କୋଲକାତା: ପଶ୍ଚିମବଙ୍ଗର ବିଧାନସଭା ନିର୍ବଚାନ ନିକଟତର ହେଉଥିବା ବେଳେ ପୁଣି ମମତା ବାନାର୍ଜୀଙ୍କୁ ଲାଗିଛି ଧକ୍କା । ରାଜ୍ୟର କ୍ରୀଡା ରାଷ୍ଟ୍ରମନ୍ତ୍ରୀ ଲକ୍ଷ୍ମୀ ରତନ ଶୁକ୍ଳା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ଦଳର ସୁପ୍ରିମୋ ମମତା ବାନାର୍ଜୀଙ୍କ ପାଖକୁ ପଠାଇ ଦେଇଥିବା ଜଣା ପଡିଛି । ଏହା ସହ ସେ ମଧ୍ୟ ତାଙ୍କ ସାଂଗଠନିକ ଦାଇତ୍ବରୁ ମଧ୍ୟ ଇସ୍ତଫା ଦେଇଥିବା ସୂଚନା ମିଳିଛି । ସେ ହାଓ୍ବାଡା ଜିଲ୍ଲାର ଟିଏମସି ସଭାପତି ଭାବେ ଦାୟିତ୍ବରେ ଥିଲେ । କିନ୍ତୁ ସେ ପୂର୍ବପରି ଚିଏମସି ବିଧାୟକ ଭାବେ କାମ କରିବେ ବୋଲି ସ୍ପଷ୍ଟ କରିଛନ୍ତି ।
ନିକଟ ଅତୀତରେ ତୃଣମୂଳ କଂଗ୍ରେସର ହେଭିଓ୍ବେଟ ନେତା କୁହାଯାଉଥିବା ଶୁଭେନ୍ଦୁ ଅଧିକାରୀ ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ । ତାଙ୍କର ଖାସ ଅନୁଗତ କୁହାଯାଉଥିବା ଶୁକ୍ଳା ଅଧିକାରୀଙ୍କ ଦଳ ଛାଡିବା ପରେ ଏପରି ନିଷ୍ପତ୍ତି ନେଇଥାଇ ପାରନ୍ତି ବୋଲି ମଧ୍ୟ ଅନୁମାନ କରାଯାଉଛି ।
ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା କହିଛନ୍ତି ଯେ ପଦରୁ କେହିବି ଇସ୍ତଫା ଦେଇ ପାରିବେ । ଶୁକ୍ଳା କ୍ରୀଡା ପାଇଁ ଅଧିକ ସମୟ ଚାହୁଁଥିବାରୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ତାଙ୍କ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି । ସେ ପୂର୍ବ ପରି ବିଧାୟକ ଭାବେ କାମ କରିବେ । ତେଣୁ ଏଥିରେ ଦଳର କୌଣସି ଆପତ୍ତି ନଥିବା କଥା କହିଛନ୍ତି ମମତା ।
ଶୁକ୍ଳା ରଣଜୀରୁ ତାଙ୍କ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିବା ବେଳେ ପରେ 19 ବର୍ଷରୁ କମ ଆନ୍ତର୍ଜାତୀୟ ଦଳରେ ଖେଳିବାର ସୁଯୋଗ ପାଇଥିଲେ । ପରେ ଇଣ୍ଡିଆନ ପ୍ରିମିୟର ଲିଗରେ କୋଲକାତା ନାଇଟ ରାଇଡର, ଦିଲ୍ଲୀ ଡେୟାର ଡେଭିଲ୍ସ , ହାଇଦ୍ରାବାଦ ସନରାଇଜର ପାଇଁ ଖେଳିଥିଲେ । ପରେ ସେ 2015 ରେ ତାଙ୍କର କ୍ରୀଡା ଜୀବନରୁ ଅବସର ନେଇଥିଲେ । ସେ କ୍ରିକେଟର ସବୁ ଫର୍ମାଟରୁ ଅବସରର ନେବା ପରେ ସକ୍ରିୟ ରାଜନୀତିରେ ପାଦ ରଖିଥିଲେ ।
ତୃଣମୂଳ କଂଗ୍ରେସରୁ ନିର୍ବାଚନ ଲଢି ଜିତିବା ପରେ ସେ ମମତା ସରକାରରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ । ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଥିବା ବେଳେ ଜଣେ ପରେ ଜଣେ ନେତା ଦଳ ଛାଡିବା ମମତାଙ୍କ ପାଇଁ ମହଙ୍ଗା ପଡିପାରେ ବୋଲି ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ