ହାଇଦ୍ରାବାଦ: ରଙ୍ଗର ପର୍ବ ହୋଲି । ଭାରତର ଅତି ଲୋକପ୍ରିୟ ପର୍ବ ଭିତରୁ ଏହା ଅନ୍ୟତମ । ବସନ୍ତ ଋତୁର ଏହି ପର୍ବକୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ଖୁବ୍ ଧୁମ୍ଧାମ୍ରେ ପାଳନ କରନ୍ତି । ଗାଁଠୁ ସହର ସବୁଆଡେ ଉଡେ ଅବିର । ପରିବେଶ ହୋଇଯାଏ ରଙ୍ଗୀନ । ହସ ଦୁଃଖ ଭରା ଜୀବନର କିଛି ରଙ୍ଗ ସହିତ ନିଜେ ନିଜ ଭିତରେ ଟିକେ ହଜିଯିବା ପାଇଁ ଆସିଛି ରଙ୍ଗର ପର୍ବ ହୋଲି । ହର୍ଷ ଉଲ୍ଲାସର ଏହି ପର୍ବରେ ଚାରିଆଡେ଼ ଥାଏ କେବଳ ରଙ୍ଗ ରଙ୍ଗ ଆଉ ରଙ୍ଗ । ଅବିରର ସୁଗନ୍ଧରେ ମହକିଯାଏ ସମଗ୍ର ପରିବେଶ । ଏହି ପବିତ୍ର ଦିନରେ ଲୋକେ ହୋଲି ଖେଳିବା ସହ ସୁଆଦିଆ ବ୍ୟଞ୍ଜନ ପ୍ରସ୍ତୁତ କରିଥାଆନ୍ତି ।
![ରଙ୍ଗବେରଙ୍ଗୀ ଅବିରରେ ରଙ୍ଗୀନ ହୋଇଯାଇଛି ହାତ](https://etvbharatimages.akamaized.net/etvbharat/prod-images/14759108_holi-1.jpg)
କେବଳ ଏତିକି ନୁହେଁ, ପାଟିକୁ ମିଠା ଓ ମନକୁ ଥଣ୍ଡା କରିବା ପାଇଁ ବିଭିନ୍ନ ପ୍ରକାରର ପାନୀୟ ଦ୍ରବ୍ୟ ପିଅନ୍ତି । ତେଣିକି ସେ ଲସି ହେଉ କିମ୍ବା ଭାଙ୍ଗ ପଣା । ବିନା ସରବତରେ ହୋଲି ଯେମିତି ଅଧୁରା ଲାଗେ । ତେଣୁ ଗାଁଠୁ ସହର ସମସ୍ତେ ଏହି ହୋଲିରେ ଦହି ପଣା, ରାବିଡି, ଲସି ନଚେତ୍ ଭାଙ୍ଗ ପଣା ପିଇବାକୁ ବେଶ୍ ଭଲପାଆନ୍ତି । ଏହା ହୋଲିର ମଜାକୁ ଆହୁରି ଦ୍ବିଗୁଣିତ କରିଦେଇଥାଏ । କିନ୍ତୁ କେହି ଜାଣି ନ ଥିବେ ଯେ, ଭାଙ୍ଗ ପଣା କେବେ ଠାରୁ ଆରମ୍ଭ ହୋଇଛି ଓ ଏହା ପଛରେ କେଉଁ ଧାର୍ମିକ କାରଣ ରହିଛି, ତେଣୁ ଚାଲନ୍ତୁନା ଜାଣିବା, ହୋଲି ପଛରେ ଭାଙ୍ଗ ପଣାର ରହସ୍ୟ...
ଧାର୍ମିକ କାରଣ:
ସମୁଦ୍ର ମନ୍ଥନ ସମୟରେ ଯେତେବେଳେ ଭଗବାନ ଶିବ ବିଷ ପାନ କରିଥିଲେ, ସେତେବେଳେ ତାଙ୍କୁ ବହୁତ ଗରମ ହୋଇଥିଲା, କାହିଁକିନା ବିଷ ବହୁତ ଗରମ ଥିଲା । ଶିବ ବାତୁଳପ୍ରାୟ ହୋଇ କୈଳାସ ପର୍ବତ ଚାଲିଯାଇଥିଲେ । ଏହି ବିଷର ପ୍ରକୋପକୁ କମାଇବା ପାଇଁ ପ୍ରଭୁ ଶିବ ଭାଙ୍ଗ ପାନ କରିଥିଲେ । ଭାଙ୍ଗ ବହୁତ ଥଣ୍ଡା ହୋଇଥାଏ । ଏହାପର ଠାରୁ ଭଗବାନ ଶିବଙ୍କୁ ଭାଙ୍ଗ ବହୁତ ପସନ୍ଦ ଆସିଥିଲା । ସେଥିପାଇଁ ଭଗବାନ ଶିବଙ୍କୁ ପୂଜା କଲାବେଳେ ଭାଙ୍ଗ ଅର୍ପଣ କରାଯାଏ । ରୁଦ୍ରାଭିଷେକ ହେଉ କିମ୍ବା ଶିବରାତ୍ରୀ, ଶିବଙ୍କ ନିକଟରେ ଭକ୍ତ ଭାଙ୍ଗଟିଏ ନିହାତି ରଖିଥାଏ । କାହିଁକିନା ଭାଙ୍ଗ ବିନା ପ୍ରଭୁ ଶିବଙ୍କ ଆରାଧନା ଏକଦମ୍ ଅଧୁରା । ଭାଙ୍ଗ ଅର୍ପଣ କଲେ ଶିବ ଭାରି ପ୍ରସନ୍ନ ହୁଅନ୍ତି । ଭାଙ୍ଗ ସହ ବେଲପତ୍ର ଓ ଦୁଦୁରା ଫୁଲ ମଧ୍ୟ ଅର୍ପଣ କରାଯାଏ ।
![ହୋଳି ଖେଳ ପୂର୍ବରୁ ପ୍ରସ୍ତୁତ ଭାଙ୍ଗ ପଣା](https://etvbharatimages.akamaized.net/etvbharat/prod-images/14759108_holi-2.jpeg)
ହୋଲି ଦିନ କାହିଁକି ଭାଙ୍ଗ ସେବନ କରାଯାଏ...
ଧାର୍ମିକ କାରଣ ଅନୁଯାୟୀ ହୋଲି ଦିନ ଭଗବାନ ଶିବ ଓ ବିଷ୍ଣୁଙ୍କ ବନ୍ଧୁତାର ପ୍ରତୀକ ଭାବେ ଭାଙ୍ଗ ସେବନ କରାଯାଏ । ଭକ୍ତ ପ୍ରହ୍ଲାଦଙ୍କୁ ମାରିବା ପାଇଁ ଚେଷ୍ଟା କରିଥିବା ହିରଣ୍ୟକଶ୍ୟପର ସଂହାର ପାଇଁ ଭଗବାନ ବିଷ୍ଣୁ ନରସିଂହ ରୂପ ନେଇଥିଲେ । ହିରଣ୍ୟକଶ୍ୟପ ସଂହାର ପରେ ସେ ଖୁବ୍ କ୍ରୋଧିତ ଥିଲେ । ତାଙ୍କୁ ଶାନ୍ତ କରିବା ପାଇଁ ପ୍ରଭୁ ଶିବ 'ସରଭ' ଅବତାର ନେଇଥିଲେ । ଏହା ମଧ୍ୟ ହୋଲିରେ ଭାଙ୍ଗର ସେବନ କରିବାର କାରଣ ବୋଲି କୁହାଯାଏ । ପ୍ରସାଦ ଭାବେ ଏହାକୁ ବିଭିନ୍ନ ଉପାୟରେ ପାନ କରାଯାଏ । ଏହା ବ୍ୟତୀତ ଅନ୍ୟ ଧାର୍ମିକ କାରଣ ମଧ୍ୟ ପ୍ରଚଳିତ ହୋଇ ଆସୁଛି ।
ଭାଙ୍ଗ କ'ଣ:
ଭାଙ୍ଗ ଏକ ପ୍ରକାର ନିଶାଦ୍ରବ୍ୟ, ଯାହା ଗଞ୍ଜେଇ ଗଛ (କାନାବିସ/ cannabis) ନାମକ ଏକ ଗଛରୁ ସଂଗ୍ରହ କରାଯାଏ । କାନାବିସର ପତ୍ର ଓ କଢ଼ ନେଇ ଖଲରେ ରଖି ପୁଆ ସାହାଯ୍ୟରେ ବାଟି ଦିଆଯାଏ । ଏହି ମିଶ୍ରଣରେ ଦୁଧ, ଘିଅ ଓ ମସଲା ମିଶେଇ ଦେବାପରେ ପ୍ରସ୍ତୁତ ହୋଇଯାଏ ମୃଦୁ ମିଠା ପାନୀୟ । ଯେଉଁଥିରେ ଜଣେ ସାଧା ମଣିଷକୁ ଖୁବ୍ ନିଶା ହୋଇଯାଇଥାଏ । କିଛି ଲୋକ ଲସିରେ ଭାଙ୍ଗ ମିଶାଇ ମଧ୍ୟ ପିଇଥାଆନ୍ତି । ଭାଙ୍ଗରେ ଘିଅ ଓ ଚିନି ମଶେଇ ହାଲୁଆ କରନ୍ତି ଓ ଛୋଟ ଛୋଟ ଗୋଲି ଆକାରରେ ତିଆରି କରନ୍ତି ଯାହାକୁ ହିନ୍ଦୀରେ ଗୋଲି (କାଣ୍ଡି ବା ପିଲ୍) କହନ୍ତି । ଏହାକୁ ଭାରତର ଗ୍ରାମାଞ୍ଚଳରେ ଔଷଧ ଭାବେ ବ୍ୟବହାର କରାଯାଇଥାଏ । ଉପଯୁକ୍ତ ମାତ୍ରାରେ ଖାଇଲେ ଜ୍ୱର, ନାଳଝାଡ଼ା, ଅଂଶୁଘାତ ଓ କଫ ଉପଶମ କରେ । ଖାଦ୍ୟରୁଚି ବଢ଼ାଏ ଓ ହଜମ କରାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ