ଚେନ୍ନାଇ: ଜଳିଲା ଗାଡି ଜଳିଲା ଘର । ହୋହଲ୍ଲାରେ କମ୍ପିଲା ରାଜରାସ୍ତା । ପୋଲିସ କର୍ମୀଙ୍କ ଉପରକୁ ବି ଆକ୍ରମଣ କରିବାକୁ ପଛାଇଲେ ନାହିଁ ବିକ୍ଷୋଭକାରୀ । ରବିବାର ତାମିଲନାଡୁର କାଲ୍ଲାକୁରିଚିରେ ଏହା ଦେଖିବାକୁ ମିଳିଛି । ଜଣେ ବାଳିକାଙ୍କ ମୃତ୍ୟୁର ନ୍ୟାୟ ପାଇଁ ବିକ୍ଷୋଭକାରୀମାନେ ଏପରି ପନ୍ଥା ଆପଣେଇଥିଲେ । ପୋଲିସ ସ୍ଥିତି ନିୟନ୍ତ୍ରଣ ପାଇଁ ଫାଙ୍କା ଗୁଳି ଚାଳନା କରିଥିଲା । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଶାନ୍ତି ରକ୍ଷା କରିବାକୁ ଲୋକଙ୍କୁ ଅନୁରୋଧ କରିଥିଲେ ଏବଂ ଦୋଷୀ ବିରେଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିଲେ । ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲା ।
ଆନ୍ଦୋଳନକାରୀମାନେ ପୋଲିସ ବ୍ୟାରିକେଡ ଭାଙ୍ଗି ନିକଟସ୍ଥ ଚିନ୍ନାସେଲମରେ ଥିବା ଏକ ଇଣ୍ଟରନ୍ୟାସନାଲ ସ୍କୁଲ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅନୁଷ୍ଠାନ ପରିସରରେ ପାର୍କିଂ ହୋଇଥିବା ବସ୍ ଗୁଡିକୁ ନିଆଁ ଲଗାଇ ଦେଇଥିବା ପୋଲିସ କହିଛି । ଏହାସହ ପୋଲିସ ଉପରକୁ ପଥର ମାଡ କରିଥିଲେ ବିକ୍ଷୋଭକାରୀ । ପୋଲିସ ମଧ୍ୟ ସେମାନଙ୍କ ଉପକୁ ପାଲଟା ପଥର ଫୋପାଡିଥିଲା । କେତେକ ଆନ୍ଦୋଳନକାରୀ ପୋଲିସ ବସରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ । ବିକ୍ଷୋଭ ପାଇଁ ଟ୍ରାଫିକ ସମସ୍ୟା ଉପୁଜିଥିଲା । ଚେନ୍ନାଇ-ସାଲେମ ହାଇୱେ ଜାମ ହୋଇଥିଲା । ପୋଲିସ୍ ମହାନିର୍ଦ୍ଦେଶକ ସି ସିଲେନ୍ଦ୍ର ବାବୁ ଲୋକଙ୍କୁ ଶାନ୍ତି ରକ୍ଷା କରିବାକୁ ନିବେଦନ କରିଥିଲେ ଏବଂ ହିଂସା ନକରିବାକୁ ଚେତାବନୀ ଦେଇଥିଲେ।
ଜଣେ 17 ବର୍ଷୀୟ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଜୁଲାଇ 13ରେ ଚିନ୍ନାସାଲିମ ରେସିଡେଣ୍ଟାଲ କଲେଜ ଯୁକ୍ତଦୁଇରେ ପଢୁଥିବା ଛାତ୍ରୀ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । କଲେଜଠୁ 15 କିଲୋମିଟର ଦୂରରେ ଥିବା ହଷ୍ଟେଲରୁ ଛାତ୍ରୀ ଜଣଙ୍କ ମୃତଦେହ ମିଳିଥିଲା । ସେ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି । ମୃତ୍ୟୁ ପୂର୍ବରୁ ତାଙ୍କ ଶରୀରରେ ଆଘାତ ଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି । ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି । ଝିଅର ମୃତ୍ୟୁରେ ପରିବାର ସମ୍ପୂର୍ଣ୍ଣ ସ୍ତବ୍ଧ ହୋଇଛି । ଝିଅର ମୃତ୍ୟୁ ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ପରିବାର । ନ୍ୟାୟ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ପରିବାର । ଜୁଲାଇ 16ରେ ଲଗାତାର ଭାବେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଘଟଣାରେ ସିବିଆଇ ତଦନ୍ତ ଦାବି ହୋଇଛି ।