ହାଇଦ୍ରାବାଦ: ଆସନ୍ତାବର୍ଷ (2024) ପୂର୍ବରୁ ଦେଶରେ ରହିବନି ଲାଲ ବାହିନୀର ଅସ୍ତିତ୍ୱ । ସମଗ୍ର ଦେଶରୁ ନକ୍ସଲବାଦକୁ ସଫା କରିବାରେ ସଫଳ ହେବେ ସୁରକ୍ଷାବଳ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Amit Shah statement on Naxalism)। ଛତିଶଗଡର କୋରବା ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଶାହ ଆଜି ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ଅବସରରେ ଲାଲ ତାଣ୍ଡବର ମୂଳୋତ୍ପାଟନ ନେଇ ଏପରି ସଙ୍କେତ ଦେଇଛନ୍ତି ।
ଶାହ ତାଙ୍କ ଅଭିଭାଷଣରେ କହିଛନ୍ତି, ‘‘ଆମେ ନକ୍ସଲବାଦ ଦ୍ବାରା ପ୍ରଭାବିତ ଅଞ୍ଚଳକୁ ନକ୍ସଲଙ୍କଠାରୁ ମୁକ୍ତ କରିବାର ଦିଗରେ ସଫଳତାର ସହ ଆଗକୁ ବଢୁଛୁ । 2009 ମସିହାରେ କଂଗ୍ରେସ ଶାସନ କାଳରେ ସମଗ୍ର ଦେଶରେ 2258 ନକ୍ସଲ ହିଂସା ସାମ୍ନାକୁ ଆସିଥିଲା (Amit Shah statement on Naxalism)। 2021 ମସିହାରେ, ଏହି ନକ୍ସଲ ଆକ୍ରମଣ ଘଟଣା ମାତ୍ର 509କୁ ହ୍ରାସ ପାଇଛି । ନସ୍କଲ ଦମନ କ୍ଷେତ୍ରରେ ସୁରକ୍ଷାବଳ ସଫଳତାର ସହ କାର୍ଯ୍ୟ କରୁଛି । 2024 ନିର୍ବାଚନ ପୂର୍ବରୁ ସମଗ୍ର ଦେଶକୁ ନକ୍ସଲବାଦ କବଳରୁ ମୁକ୍ତ କରିବା ଆମର ପ୍ରୟାସ ଜାରି ରହିଛି । ଖୁବଶୀଘ୍ର ଆମେ ଏଦିଗରେ ସଫଳ ହେବୁ ।’’
ସେହିପରି ବିଜେପି ସରକାରର ସଫଳତା ବଖାଣିବାକୁ ଯାଇ କହିଛନ୍ତି, ସଶସ୍ତ୍ର ବିଳ୍ପବ ପାଇଁ ଅସ୍ତ୍ର ଧରିଥିବା ଯୁବକଙ୍କୁ ସାମାଜର ମୁଖ୍ୟସ୍ରୋତକୁ ଫେରାଇ ଆଣିବା ପାଇଁ ସମସ୍ତ ପ୍ରକାର ସହୟତା କରାଯାଇଛି । ଯୁବକଙ୍କୁ ରୋଜଗାର, ଗାଁରେ ଟେଲିଫୋନ୍ ଟାୱାର ପ୍ରତିଷ୍ଠା, ଭଲ ରାସ୍ତା, ପିଇବା ପାଣି, ବିଦ୍ୟାଳୟ ଆଦି ନିର୍ମାଣ କରାଯାଇଛି । ଅନ୍ୟପକ୍ଷରେ, ଯେଉଁମାନେ ଅସ୍ତ୍ର ଧରି ହିଂସା ଘଟାଇବାକୁ ଚାହାନ୍ତି, ସେମାନଙ୍କୁ ମଧ୍ୟ କଡା ମୁକାବିଲା କରିବା ପାଇଁ ନରେନ୍ଦ୍ର ମୋଦି ନେତୃତ୍ବାଧୀନ ସରକାର ସମ୍ପୂର୍ଣ୍ଣ ପ୍ରଭାବୀ ଭାବେ କାର୍ଯ୍ୟ ଜାରି ରଖିଥିବା ଶାହ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ