ଅମରାବତି: ଦକ୍ଷତା ବିକାଶ ଘୋଟାଲା ମାମଲାରେ ଗିରଫ ହୋଇ ଜେଲରେ ଥିବା ଆନ୍ଧ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନ୍ୟାୟିକ ହାଜତ ଅବଧିକୁ ଆସନ୍ତା ମାସ (ନଭେମ୍ବର) ପହିଲାକୁ ବୃଦ୍ଧି କରାଯାଇଛି । ନାଇଡୁ ଏବେ ରାଜମହେନ୍ଦ୍ରୀ କେନ୍ଦ୍ରୀୟ କାରାଗାରରେ ରହିଛନ୍ତି । ଆଜି ତାଙ୍କ ପୂର୍ବ ବିଚାର ବିଭାଗୀୟ ହାଜତ ଅବଧି ଶେଷ ହେବା ପରେ ତାଙ୍କୁ ଭର୍ଚ୍ଚୁଆଲି କୋର୍ଟରେ ହାଜର କରିଥିଲା ତଦନ୍ତକାରୀ ସଂସ୍ଥା ସିଆଇଡି । ବିଜୟଓ୍ବାଡା ଏସିବି କୋର୍ଟ ନାଇଡୁଙ୍କ ବିଚାର ବିଭାଗୀୟ ହାଜତ ଅବଧିକୁ ଆସନ୍ତା ମାସ ପହିଲା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।
ଚନ୍ଦ୍ରବାବୁ ନାଇଡୁ ମୁଖ୍ୟମନ୍ତ୍ରୀ ଥିବା ବେଳେ ରାଜ୍ୟରେ ଦକ୍ଷତା ବିକାଶ ଯୋଜନାରେ ପ୍ରାୟ 3 ଶହ କୋଟିର ଘୋଟାଲା ହୋଇଥିବା ଅଭିଯୋଗ ହୋଇଥିଲା । 2021ରେ ଏହି ଅଭିଯୋଗରେ ଚନ୍ଦ୍ରବାବୁଙ୍କ ବିରୋଧରେ ଏତଲା ଦାଏର କରାଯାଇଥିଲା । ଏହି ମାମଲାର ତଦନ୍ତ ଆନ୍ଧ୍ର ସିଆଇଡି ଦ୍ବାରା କରାଯାଉଛି । ଗତମାସ (ସେପ୍ଟେମ୍ବର) 9 ତାରିଖରେ ଚନ୍ଦ୍ରବାବୁଙ୍କୁ ଗିରଫ କରାଯାଇଥିଲା । ସେବେଠାରୁ ସେ ଜାମିନ ପାଇବାରେ ସଫଳ ହୋଇନାହାନ୍ତି । ଏକାଧିକ ଥର ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ଏବେ ରାଜମହେନ୍ଦ୍ରୀ କେନ୍ଦ୍ରୀୟ ଜେଲରେ ରଖାଯାଇଛି । ନାଇଡୁ ମଧ୍ୟ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି । ତାଙ୍କ ବିରୋଧରେ ଜାରି ରହିଥିବା ମାମଲା ମିଥ୍ୟା ଓ ଉଦ୍ଦେଶ୍ୟମୂଳକ । ତେଣୁ ତାକୁ ସମ୍ପୂର୍ଣ୍ଣ ଖାରଜ କରିବା ପାଇଁ ସର୍ବୋଚ୍ଚ କୋର୍ଟରେ ଆବେଦନ କରିଛନ୍ତି ଚନ୍ଦ୍ରବାବୁ ।
ଏହା ମଧ୍ୟ ପଢନ୍ତୁ :-‘ମୁଁ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପାଇଁ ପ୍ରସ୍ତୁତ, କିନ୍ତୁ ପଦ ମୋତେ ନୁହେଁ ’
ଅନ୍ୟପଟେ ଏହି ଘୋଟାଲା ମାମଲା ବ୍ୟତୀତ ଆନ୍ଧ୍ର ପ୍ରଦେଶ ବିଭାଜନ ପରେ ନୂତନ ପ୍ରସ୍ତାବିତ ରାଜଧାନୀ ଅମରାବତିର ଭିତ୍ତିଭୂମି ନିର୍ମାଣରେ ମଧ୍ୟ ଘୋଟାଲା ହୋଇଥିବା ଅଭିଯୋଗରେ ଚନ୍ଦ୍ରବାବୁଙ୍କ ନାମ ରହିଛି । ଅମରାବତି ଇନର-ରିଙ୍ଗରୋଡ ଦୁର୍ନୀତି ମାମଲାରେ ଚନ୍ଦ୍ରବାବୁଙ୍କ ପୁଅ ନାରା ଲୋକେଶ ମଧ୍ୟ ତଦନ୍ତକାରୀ ସଂସ୍ଥା ସ୍କାନରରେ ରହିଛନ୍ତି । ଏହି ମାମଲାରେ ନାଇଡୁ ଏବେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟରେ ଦ୍ବାରସ୍ଥ ହୋଇ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି । ଗତକାଲି ତାଙ୍କ ମାମଲାର ଶୁଣାଣି କରି କୋର୍ଟ ଆସନ୍ତା ମାସ 7 ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରିଛନ୍ତି । ଆଜି ଦକ୍ଷତା ବିକାଶ ଘୋଟାଲା ମାମଲାରେ ପୁଣି ଚନ୍ଦ୍ରବାବୁଙ୍କ ନ୍ୟାୟିକ ରିମାଣ୍ଡ ଅବଧି ବଢାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ