‘ଡିଏମ୍କେର ନିର୍ବାଚନୀ ଇସ୍ତାହାରକୁ ଚ୍ୟାଲେଞ୍ଜ କରିବା ଭଳି ଆଉ ଏକ ଇସ୍ତାହାର ସାଧାରଣରେ ପ୍ରକାଶ ପାଇଛି । କୌଣସି ନିଲାମରେ ପ୍ରତିଯୋଗିତା କରି ଡାକ ଡାକିବା ଢଙ୍ଗରେ ସେମାନେ ମଧ୍ୟ ଆମ ପ୍ରତିଶ୍ରୁତିଗୁଡ଼ିକୁ ଆହୁରି ଆଗକୁ ନେଇ ପୃଥିବୀରେ ଯାହା କିଛି ସମ୍ଭବ, ସେ ସବୁ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।’ ଦଶ ବର୍ଷ ତଳେ ଏହା କହିଥିଲେ ଡିଏମ୍କେ ନେତା ତଥା ତାମିଲନାଡୁର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କରୁଣାନିଧି । ଉଭୟ ଦ୍ରାବିଡ ଦଳର ସର୍ବୋଚ୍ଚ ନେତାଦ୍ବୟ- ଜୟଲଳିତା ଏବଂ କରୁଣାନିଧିଙ୍କ ମୃତ୍ୟୁ ପରବର୍ତ୍ତୀ ସମୟରେ, ପ୍ରଥମ ଥର ପାଇଁ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ ସ୍ବାଭାବିକ ଭାବରେ ପୁଣି ପୂର୍ବ ଭଳି ପ୍ରତିଶ୍ରୁତିର ସୁଅ ଛୁଟିଥିବା ପରିଲକ୍ଷିତ ହୋଇଛି । ଆସନ୍ତା ମାସ 6 ତାରିଖରେ 234 ସଦସ୍ୟ ବିଶିଷ୍ଟ ତାମିଲନାଡୁ ବିଧାନସଭା ପାଇଁ ଭୋଟଗ୍ରହଣ କରାଯିବ । ରାଜ୍ୟର 6.1 କୋଟି ଭୋଟଦାତାଙ୍କୁ ନିଜ ଦଳ ପ୍ରତି ଆକର୍ଷିତ କରିବା ଲାଗି ଏମ୍.କେ. ଷ୍ଟାଲିନଙ୍କ ନେତୃତ୍ବାଧୀନ ଡିଏମ୍କେ 500ଟି ପ୍ରତିଶ୍ରୁତି ଦେଇଛି । ଏହି ସବୁ ପ୍ରତିଶ୍ରୁତିରେ, ସରକାରୀ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ଡାଟା ଟାବ୍ ପ୍ରଦାନ, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍ ଦର ହ୍ରାସ, ଖାଉଟି କାର୍ଡଧାରୀ ପ୍ରତ୍ୟେକ ମହିଳାଙ୍କୁ ମାସିକ 1000 ଟଙ୍କା ଲେଖାଏଁ ପ୍ରଦାନ, ବିଭିନ୍ନ ହିନ୍ଦୁ ତୀର୍ଥକ୍ଷେତ୍ରକୁ ଯାତ୍ରା କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ 25,000 ଟଙ୍କାରୁ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ ପ୍ରଭୃତି ପ୍ରତିଶ୍ରୁତି ସ୍ଥାନ ପାଇଛି ।
ତୃତୀୟ ଥର ପାଇଁ ବିଜୟଲାଭ ସହିତ ହ୍ୟାଟ୍ରିକ୍ କରିବାକୁ ଲକ୍ଷ୍ୟ ରଖିଥିବା ଏଆଇଏଡିଏମ୍କେ ଦଳ, ଡିଏମ୍କେ ଦେଇଥିବା ପ୍ରତିଶ୍ରୁତି ତୁଳନାରେ ଆଉ ଦୁଇ ପାଦ ଆଗେଇ ଯାଇ, ମାଗଣାରେ ୱାଶିଂ ମେସିନ ଏବଂ ସୌରଶକ୍ତି ଚାଳିତ ଚୁଲି ଯୋଗାଣ, ଖାଉଟି କାର୍ଡଧାରୀ ପ୍ରତ୍ୟେକ ମହିଳାଙ୍କୁ ମାସିକ 1500 ଟଙ୍କା ଲେଖାଏଁ ପ୍ରଦାନ ପ୍ରଭୃତି ପ୍ରତିଶ୍ରୁତି ଦେଇଛି । ଏଭଳି ମାଗଣା ବିତରଣ ଯୋଜନା ଯୋଗୁଁ ଭୋଟଦାତାମାନଙ୍କ ଉପରେ ଅନୁଚିତ ପ୍ରଭାବ ପଡୁଛି ଏବଂ ମୁକ୍ତ ଓ ଅବାଧ ନିର୍ବାଚନ ଆୟୋଜନରେ ଏହା ପ୍ରତିବନ୍ଧକ ସୃଷ୍ଟି କରୁଛି ବୋଲି 2013 ମସିହାରେ ସୁପ୍ରିମ କୋର୍ଟ ମତାମତ ଦେଇଥିଲେ ଏବଂ ମାଗଣା ବିତରଣର ଏହି ଧାରାକୁ ନିରୁତ୍ସାହିତ କରିବା ଦିଗରେ ଆବଶ୍ୟକ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ ନିର୍ବାଚନ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ରାଜନୈତିକ ଦଳ ସହ ବିସ୍ତୃତ ବିଚାର ବିମର୍ଶ ପରେ ନିର୍ବାଚନ କମିଶନ ପ୍ରସ୍ତୁତ କରିଥିବା ଏହି ନିର୍ଦ୍ଦେଶାବଳୀ ଏଭଳି ନିର୍ବାଚନୀ ପ୍ରତିଶ୍ରୁତିର ଧାରାକୁ ପ୍ରତିହତ କରିବାରେ ସମର୍ଥ ହୋଇପାରିନାହିଁ । ପ୍ରତ୍ୟେକ ନିର୍ବାଚନରେ ଏହା ବାରମ୍ବାର ପ୍ରମାଣିତ ହେବାରେ ଲାଗିଛି । ଦୁର୍ଭାଗ୍ୟର କଥା ଯେ, କ୍ଷମତା ପାଇଁ ଲାଳାୟିତ ରାଜନୈତିକ ଦଳଗୁଡ଼ିକ ଭୋଟଦାତାମାନଙ୍କୁ ଫାନ୍ଦରେ ପକାଇବା ଲାଗି ରାଜ୍ୟକୁ ଋଣ ଭାରରେ ଚାପି ଦେବାକୁ ବି ପଛାଉ ନାହାନ୍ତି ।
ପ୍ରାୟ ସାତ ଦଶନ୍ଧି ତଳେ ବିଚାରପତି ଚଗଲା ଉଲ୍ଲେଖ କରିଥିଲେ ଯେ, ଭାରତରେ ସାର୍ବଜନୀନ ଭାବେ ପ୍ରାପ୍ତବୟସ୍କମାନଙ୍କର ହିଁ ଭୋଟଦାନ ଅଧିକାର ରହିଥିବାରୁ ଉଭୟ ନିର୍ବାଚିତ ପ୍ରତିନିଧି ଏବଂ ଭୋଟଦାତାମାନଙ୍କର ନିଷ୍ଠା ଓ ସଚ୍ଚୋଟତା ସର୍ବାଗ୍ରେ ସ୍ଥାନ ପାଇବା ଉଚିତ । ଆକାଉଣ୍ଟରେ ଅର୍ଥ ଜମା କରିବା ଭଳି ପ୍ରଲୋଭନ ଦେଖାଇ ଭୋଟରମାନଙ୍କୁ ନିଜ ପଟକୁ ଢଳେଇବାର କଳାକୌଶଳ ଅବଲମ୍ବନରେ ରାଜନୈତିକ ଦଳଗୁଡ଼ିକ ପାରଙ୍ଗମ ହୋଇଗଲେଣି । ସରକାରୀ ତହବିଲରେ ଥିବା ଅର୍ଥ ଲୋକମାନଙ୍କର ।
ଏହି ଦୃଷ୍ଟିରୁ ଦେଖିଲେ, ରାଜନୈତିକ ଦଳଗୁଡ଼ିକ ଲୋକଙ୍କ ଅର୍ଥକୁ ଲୋକମାନଙ୍କୁ ଦେଇ ଭୋଟ କିଣିବାର ଏହି ମନ୍ଦ ଉପାୟ ଅବଲମ୍ବନ କରୁଛନ୍ତି । ସୁପ୍ରିମ କୋର୍ଟ ସ୍ପଷ୍ଟ କରିଦେଇଛନ୍ତି ଯେ, ଲୋକପ୍ରତିନିଧି ଆଇନର 123 ଧାରା ଅନୁସାରେ ନିଜ ନିଜର ନିର୍ବାଚନୀ ଇସ୍ତାହାର ଜରିଆରେ ରାଜନୈତିକ ଦଳଗୁଡ଼ିକ ଦେଖାଉଥିବା ପ୍ରଲୋଭନକୁ ଦୁର୍ନୀତି ବୋଲି ଗ୍ରହଣ କରାଯାଇପାରିବ ନାହିଁ । ନିର୍ବାଚନ କମିଶନଙ୍କ ମତାମତ ଅନୁସାରେ, ସମ୍ବିଧାନରେ ସ୍ଥାନିତ ନିର୍ଦ୍ଦେଶାତ୍ମକ ନୀତି ସମୂହରେ ବର୍ଣ୍ଣିତ ବ୍ୟବସ୍ଥାରେ ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମ ରହିଥିବାରୁ ନିର୍ବାଚନୀ ଇସ୍ତାହାରରେ କଲ୍ୟାଣକାରୀ କାର୍ଯ୍ୟକ୍ରମର ପ୍ରତିଶ୍ରୁତି ଉପରେ ଆପତ୍ତି କରାଯାଇପାରିବ ନାହିଁ । ତେବେ, ନିର୍ବାଚନୀ ପ୍ରକ୍ରିୟାର ପବିତ୍ରତାକୁ କ୍ଷୁଣ୍ଣ କରିବା ଭଳି କୌଣସି ପ୍ରତିଶ୍ରୁତି ଦେବାରୁ ରାଜନୈତିକ ଦଳଗୁଡ଼ିକ ବିରତ ରହିବାକୁ କହି ନିର୍ବାଚନ କମିଶନ ଏକ ନିରର୍ଥକ ପରାମର୍ଶ ଯାହା ଦେଇଛନ୍ତି । ଅନ୍ୟାନ୍ୟ ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରଚଳିତ ନିର୍ବାଚନ ପ୍ରକ୍ରିୟାକୁ ନିର୍ବାଚନ କମିଶନ ଅନୁଧ୍ୟାନ କରିଛନ୍ତି । ଭୁଟାନ ଏବଂ ମେକ୍ସିକୋରେ ପ୍ରଚଳିତ ବ୍ୟବସ୍ଥାରେ ରହିଥିବା କେତେକ ଆପତ୍ତିଜନକ ଦିଗକୁ ବାଦ ଦିଆଯାଇପାରି ବୋଲି କମିଶନ ଜାଣିପାରିଛନ୍ତି । ବ୍ରିଟେନ୍ରେ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତିରେ ରାଜନୈତିକ ଦଳଗୁଡ଼ିକ କଠୋର ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ବାଧ୍ୟ । ଭାରତରେ ରାଜନୈତିକ ଦଳଗୁଡ଼ିକ ସବୁ ପ୍ରକାର ଗଣତାନ୍ତ୍ରିକ ମୂଲ୍ୟବୋଧର ଉଲ୍ଲଂଘନ କରୁଥିବା ସମୟରେ ବି ନିର୍ବାଚନ କମିଶନ ମୂକ ଦର୍ଶକ ସାଜିଥାଆନ୍ତି । ଏହାଠାରୁ ଅଧିକ ଦୁଃଖର କଥା ଆଉ କ’ଣ ବା ହୋଇପାରେ ?
ତାମିଲନାଡୁର ନିର୍ବାଚନୀ ପ୍ରତିଶ୍ରୁତି ପ୍ରସଙ୍ଗକୁ ଫେରି ଦେଖିବା ଯେ, ରାଜ୍ୟରେ ଖାଉଟି କାର୍ଡଧାରୀ ପ୍ରତ୍ୟେକ ମହିଳାଙ୍କୁ ମାସିକ 1,000 ଟଙ୍କା ଲେଖାଏଁ ଦିଆଗଲେ ବର୍ଷକୁ 21,000 କୋଟି ଟଙ୍କା ଆବଶ୍ୟକ ହେବ । ଦଶ ବର୍ଷ ଭିତରେ ତାମିଲନାଡୁର ମୁଣ୍ଡ ପିଛା ଋଣ ପରିମାଣ 15,000 ଟଙ୍କାରୁ 57,000 ଟଙ୍କାକୁ ବୃଦ୍ଧି ପାଇଛି । ରାଜ୍ୟ ନେଇଥିବା ଋଣ ପରିଶୋଧ ବାବଦରେ ବର୍ଷକୁ 51,000 କୋଟି ଟଙ୍କା ଖର୍ଚ୍ଚ କରୁଛି । ଏହି ଦୃଶ୍ୟପଟ୍ଟରେ ମାଗଣା ବିତରଣର ଏହି ରାଜନୀତି ତାମିଲନାଡୁକୁ କେଉଁଠି ନେଇ ପହଞ୍ଚାଇବ ?