ, ଯେଉଁଥିରେ ପ୍ରତିବର୍ଷ ଭାରତର ପାଖାପାଖି ୨୦ ହଜାର ଲୋକ ପ୍ରାଣ ହରାଇଥାନ୍ତି । ଲିସା ଭାଇରସ ନାମକ ଏକ ଭୂତାଣୁ ଜଳାତଙ୍କ ରୋଗର କାରଣ । ଭାରତରେ ଜଳାତଙ୍କ ରୋଗର ୯୫ ପ୍ରତିଶତ କୁକୁର କାମୁଡିବା ଦ୍ବାରା ହୋଇଥାଏ । କୁକୁର, ବିଲେଇ ଭଳି ଗୃହପାଳିତ ପଶୁ ଏବଂ ନେଉଳ ଓ ବିଲୁଆ ଆଦି ବନ୍ୟଜନ୍ତୁ ଏହି ରୋଗର ବାହକ ଭାବେ କାର୍ଯ୍ୟ କରନ୍ତି । ଏହିସବୁ ପ୍ରାଣୀ ମଣିଷକୁ କାମୁଡିବା କିମ୍ବା ରାମ୍ପୁଡିବା ଦ୍ବାରା ଜଳାତଙ୍କ ଭୂତାଣୁ ଲାଳ ସଂସ୍ପର୍ଶରେ ଆସି ସୁସ୍ଥ ବ୍ୟକ୍ତିର ଶରୀରରେ ପ୍ରବେଶ କରେ ଏବଂ ୩ ରୁ ୮ ସପ୍ତାହ ମଧ୍ୟରେ ଏହାର ଲକ୍ଷଣ ପ୍ରକାଶ ପାଇଥାଏ ।
ରୋଗର ଲକ୍ଷଣ:
ଜଳାତଙ୍କ ରୋଗର ଭୂତାଣୁ ଶରୀରରେ ପ୍ରବେଶ କରିବା ପରେ ଅନେକ ଲକ୍ଷଣ ପ୍ରକାଶ ପାଇଥାଏ । ଯେପରିକି ପ୍ରଥମେ ପ୍ରଥମେ କାମୁଡା ସ୍ଥାନ ପୋଡାଜଳା କରିବା ଓ ଯନ୍ତ୍ରଣା ହେବା । ଏହାପରେ କ୍ରମଶଃ ଶରୀରର ତାପମାତ୍ରା ବୃ୍ଦ୍ଧି, ମୁଣ୍ଡ ବ୍ୟଥା, କ୍ଷୁଧାହୀନତା, ଖାଦ୍ୟ ଗିଳିବାରେ ସମସ୍ୟା, ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ଭଳି ଲକ୍ଷଣ ଦେଖାଯାଇଥାଏ । ରୋଗୀ ପାଣି ପିଇବାରେ କଷ୍ଟ ଅନୁଭବ କରିବା ସଙ୍ଗେ ସଙ୍ଗେ ପାଣି ଦେଖିଲେ ଭୟଭୀତ ହୋଇପଡେ । ଏପରିକି ସେ ଅସ୍ବାଭାବିକ ଆଚରଣ ପ୍ରଦର୍ଶନ ମଧ୍ୟ କରିଥାଏ । ସାଧାରଣତଃ ଲକ୍ଷଣ ପ୍ରକାଶ ପାଇବାର ୭ ରୁ ୧୦ ଦିନ ମଧ୍ୟରେ ରୋଗୀର ମୃତ୍ୟୁ ଘଟିଥାଏ ।
ରୋଗର ପ୍ରତିକାର:
ଜଳାତଙ୍କ ରୋଗର ଲକ୍ଷଣ ବେଳେବେଳେ ବିଳମ୍ବରେ ଦେଖାଯାଏ । ହେଲେ ଏହି ରୋଗ ଅତ୍ୟନ୍ତ ଘାତକ ଅଟେ । ଏହାର ପ୍ରତିକାର ପାଇଁ ପ୍ରାଣୀ ଚିକିତ୍ସକଙ୍କ ପରମର୍ଶ ମୁତାବକ ୩ ମାସରୁ ତଦୁର୍ଦ୍ଧ ବୟସର କୁକୁରଙ୍କୁ ନିମୟିତ ଭାବେ ଟୀକାକରଣ କରିବା ଆବଶ୍ୟକ । ଜଳାତଙ୍କ ଆକ୍ରାନ୍ତ ପ୍ରାଣୀର ଦୁଗ୍ଧ ମାଧ୍ୟମରେ ସଂକ୍ରମଣର ସମ୍ଭାବନା ଥିବାରୁ ଦୁଗ୍ଧକୁ ଫୁଟାଇ ପିଇବା ଉଚିତ୍ । କୌଣସି ବ୍ୟକ୍ତି କୁକୁର, ବିଲେଇ କି ଅନ୍ୟ ବନ୍ୟଜନ୍ତୁ କାମୁଡାର ଶିକାର ହେଲେ ତୁରନ୍ତ କ୍ଷତ ସ୍ଥାନକୁ ୧୫ ମିନିଟ୍ ଯାଏଁ ଭଲ ଭାବେ ସାବୁନରେ ଧୋଇବା ଜରୁରୀ ଏବଂ ଡାକ୍ତରଙ୍କ ପରାମର୍ଶ ନେବା ଦରକାର । ଏଥିସହ ୨୪ ଘଣ୍ଟା ମଧ୍ୟରେ ରେବିଜ ପ୍ରତିଷେଧକ ଟିକାର ପ୍ରଥମ ଡୋଜ୍ ନେବା ଆବଶ୍ୟକ । ପ୍ରଥମ ଡୋଜ ଟିକା ନେଇଥିବା ଦିନକୁ ଗଣତିରେ ଅନ୍ତର୍ଭୁକ୍ତ ନ କରି ବା ଦିନକୁ ୦ ଦିନ ଭାବେ ମନେକରି ଯଥାକ୍ରମେ ୦, ୩, ୭, ୧୪ ଏବଂ ୨୮ ଦିନରେ ଟିକା ନେବା ଆବଶ୍ୟକ । ତେବେ କୌଣସି ଗୁଣିଗାରେଡି କିମ୍ବା ଅନ୍ଧବିଶ୍ବାସର ସାହାଯ୍ୟ ନେବା ମଣିଷକୁ ମୃତ୍ୟୁମୁଖରେ ପକାଇପାରେ ।