କୋଲକାତା: ଦିଲ୍ଲୀର ଶ୍ରଦ୍ଧାଙ୍କୁ ତାଙ୍କର ଲିଭ୍ ଇନ୍ ପାର୍ଟନର ହତ୍ୟା କରି ୩୫ ଖଣ୍ଡ କରିବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇଥିବାବେଳେ, ପଶ୍ଚିମବଙ୍ଗରୁ ସମାନ ଘଟଣା ସାମ୍ନାକୁ ଆସିଛି । ପଶ୍ଚିମବଙ୍ଗ ବାରୁଇପୁର ଅଞ୍ଚଳରେ ଜଣେ ପୂର୍ବତନ ନୌସେନା ଅଧିକାରୀଙ୍କୁ ହତ୍ୟା କରିବା ପରେ ୬ ଖଣ୍ଡ କରିଛନ୍ତି ପତ୍ନୀ ଓ ପୁଅ(Wife and son accused of Ex Navy mans murder) । ମୃତକ ହେଉଛନ୍ତି ୫୪ ବର୍ଷୀୟ ଉଜ୍ଜଳ ଚକ୍ରବର୍ତ୍ତୀ । ସ୍ତ୍ରୀ ଓ ପୁଅ ମିଶି ତାଙ୍କୁ ପ୍ରଥମେ ଗଳା ଚିପି ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫିଙ୍ଗିଥିବାର ଜଣାପଡିଛି । ଏନେଇ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।
ସୂଚନା ମୁତାବକ, ମୃତ ନୌସେନା ଅଧିକାରୀଙ୍କ ଶରୀରର କିଛି ଅଂଶ ତାଙ୍କ ଘର ସାମ୍ନାରେ ଥିବା ପୋଖରୀରୁ ମିଳିଛି । ନିଖୋଜ ଥିବା ଦୁଇ ହାତ ଓ ଗଣ୍ଡି ଠାବ କରିବାକୁ ପୋଲିସ ଖୋଜାଖୋଜି ଚଳାଇଛି । ଯାହା ସୂଚନା ମିଳିଛି, ଉଜ୍ଜଳ ଚକ୍ରବର୍ତ୍ତୀ ମଦ ପିଇ ପତ୍ନୀ ଓ ପୁଅ ସହ ଦୁର୍ବ୍ୟବହାର କରୁଥିଲେ । ତାଙ୍କୁ ଗାଳିଗୁଲଜ କରୁଥିଲେ । ଗତ ସୋମବାର ଦିନ ଏହାକୁ ନେଇ ବାପାମାଆ ଓ ପୁଅ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଏଥିରେ ରାଗି ଯାଇ ମାଆ ଓ ପୁଅ ମିଶି ତାଙ୍କୁ ଧକ୍କା ଦେଇଥିଲେ । ସେ ତଳେ ପଡିଯିବା ପରେ ତାଙ୍କ ଗଳା ଚିପି ହତ୍ୟା କରିଥିଲେ ଓ ମୃତଦେହକୁ କାଟି ୬ ଖଣ୍ଡ କରି ପ୍ଲାଷ୍ଟିକରେ ଗୁଡାଇ ଦେଇଥିଲେ ।
ଏହାପରେ ସାଇକେଲ ଯୋଗେ ସେମାନେ ବିଭିନ୍ନ ସ୍ଥାନକୁ ଯାଇ ଶରୀରର ବିଭିନ୍ନ ଅଂଶକୁ ଫିଙ୍ଗିଥିଲେ । ଏପରିକି ସ୍ବାମୀ ନିଖୋଜ ଥିବା ନେଇ ମଧ୍ୟ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାର ଛାନଭିନ୍ ପରେ ପତ୍ନୀ ଓ ପୁଅ ମିଶି ପୂର୍ବତନ ନୌସେନା ଅଧିକାରୀଙ୍କୁ ହତ୍ୟା କରିଥିବା ପୋଲିସ ପ୍ରମାଣ ପାଇଥିଲା ।