ଲକ୍ଷ୍ନୌ: ଆଗକୁ ଆସୁଛି ଉତ୍ତରପ୍ରଦେଶ ନିର୍ବାଚନ । ୪୦୩ଟି ଆସନରେ ନିର୍ବାଚନ ହେବାକୁ ଥିବା ବେଳେ ଗଡ ହାତେଇବା ପାଇଁ ଏବେ ଦଳ ଦଳ ମଧ୍ୟରେ ଆରମ୍ଭ ହେଲାଣି କସରତ । ଏଥିରୁ ବାଦ ପଡିନାହିଁ ଶିବସେନା । ଆସନ୍ତା ୨୦୨୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲଢିବ ଶିବସେନା । ଏନେଇ ଗତକାଲି (ଶନିବାର) ଶିବସେନା ଆଞ୍ଚଳିକ କାର୍ଯ୍ୟନିର୍ବାହୀ ସଂସ୍ଥାର ବୈଠକ ପରେ ଘୋଷଣା କରିଛି ଦଳ ।
ଶିବସେନା ଲୋକଙ୍କ ସ୍ବର ହେବ ଏବଂ ୟୁପିରେ ବିଜେପିର ମୁକାବିଲା ପାଇଁ ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଦେବ ଶିବସେନା । ସଂଗଠନକୁ ମଜବୁତ କରିବା ପାଇଁ ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀରେ ସଂଯୋଜକଙ୍କୁ ମଧ୍ୟ ନିଯୁକ୍ତ କରିଛି ଶିବସେନା । ରାଜ୍ୟ ନେତାଙ୍କ ପ୍ରତିନିଧି ଦଳ ଖୁବଶୀଘ୍ର ନିର୍ବାଚନ ରିପୋର୍ଟ ପ୍ରଦାନ କରିବେ ବୋଲି ମଧ୍ୟ ଦଳ ପକ୍ଷରୁ କୁହାଯାଇଛି ।
ତେବେ ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉତ୍ତରପ୍ରଦେଶରେ ବିଜୟ ଅଭିଯାନ ବୁଥ ଆରମ୍ଭ କରି ଭିଡିଓ କନଫରେସିଂ ଜରିଆରେ ରାଜ୍ୟର ୨୭ ହଜାର ବୁଥରେ ଶ୍ରମିକମାନଙ୍କୁ ସମ୍ଭୋଧିତ କରିଥିଲେ ।
ସେପଟେ ନିର୍ବାଚନ ପାଇଁ କଂଗ୍ରେସର ସାଧାରଣ ସମ୍ପାଦିକ ପ୍ରିୟଙ୍କା ଗାନ୍ଧୀ ୨ ଦିନ ହେଲା ରାଜ୍ୟରେ ରହି ମତଦାନ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ରାଜ୍ୟରେ ୧୨ହଜାର କିଲୋମିଟର ଦୂର ପର୍ଯ୍ୟନ୍ତ ପ୍ରତିଦିନ ଯାତ୍ରା କରିବ । ଦଳର ରାଜ୍ୟ ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଅଧ୍ୟକ୍ଷତାରେ ଉତ୍ତରପ୍ରଦେଶ କଂଗ୍ରେସର ପରାମର୍ଶଦାତା ଏବଂ ରଣନୀତି କମିଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।