ପ୍ରତିବର୍ଷ ମାର୍ଚ୍ଚ ୧୬ ତାରିଖରେ ଭାରତରେ ମିଳିମିଳା ଟିକାକରଣ ଦିବସ ପାଳନ କରାଯାଏ । ଏହି ପ୍ରାଣନାଶକାରୀ ରୋଗର ମୁକାବିଲା ପାଇଁ ଟିକାକରଣର ମହତ୍ତ୍ୱ ସଂପର୍କରେ ଲୋକଙ୍କୁ ସଚେତନ କରିବା ହିଁ ଏହି ଦିବସର ମୂଳ ଲକ୍ଷ୍ୟ । ଏକ ନିରାପଦ ଓ ସୁଲଭ ମୂଲ୍ୟର ଟିକା ଉପଲବ୍ଧ ଥିଲେ ବି ୨୦୧୮ ମସିହାରେ ବିଶ୍ୱରେ ମିଳିମିଳାରେ ୧ ଲକ୍ଷ ୪୦ ହଜାର ଜଣ ପ୍ରାଣ ହରାଇଥିଲେ । ଏମାନଙ୍କ ମଧ୍ୟରେ ଅଧିକାଂଶ ଥିଲେ ଶିଶୁ ଥିଲେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟରୁ ଜଣାପଡିଛି । ୫ ବର୍ଷରୁ କମ୍ ବୟସର ପିଲାମାନେ ଏହି ରୋଗରେ ପଡିଥାନ୍ତି । ୨୦୦୦ରୁ ୨୦୧୮ ମସିହା ମଧ୍ୟରେ ସାରାବିଶ୍ୱରେ ଟିକାକରଣ ଯୋଗୁଁ ମିଳିମିଳା ମୃତ୍ୟୁ ସଂଖ୍ୟା ୭୩ ପ୍ରତିଶତ ହ୍ରାସ ପାଇଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ମିଳିମିଳା ହେଉଛି ଏକ ଉଚ୍ଚ ସଂକ୍ରମଣ ପ୍ରବଣ ରୋଗ ।ଏହା ଏକ ଭାଇରସ ଦ୍ୱାରା ହୁଏ । ଏହାର କ୍ୟୁରେଟିଭ ଟ୍ରିଟମେଂଟ୍ କିଛି ନାହିଁ । କେବଳ ଟିକାକରଣ ଦ୍ୱାରା ହିଁ ମିଳିିମିଳାର ଆରୋଗ୍ୟ ସମ୍ଭବ । ଟିକାକରଣ ସୁରକ୍ଷିତ ଓ ସୁଲଭ । ୧୯୬୩ ମସିହାରେ ମିଳିମିଳା ଟିକା ଉଦ୍ଭାବନ ହୋଇଥିଲା । ବ୍ୟାପକ ଟିକାକରଣ ପୂର୍ବରୁ ବିଶ୍ୱରେ ପ୍ରତି ୨ ରୁ ୩ ବର୍ଷ ଅନ୍ତରାଳରେ ପ୍ରମୁଖ ମହାମାରୀ ବ୍ୟାପୁଥିଲା । ଆଉ ମିଳିମିଳା ଯୋଗୁଁ ହିଁ ପ୍ରତିବର୍ଷ ୨ ଦଶମିକ ୬ ମିଲିଅନ ଲୋକ ପ୍ରାଣ ହରାଉଥିଲେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦର୍ଶାଇଛି ।
ପାରାମୋଇକ୍ସୋ ଭାଇରସ ଫ୍ୟାମିଲି ଅନ୍ତର୍ଗତ ଏକ ଭାଇରସ ଦ୍ୱାରା ମଳିମିଳା ବ୍ୟାପେ । ସଂକ୍ରମିତ ବ୍ୟକ୍ତି କାଶିଲେ ଓ ଛିଙ୍କିଲେ ପବନରେ ଭାଇରସ ବ୍ୟାପିଥାଏ । ସହଜରେ ଏହି ଭାଇରସ ମଣିଷର ଶ୍ୱସନ ପଥରେ ପ୍ରବେଶ କରି ଧୀରେ ଧୀରେ ସମଗ୍ର ଶରୀରକୁ ପ୍ରଭାବିତ କରେ । ଟିକା ନେଇ ନ ଥିବା ଛୋଟ ପିଲାମାନେ ଏହି ସଂକ୍ରମଣରେ ସଂକ୍ରମିତ ହେବା ଆଶଙ୍କା ଅଧିକ ରହିଥାଏ । ଟିକା ନେଇ ନ ଥିବା ଗର୍ଭବତୀ ମହିଳା ଓ ଟିକା ନେବା ସତ୍ତ୍ୱେ ପ୍ରତିରୋଧକ ବିକଶିତ ହୋଇ ନ ପାରିବା ଯୋଗୁଁ ଲୋକେ ସଂକ୍ରମିତ ହୁଅନ୍ତି ।
ଲକ୍ଷଣ
ଭାଇରସ ସଂସ୍ପର୍ଶରେ ଆସିବାର ୭ରୁ ୧୪ ଦିନ ମଧ୍ୟରେ ଲକ୍ଷଣ ଦେଖାଯାଏ । ଧୀରେ ଧୀରେ ଜଟିଳ ରୂପ ଧାରଣ କରେ ସଂକ୍ରମଣ । ସେଂଟର ଫର୍ ଡିଜିଜ୍ କଂଟ୍ରୋଲ ଆଣ୍ଡ୍ ପ୍ରିଭେନସନ (ସିଡିସି ) ଅନୁସାରେ ମିଳିମିଳାର ନିମ୍ନଲିଖିତ ଲକ୍ଷଣ ସବୁ ଦେଖାଯାଏ ।
୧. ମିଳିମିଳା ସଂକ୍ରମଣର ୭ରୁ ୧୪ ଦିନ ପରେ ପ୍ରାଥମିକ ଲକ୍ଷଣ
- .ଉଚ୍ଚ ଜ୍ୱର
- . କଫ
- . ସିଂଘାଣି ନାକ
- . ଆଖିରୁ ପାଣି ବୋହିବା, ଆଖି ଲାଲ୍ ଦିଶିବା
୨. ଲକ୍ଷଣ ଆରମ୍ଭ ହେବାର ୨-୩ ଦିନ ପରେ
- ଲକ୍ଷଣ ଆରମ୍ଭ ହେବାର ଦୁଇରୁ ତିନି ଦିନ ମଧ୍ୟରେ ଛୋଟ ଛୋଟ ଧଳା ଦାଗ ପାଟି ଭିତରେ ଦେଖାଯାଏ ।
୩. ଲକ୍ଷଣ ଦେଖାଯିବାର ୩ ରୁ ୫ ଦିନ ପରେ
- . ଲକ୍ଷଣର ୩ ରୁ ୫ ଦିନ ପରେ ଦେହସାରା ନାଲିଦାଗ ବ୍ୟାପିଯାଏ ।
- ମୁହଁ,ବେକ, ପିଠି,ବାହୁ ,ଗୋଡ ସବୁଠି ନାଲି ଦାଗ ଦେଖାଯାଏ ।
- . ନାଲିଦାଗ ଦେଖାଦେଲେ ପୀଡିତର ଜ୍ୱର ୧୦୪ ଡିଗ୍ରୀ ଫାରେନହିଟରୁ ଅଧିକ ହୋଇଯାଏ ।
ମିଳିମିଳାର ଜଟିଳତା
- . କାନ ସଂକ୍ରମଣ
- . ଡାଇରିଆ
- . ନିମୋନିଆ, ବ୍ରୋଙ୍କାଇଟିସ
- .ଏନସେଫାଲିଟିସ
- . ଗର୍ଭଧାରଣ ବେଳେ ସମସ୍ୟା
- . ଆଖି ସଂକ୍ରମଣ
- . ଅନ୍ଧତ୍ୱ
- ଟିକାକରଣ ବାବଦରେ
ଭାରତର ଜାତୀୟ ହେଲଥ ପୋର୍ଟାଲ ଅନୁସାରେ ସବୁ ପିଲାଙ୍କୁ ମିଳିମିଳାର ଦୁଇ ଡୋଜ୍ ଲେଖାଏଁ ଟିକା ଦେବାକୁ କୁହାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏହା କହିଛି । ମିଜଲ୍ସ-ରୁବେଲା ବା ମିସଜଲ୍ସ- ମମ୍ପସ୍-ରୁବେଲା-ଏମଏମଆର୍ କମ୍ବିନେସନ ଟିକା ପିଲାଙ୍କୁ ଦିଆଯାଇପାରେ । ଭାରତରେ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ୯ରୁ ୧୨ ମାସର ଛୁଆଙ୍କୁ ମିଜଲ୍ସ ରୁବେଲା (ଏମଆର ) ର ପ୍ରଥମ ଡୋଜ୍ ଓ ୧୬ରୁ ୨୪ ମାସ ବେଲେ ଛୁଆଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଏ ।