ହାଇଦ୍ରାବାଦ: କୁହାଯାଏ ଅଜ୍ଞାନ ରୂପକ ଅନ୍ଧକାରକୁ ଜ୍ଞାନର ଆଲୋକ ପ୍ରଦାନ କରିଥାଏ ପୁସ୍ତକ । ଜ୍ଞାନର ପରିସୀମାକୁ ବୃଦ୍ଧି କରିବାର ଏହା ଏକ ବଳିଷ୍ଠ ମାଧ୍ୟମ । କେଉଁ ଆଦିମ କାଳରୁ ମଣିଷ ନିଜ ଲେଖାକୁ କେବେ ପ୍ରସ୍ତର ଦେହରେ ତ ଆଉ କେବେ ତାଳପତ୍ରରେ ଲେଖି ଉତ୍ତରପିଢ଼ି ପାଇଁ ଛାଡ଼ିଯାଉଥିଲେ। ପୁସ୍ତକ ହେଉଛି ଜ୍ଞାନର ଭଣ୍ଡାର । ଏହା ମଣିଷର ସର୍ବଶ୍ରେଷ୍ଠ ବନ୍ଧୁ ଓ ମାର୍ଗଦର୍ଶକ । ଏହା ଆମକୁ ସଂସ୍କାରବାଦୀ କରିବା ସହିତ ଜ୍ଞାନର ବିକଶିତ ମଧ୍ୟ କରିଥାଏ । ସ୍କୁଲ ଜୀବନରୁ ଆରମ୍ଭ ହୋଇଥିବା ପାଠପଢା ଜୀବନର ଶେଷ ସମୟ ପର୍ଯ୍ୟନ୍ତ କାମରେ ଆସିଥାଏ । କିଛି କାଗଜ ଉପରେ ଅକ୍ଷର ଓ ଚିତ୍ରର ସମାହାରକୁ ନେଇ ଯୁଗ ଯୁଗ ଧରି ମାନବ ସଭ୍ୟତାର ଇତିହାସକୁ ବହନ କରି ଚାଲିଛି ବହି ।
ପୁସ୍ତକ ପଠନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଏପ୍ରିଲ ୨୩ ତାରିଖକୁ ବିଶ୍ବ ପୁସ୍ତକ ଦିବସ ଭାବେ ପାଳନ କରାଯାଇଥାଏ । ଇଣ୍ଟରନେଟ ଯୁଗରେ ମଧ୍ୟ ବହିର ଆଦର କମିନାହିଁ । କାହାକୁ ଜୀବନୀ ଭଲଲାଗେ ତ କାହାକୁ ଉପନ୍ୟାସ । ଗୋଟେ ଭଲ ବହି ଜଣେ ବ୍ୟକ୍ତିର ବ୍ୟକ୍ତିତ୍ବ ବୃଦ୍ଧି କରିବା ସହ ସୁନ୍ଦର ଭବିଷ୍ୟତ ଗଢିବାରେ ମଧ୍ୟ ସାହାଯ୍ୟ କରିଥାଏ ।
ଅତ୍ୟାଧୁନିକ ଜ୍ଞାନ କୌଶଳ ବଳରେ ଡିଜିଟାଇଜେସନ ମାଧ୍ୟମରେ ବିଶାଳ ପାଠାଗାର ପ୍ରସ୍ତୁତ ହୋଇଛି । ଟିଭି, ଇଣ୍ଟରନେଟ, ମୋବାଇଲ, ସୋସିଆଲ ମିଡିଆର ବହୁଳ ବ୍ୟବହାର ଯୋଗୁଁ ଲୋକେ ବହି ଅପେକ୍ଷା ଇଣ୍ଟରନେଟରେ ଅଧିକ ସମୟ ବିତାଉଛନ୍ତି । ପୁସ୍ତକ ଲିଖନ, ପଠନ, ଅନୁବାଦ, ପ୍ରକାଶନ ଓ କପିରାଇଟର ସଫଳକୁ ସମଗ୍ର ବିଶ୍ବରେ ପ୍ରୋତ୍ସାହିତ କରିବା ଏହି ଦିବସର ମୂଳ ଲକ୍ଷ୍ୟ ।
ୟୁନେସ୍କୋର ଅନୁମୋଦନ କ୍ରମେ ୧୯୬୬ ମସିହାରୁ ପ୍ରତିବର୍ଷ ଏପ୍ରିଲ ୨୩ ତାରିଖକୁ ବିଶ୍ବ ପୁସ୍ତକ ଦିବସ ଭାବେ ପାଳନ କରାଯାଉଛି । ଏହା ସହ ମହାନ ଲେଖର ଓ୍ବିଲିୟମ ସେକ୍ସପିଅରଙ୍କ ମୃତ୍ୟୁ ଦିବସ ସରଣାର୍ଥେ ମଧ୍ୟ ଏହି ଦିବସ ପାଳନ କରାଯାଉଛି । ଚଳିତ ବର୍ଷ ଏହି ଦିବସର ବିଷୟ ରହିଛି 'ପଠନ କର, ତୁମେ ନିଜକୁ କେବେ କମ ଭାବିବ ନାହିଁ ' । ପୁସ୍ତକ ପରିସରକୁ ପରିଚିତ କରିବା ଏବଂ ପଠନକୁ ବ୍ୟାପକ କରିବା ଏହାର ଉଦ୍ଦେଶ୍ୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ