ହାଇଦ୍ରାବାଦ: ପରକୀୟା ପ୍ରୀତିରୁ ସ୍ବାମୀକୁ ବିଷ ଦେଇ ହତ୍ୟା । ମୁମ୍ବାଇର ସାନ୍ତାକ୍ରୁଜ ଅଞ୍ଚଳରେ ପ୍ରମିକ ସହ ମିଶି ସ୍ବାମୀଙ୍କୁ ବିଷ ଦେଇ ହତ୍ୟା କରିବା ଅଭିଯୋଗରେ ସ୍ତ୍ରୀ ଓ ତାର ପ୍ରମିକକୁ ଗିରଫ କରିଛି ପୋଲିସ (wife killed businessman with paramour)। ପତ୍ନୀ ଦ୍ବାରା ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ସାନ୍ତାକ୍ରୁଜ ଅଞ୍ଚଳର କମଳାକାନ୍ତ ଶାହା ଓ ସେ ଜଣେ ବ୍ୟବସାୟୀ ବୋଲି ଜଣାପଡିଛି । କମଳାକାନ୍ତଙ୍କୁ ହତ୍ୟା କରିବା ଅଭିଯୋଗରେ ପତ୍ନୀ କବିତା ଓ ତାର ପ୍ରେମୀ ହିତେଶ ଜୈନକୁ ପୋଲିସ ଗିରଫ କରି ଜେରା କରୁଛି (wife killed businessman with paramour) ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, 45 ବର୍ଷୀୟ କମାଳାକାନ୍ତଙ୍କର 2002 ରେ କବିତା ସହ ବିବାହ ହୋଇଥିଲା । ସେମାନଙ୍କ 20 ବର୍ଷୀୟା ଜଣେ ଝିଅ ଓ 18 ବର୍ଷର ଜଣେ ପୁଅ ଅଛନ୍ତି । ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ହିତେଶ ଜୈନ କମଳାକାନ୍ତଙ୍କ ବନ୍ଧୁ ଓ ଉଭୟ ମିଶି ଏକ ଗହଣା ବ୍ୟବସାୟ ଚଳାଉଥିଲେ । ତେବେ ବ୍ୟବସାୟିକ ସମ୍ପର୍କ ମଧ୍ୟରେ ପତ୍ନୀ କବିତା ଓ ବନ୍ଧୁ ହିତେଶ ପରସ୍ପରର ନିକଟତର ହେବା ସହ ଉଭୟଙ୍କ ମଧ୍ୟରେ ପରକୀୟା ପ୍ରୀତି ଆରମ୍ଭ ହୋଇଥିଲା । ତେବେ ଏହି ଘଟଣା ସମ୍ପର୍କରେ ଜଣାପଡିବା ପରେ କମାଳାକାନ୍ତ ଓ କବିତାଙ୍କ ଦାମ୍ପତ୍ୟ ଜୀବନରେ ତିକ୍ତତା ବଢିଥିଲା ।
2022 ଜୁନ ମାସରେ କମଳାକାନ୍ତଙ୍କ ମା’ଙ୍କ ଦେହାନ୍ତ ହୋଇଥିଲା । କମଳାକାନ୍ତଙ୍କୁ ହତ୍ୟା କରି ତାଙ୍କ ନାମରେ ଥିବା ସମସ୍ତ ସମ୍ପତ୍ତିକୁ ହାତେଇବାକୁ ଷଡଯନ୍ତ୍ର କରିଥିଲା ପତ୍ନୀ କବିତା । ତେବେ ସିଧାସଳଖ ହତ୍ୟା ନକରି ପତ୍ନୀ କବିତା କରିଥିଲା ଭିନ୍ନ ଯୋଜନା । ସନ୍ଦେହରୁ ବର୍ତ୍ତିବା ପାଇଁ କମାଳାକାନ୍ତଙ୍କ ଖାଦ୍ୟରେ ନିୟମିତ ମୃଦୁ ବିଷ ମିଶାଇବା ଆରମ୍ଭ କରିଥିଲା କବିତା । ପ୍ରାୟ ଦେଢ ମାସ ଧରି ନିୟମିତ ବିଷାକ୍ତ ଖାଦ୍ୟ ଖାଇ କମଳାକାନ୍ତ ଅସୁସ୍ଥ ହୋଇପଡିଥିଲେ । ଏକାଧିକ ଆଭ୍ୟନ୍ତରୀଣ ଅଙ୍ଗ ଅକମୀ ହୋଇଯିବା କାରଣୁ ସେ ଗୁରୁତର ଅବସ୍ଥାରେ ଅଗଷ୍ଟ 27 ରେ ଅନ୍ଧେରୀର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।
ପରେ ଅବସ୍ଥା ଆହୁରି ଗମ୍ଭୀର ହେବାରୁ ସେ ବମ୍ବେ ହସ୍ପିଟାଲକୁ ସ୍ଥାନାନ୍ତର ହେବା ସହ ସେପ୍ଟେମ୍ବର 19 ତାରିଖରେ ପ୍ରାଣ ହରାଇଥିଲେ । ତେବେ ମୃତ୍ୟୁ ପରେ ତାଙ୍କ ଶରୀରର ନମୂନାରୁ ବିଷାକ୍ତ କଣିକା (arsenic and thallium) ମିଳିଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ତେଣୁ ଏହା ଏକ ସ୍ବାଭାବିକ ଅସୁସ୍ଥତାଜନିତ ମୃତ୍ୟୁ ନୁହେଁ ଏକ ଷଡଯନ୍ତ୍ର ବୋଲି କମଳାକାନ୍ତଙ୍କ ଉଭଣୀ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପରେ ତଦନ୍ତର କ୍ରମବିକାଶରେ ପ୍ରଥମେ ପତ୍ନୀ କବିତାକୁ ଗିରଫ କରିଥିଲା ପୋଲିସ । ତାକୁ ଜେରା ପରେ ହତ୍ୟାର ପୁରା କାହାଣୀ ସାମ୍ନାକୁ ଆସିବା ସହ ଏହା ଏକ ପରକୀୟା ପ୍ରୀତି ସମ୍ପର୍କିତ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିଲା । ହତ୍ୟାରେ ସମ୍ପୃକ୍ତ ଅନ୍ୟତମ ଅଭିଯୁକ୍ତ ତଥା କବିତାର ପ୍ରେମିକ ହିତେଶ ଜୈନଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ