ନୂଆଦିଲ୍ଲୀ: ଆସନ୍ତାକାଲି (15 ତାରିଖ) ରାଷ୍ଟ୍ରପତି ନିର୍ବାଚନ ମାନସ ମନ୍ଥନ ନେଇ ଦିଲ୍ଲୀରେ ଏକାଠି ହେବେ ଅଣବିଜେପି ବିରୋଧୀ ଦଳ । ଏହାର ମାତ୍ର ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀରେ ଏନସିପି ମୁଖ୍ୟ ତଥା ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଚର୍ଚ୍ଚାରେ ଥିବା ଶରଦ ପାଓ୍ବାରଙ୍କୁ ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ । ଆସନ୍ତାକାଲି ହେବାକୁ ଥିବା ବିରୋଧୀ ମେଳିର ଆହ୍ବାନ ମଧ୍ୟ ମମତା ଦେଇଥିଲେ । ତେବେ ବୈଠକର ପୂର୍ବଦିନ ଏକାକୀ ଭାବେ ମମତା ଶରଦଙ୍କୁ ଭେଟିବା ଜାରି ରହିଥିବା ପ୍ରାର୍ଥ୍ବତ୍ବ ଚର୍ଚ୍ଚାକୁ ଆହୁରି ବଳ ଯୋଗାଇଛି ।
ମମତା-ଶରଦଙ୍କ ଭେଟଭାଟ ନେଇ TMC ପକ୍ଷରୁ ମଧ୍ୟ ଚ୍ବିଟ ଯୋଗେ ସୂଚନା ଦିଆଯାଇଛି । ଆସନ୍ତାକାଲି ଆୟୋଜନ ହେବାକୁ ଥିବା ମିଳିତ ବିରୋଧୀ ବୈଠକକୁ ଆହୁରି କ୍ରିୟାଶୀଳ କରିବା ନେଇ ଆଲୋଚନା ହୋଇପାରେ । ଗତ କିଛି ଦିନ ହେବ ବିରୋଧୀଙ୍କ ପକ୍ଷରୁ ଶରଦଙ୍କୁ ପ୍ରାର୍ଥୀ କରାଯିବା ନେଇ ଆଲୋଚନା ଜାରି ରହିଛି । ଏନେଇ କୌଣସି ବିରୋଧୀ ଦଳ ସିଧା ସଳଖ କିଛି ପ୍ରକାଶ କରିନାହାନ୍ତି । କିନ୍ତୁ ଏହି ପ୍ରାର୍ଥୀତ୍ବ ବିଚାରବିମର୍ଶ ଆରମ୍ଭ ହୋଇ ସାରିଥିବା ମଧ୍ୟ ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହିଛି । ବିରୋଧୀଙ୍କ ପକ୍ଷରୁ ପ୍ରଥମେ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କ ନାମରେ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ସମୟ ବଢିବା ସହ ଏହି ଚର୍ଚ୍ଚା ଏବେ ଶରଦ ପାଓ୍ବାର ମୁହାଁ ହୋଇଛି ।
ଏହାରି ମଧ୍ୟରେ ଆସନ୍ତାକାଲି ବିରୋଧୀ ଦଳମାନେ ଦିଲ୍ଲୀରେ ମମତାଙ୍କ ଆହ୍ବାନରେ ଏକାଠି ହେବା ଓ ବୈଠକ ପୂର୍ବରୁ ମମତା ନିଜେ ଯାଇ ଶରଦଙ୍କୁ ବାସଭବନରେ ଭେଟି ଆଲୋଚନା କରିବା ଏହି ଚର୍ଚ୍ଚାକୁ ଆହୁରି ମଜବୁତ କରିଛି । ଅନ୍ୟପଟ ମମତାଙ୍କ ଦ୍ବାରା ଆହୁତ ବୈଠକରେ ଅନ୍ୟ ବିରୋଧୀ ଦଳଙ୍କ ସହିତ କଂଗ୍ରେସ ମଧ୍ୟ ସାମିଲ ହେବା ନେଇ ସ୍ପଷ୍ଟ ସୂଚନା ମିଳିଛି । ସୋନିଆ ଗାନ୍ଧୀ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ତଣୁ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଏହି ବୈଠକରେ ଦଳକୁ ପ୍ରତିନିଧିତ୍ବ କରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ