ଲକ୍ଷ୍ନୌ: ଶ୍ରାବଣ ମାସରେ ଶିବଙ୍କୁ ଉପାସନା କରିଥିଲେ । ବିବାହ ପାଇଁ ଶିବଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ହେ ପ୍ରଭୁ ଗୋଟେ ଭଲ କନ୍ୟାଟିଏ ଦେଇ ଦିଅ ଖୁବଶୀଘ୍ର ମୋର ବିବାହ ହୋଇଯାଉ । ମନରେ ଏପରି ଆଶା ରଖି ଶିବଙ୍କୁ ଶ୍ରାବଣ ମାସ ସାରା ପୂଜାର୍ଚ୍ଚନା କରିଥିଲେ । ଶ୍ରାବଣ ମାସ ସରିଗଲା, କିନ୍ତୁ ଯୁବକଙ୍କ ବିବାହ ହୋଇ ପାରିଲାନାହିଁ । ଶେଷରେ ମନ୍ଦିରରୁ ଶିବ ଲିଙ୍ଗ ଚୋରି କରି ନେଲେ ଯୁବକ । ଏପରି କୌତୁହଳପୂର୍ଣ୍ଣ ଘଟଣା ଘଟିଛି ଉତ୍ତରପ୍ରଦେଶରେ । କୌଶମ୍ବି ଜିଲ୍ଲାର ଭୈରୋ ବାବା ମନ୍ଦିରରଙ୍କୁ ଶିବଲିଙ୍ଗ ଚୋରି ହୋଇଥିବା ଅଭିଯୋଗ ପରେ ପୋଲିସ ଛୋଟୁ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି । ଏକ କ୍ଷେତରେ ଶିବ ଲିଙ୍ଗ ଯୁବକ ଜଣଙ୍କ ଲୁଚାଇ ରଖିଥିବା ପୋଲିସ କହିଛି ।
ମିଳିଥିବା ସୂଚନା ଅନୁଯାୟୀ, 27 ବର୍ଷୀୟ ଯୁବକ ଛୋଟୁ ଚଳିତ ବର୍ଷ ଶ୍ରାବଣ ମାସରେ ଶିବ ଉପାସନା କରିଥିଲେ । ପ୍ରତି ସୋମବାର କୌଶମ୍ବି ଜିଲ୍ଲାର ଭୈରୋ ବାବା ମନ୍ଦିରକୁ଼ ଯାଇ ଶିବଙ୍କ ମୁଣ୍ଡରେ ପାଣି ଢାଳିବା ସହ ପୂଜାର୍ଚ୍ଚନା କରୁଥିଲେ । ଏଥିସହ ନିଜ ବିବାହର ଇଚ୍ଛା ପୂରଣ କରିବାକୁ ଠାକୁରଙ୍କ କହୁଥିଲେ । କିନ୍ତୁ ଶ୍ରାବଣ ମାସ ସରିଯିବା ପରେ ମଧ୍ୟ ଯୁବକଙ୍କ ବିବାହ ହେଲା ନାହିଁ । ଶେଷରେ ଠାକୁରଙ୍କ ଉପରେ ରାଗିଯାଇ ମନ୍ଦିରରୁ ଶିବ ଲିଙ୍ଗ ଚୋରି କରିବାକୁ ଚିନ୍ତା କଲେ । ମନ୍ଦିରରେ କେହି ଭକ୍ତ ନଥିବା ବେଳେ ଏହାର ସୁଯୋଗ ନେଇ ଯୁବକ ଜଣଙ୍କ ଶିବଲିଙ୍ଗ ଚୋରି କରି ନେଇଥିଲେ ।
ଏହା ମଧ୍ୟ ପଢନ୍ତୁ- ଆସୁଛି ଶ୍ରାବଣ, ପୁରୀ ଲାଇଟ ହାଉସ ବେଳାଭୂମିରୁ ଉଦ୍ଧାର ହେଲା ଶିବ ଲିଙ୍ଗ
ତେବେ କିଛି ଭକ୍ତ ମନ୍ଦିର ଯାଇଥିବା ବେଳେ ଶିବ ଲିଙ୍ଗ ନଥିବା ଦେଖିବାକୁ ପାଇଥିଲେ । ଏହାପରେ ମନ୍ଦିର କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ମେହେଭା ଘାଟ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣା ତଦନ୍ତ ଆରମ୍ଭ କରି କୁମହିୟାୱା ଗ୍ରାମର ଛୋଟୁ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି ।
ମହେଭା ଘାଟ ପୋଲିସ ଅଧିକାରୀ ରଜନୀକାନ୍ତଙ୍କ କହିବାନୁସାରେ, ଚୋରି ହୋଇଥିବା ଶିବଲିଙ୍ଗ ଏକ କ୍ଷେତରେ ପତ୍ର ଓ ବାଉଁଶ ତଳେ ଯୁବକ ଜଣଙ୍କ ଲୁଚାଇ ରଖିଥିଲେ । ଧାରା 379 ଅନୁଯାୟୀ ଅଭିଯୁକ୍ତଙ୍କୁ ଗିରଫ ପରେ ଜେଲ ପଠାଇ ଦିଆଯାଇଛି । ଯୁବକ ଜଣଙ୍କ ନିଜ ଦୋଷ ସ୍ବୀକାର କରିଛନ୍ତି । ସେ କହିଛନ୍ତି ଯେ, ପବିତ୍ର ଶାବଣ ମାସରେ ମୁଁ ଉପବାସ ରଖି ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିଥିଲି । ମୋର ବିବାହ ହୋଇଯାଉ ବୋଲି ପ୍ରାର୍ଥନା କରିଥିଲି । କିନ୍ତୁ ମୋର ଇଚ୍ଛା ଭଗବାନ ପୂରଣ ନକରିବାକୁ ମୁଁ ରାଗିଯାଇ ଶିବଲିଙ୍ଗ ମନ୍ଦିରରୁ ଚୋରି କରିନେଇଥିଲି ।