ହାଇଦ୍ରାବାଦ: ସମଗ୍ର ଦେଶକୁ ଦୋହଲାଇ ଦେଇଛି ଗୁଜୁରାଟ ମୋର୍ବି ଝୁଲା ପୋଲ ଅଘଟଣ । ହୃହୟବିଦାରକ ସେ ଘଟଣା । ହସଖୁସିରେ କିଏ ପରିବାର ସହ ବୁଲି ଆସିଥିଲେ ତ କିଏ ସାଙ୍ଗ ସହ । ହେଲେ କିଏ ଜାଣିଥିଲା ମୃତ୍ୟୁର ଝୁଲା ପୋଲ ତାଙ୍କୁ ଅପେକ୍ଷା କରିଛି । ଗୁଜୁରାଟ ମୋର୍ବି ଝୁଲା ପୋଲ ଛିଡିବାରୁ 134 ଜୀବନ ଦୀପ ଲିଭି ଯାଇଛି । ମୃତ୍ୟୁସଂଖ୍ୟା ଆହୁରି ବଢିବା ଆଶଙ୍କା ମଧ୍ୟ କରାଯାଉଛି । ପୋଲ ନେଇଥିବା ଜୀବନ ମଧ୍ୟରୁ ଅନେକ ନିଷ୍ପାପ ଶିଶୁ ଥିଲେ ଯିଏକି ଦୁନିଆକୁ ଜାଣିବା ଆଗରୁ ଅବେଳରେ ଅନେକ ଦୂରକୁ ଚାଲି ଯାଇଛନ୍ତି ।
କାହାର କୋଳ ଖାଲି ହୋଇଛି ତ କିଏ ବାପାମାଆଙ୍କୁ ହରାଇଛି ତ ପୁଣି କିଏ ସମ୍ପର୍କୀୟଙ୍କୁ । ଆଉ ଯିଏ ମୃତ୍ୟୁକୁ ମାତ ଦେଇ ଜୀବନ ଫେରି ପାଇଛନ୍ତି ତାଙ୍କ ମୁହଁରୁ ଅଘଟଣ କଥା ଶୁଣିଲେ ରୁମ ଟାଙ୍କୁରି ଯାଉଛି । ଏତେ ବଡ ଅଘଟଣ କାହା ପାଇଁ ? କିଏ ଦାୟୀ ? କିଏ ଦେବ ଏ ଅମୂଲ୍ୟ ଜୀବନର ମୂଲ୍ୟ । ପୋଲ ଛିଣ୍ଡି ଘଟିଥିବା ଅଘଟଣ ଅବହେଲା ନା ସଚେତନତା ଅଭାବ ତାହା ଏବେ କେବଳ ପ୍ରଶ୍ନ ହୋଇ ରହିଛି ।
ରବିବାର ସମୟ ସନ୍ଧ୍ୟା 6ଟା । ମାଛୁ ନଦୀରେ ଅଚନାକ ଛିଣ୍ଡି ପଡିଲା ଛୁଲା ପୋଲ । ପୋଲରେ ପ୍ରାୟ 400 ଲୋକ ଥିଲେ । ପୋଲ ଛିଣ୍ଡିବା ମାତ୍ରେ ସଭିଏଁ ନଦୀରେ ପଡି ଯାଇଥିଲେ । ଜୀବନ ବଞ୍ଚାଇବାକୁ ଉଦ୍ୟମ । ଚାରିଆଡେ ଶୁଭୁଥାଏ ଚିତ୍କାର । କିଛି ମୃତ୍ୟୁକୁ ମାତ ହେଇ ଜୀବନ ଫେରି ପାଇଲେ ଅନେକ ହାରିଗଲେ । ଅଘଟଣରେ ପାଖାପାଖି 134ଜଣଙ୍କ ମୃତ୍ୟୁ ହୋଇଛି । ସେଥିରୁ 56ଜଣ ଛୋଟ ପିଲା ଥିଲେ । ଏବେ ବି ନଦୀଗର୍ଭରୁ ମୃତଦେହ ଉଦ୍ଧାର ଶେଷ ହୋଇନାହିଁ । ସର୍ଚ୍ଚ ଅପରେସନ ଜାରି ରିହଛି । ତେବେ ପ୍ରଶ୍ନ 142 ବର୍ଷ ପୁରୁଣା ପୋଲ ଛିଡିଲା କିପରି । ଅଘଟଣର କାରଣ କଣ । କିଏ ଏହାର ଦାୟୀ ହେବ ।
ଏହା ବି ପଢନ୍ତୁ...Morbi Cable Bridge Collapse: ଉଜୁଡିଗଲା ପରିବାର, ଏକାବେଳକେ ଚାଲିଗଲେ 6 ସଦସ୍ୟ
142 ବର୍ଷ ପୂର୍ବେ ମୁମ୍ବାଇ ରାଜ୍ୟପାଳ ରିଚାର୍ଡ ଟେମ୍ପଲ 1879 ଫେବ୍ରୁଆରୀ 20ରେ ମାଛୁ ନଦୀରେ ମୋର୍ବି କେବୁଲ ବ୍ରିଜକୁ ଉତ୍ସର୍ଗ କରିଥିଲେ । ସେହି ସମୟରେ ଏହି ଝୁଲା ପୋଲଟି 3.5 ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିଲା । 1880ରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । ସେହି ସମୟରେ ସେତୁ ନିର୍ମାଣ ପାଇଁ ଇଂଲଣ୍ଡରୁ ଆଇଡିଆ ଆସିଥିଲା । ଦାର୍ବାର ଗରଙ୍କୁ ନାଜରବାଗ ସହିତ ଯୋଡିବା ଲକ୍ଷ୍ୟରେ ସେତୁ ନିର୍ମାଣ ହୋଇଥିଲା । 6 ମାସ ଯାଏ ନବୀକରଣ କାର୍ଯ୍ୟ ଚାଲି ଥିବାରୁ ପୋଲଟି ବନ୍ଦ ଥିଲା ।
ଓଭେରା ନାମକ ଏକ ଠିକାସଂସ୍ଥାକୁ ଏହାର ମରାମତି ଦାୟିତ୍ବ ଦିଆଯାଇଥିଲା । ଏହା କାର୍ଯ୍ୟରେ ପାଖାପାଖି 2 କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ନିର୍ଦ୍ଦିଷ୍ଟ ଗୁଣର ଏକ ହାଲୁକା ଆଲୁମିନିୟମ୍ ସିଟ୍ ଏହାର ମରାମତିରେ ବ୍ୟବହାର ହୋଇଥିଲା । ମରାମତିର କିଛି ମଧ୍ୟରେ ବ୍ରିଜଟିକୁ ଲୋକଙ୍କ ପାଇଁ ଖୋଲା ଯାଇଥିଲା । ଏହାର ଫିଟନେସ ସାର୍ଟଫିକେଟ ମଧ୍ୟ ନଥିବା ଜଣାପଡିଛି । ଝୁଲା ପୋଲଟି ଦୁର୍ବଳ ଅବସ୍ଥାରେ ରହିିଥିଲା । ମରାମତିର 15ବର୍ଷ ଯାଏ ଏହା ଠିକ ରହିବା କଥା ମାତ୍ର ପୋଲଟି ଖୋଲା ଯିବାର ମାତ୍ର 4ଦିନରେ ଛିଣ୍ଡି ପଡିଛି । 38 ବର୍ଷ ପୂର୍ବେ ବ୍ରିଜ ପାଇଁ ଟିକେଟ ଦର 15 ଟଙ୍କା ଥିଲା । ଏହାପରେ ଦର 2 ଟଙ୍କା ବଢା ଯାଇ 17 ଟଙ୍କା କରାଯାଇଥିଲା ।
କିଏ ଦାୟୀ...
କେବୁଲ ବ୍ରିଜର କ୍ଷମତା 100 ଲୋକ ଥିଲା, ହେଲେ ଅଘଟଣ ଘଟିବା ପୂର୍ବରୁ ବ୍ରିଜ ଉପରେ ପ୍ରାୟ 400 ରୁ 500 ଲୋକ ଥିଲେ । ଆକଳନ ଅନୁଯାୟୀ ଚାରି ଦିନରେ 12,000 ଲୋକ ଏହି ବ୍ରିଜ ପରିଦର୍ଶନ କରିଥିଲେ । ଏହି କେବୁଲ ବ୍ରିଜ ଭୁଶୁଡ଼ିବା ପାଇଁ କିଏ ଦାୟୀ ? କ’ଣ ଅଭାବ ରହିଥିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିର୍ମାଣ କାର୍ଯ୍ୟରେ ଅବହେଳା ହେତୁ ଏହି ଭୟଙ୍କର ଅଘଟଣ ଘଟିଛି ।
ଦୁର୍ଘଟଣା ପାଇଁ ଗୁଜରାଟ ପୋଲିସ୍ ୯ ଜଣଙ୍କୁ ଗିରଫ କରିଛି । ସମସ୍ତେ ବ୍ରିଜ ମରାମତି ପାଇଁ ଠିକା ନେଇଥିବା କମ୍ପାନୀ ସହ ଜଡ଼ିତ ଥିବା ଜଣାପଡିିଛି । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି କହିଛନ୍ତି ମୋର୍ବି ଆଇଜି ଅଶୋକ ଯାଦବ । ଘଟଣାର ତଦନ୍ତ ପାଇଁ 5 ଜଣିଆ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି ।