ଅମରାବତୀ: କଥାରେ ଅଛି ସ୍ବାମୀ ହେଉଛନ୍ତି ଦେବତୁଲ୍ୟ । ବିବାହିତା ନାରୀ ନିଜ ସ୍ବାମୀଙ୍କୁ ମାନିଥାନ୍ତି ଦେବତା । ତେବେ ଏଠାରେ କଥାରେ ନୁହେଁ, କାମରେ କରି ଦେଖାଇଛନ୍ତି ଆନ୍ଧ୍ରପ୍ରଦେଶ ପ୍ରକାଶମ ଜିଲ୍ଲାର ଜଣେ ମହିଳା । ସ୍ବାମୀଙ୍କ ପାଇଁ ସେ ଏକ ମନ୍ଦିର ତୋଳିବା ପରେ ସେଠାରେ ସ୍ଥାପିତ କରିଛନ୍ତି ସ୍ବାମୀଙ୍କ ପ୍ରତିମୂର୍ତ୍ତି । ସ୍ବାମୀଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ହୋଇଥିବା ସ୍ଥାନରେ ସେ ଏହି ମନ୍ଦିର ପ୍ରତିଷ୍ଠା କରିଥିବା ସୂଚନା ମିଳିଛି ।
୨୦୧୭ ମସିହାରେ ଜି ପଦ୍ମା(୪୩)ଙ୍କ ସ୍ବାମୀ ଅଙ୍କି ରେଡ୍ଡିଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଏହି ଘଟଣା ପରେ ପଦ୍ମା ଭାଙ୍ଗିପଡ଼ିବା ସହିତ ଅବସାଦଗ୍ରସ୍ତ ହୋଇପଡିଥିଲେ । ଏହାପରେ ସ୍ବାମୀଙ୍କ ସ୍ମୃତିକୁ ବଞ୍ଚାଇ ରଖିବା ପାଇଁ ସେ ସ୍ଥିର କରିଥିଲେ । ଏଥିଲାଗି ସେ ଏକ ଛୋଟ ମନ୍ଦିର ସ୍ଥାପନ କରିବା ପାଇଁ ମନସ୍ଥ କରିଥିଲେ । ସ୍ବାମୀଙ୍କ ଶେଷକୃତ୍ୟ ହୋଇଥିବା ସ୍ଥାନରେ ସେ ଏକ ଛୋଟ ମନ୍ଦିର ସ୍ଥାପନ କରି ସେଠାରେ ସ୍ଥାପିତ କରିଛନ୍ତି ଅଙ୍କିଙ୍କ ପ୍ରତିମୂର୍ତ୍ତି ।
ପ୍ରତିଦିନ ସେ ମନ୍ଦିରକୁ ଯାଇ ସ୍ବାମୀଙ୍କ ପ୍ରତିମୂର୍ତ୍ତିକୁ ପୂଜା କରିବା ସହିତ ସେଠାରେ ସବୁବେଳେ ପ୍ରାର୍ଥନା କରିଥାନ୍ତି । ସେ ନିଜ ସ୍ବାମୀଙ୍କୁ ଦେବତା ଭାବି ଏପରି କରନ୍ତି ବୋଲି କହିଛନ୍ତି । ପଦ୍ମାଙ୍କ ସ୍ବାମୀଙ୍କ ପ୍ରତି ଥିବା ଭଲପାଇବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ