ପାଣାଜୀ: ଗୋଆ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରଦାର ହେବାରେ ଲାଗିଥିବା ବେଳେ ଆଜି ପହଞ୍ଚିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ତେବେ ଶାହା ନିର୍ବାଚନ ପାଇଁ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବା ସହ ଦଳୀୟ ନେତାଙ୍କ ସହ ମଧ୍ୟ ରଣନୀତି ନେଇ ଆଲୋଚନା କରିବେ ।
ସେହିପରି ଚଳିତ ବର୍ଷ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ସର୍ବସାଧାରଣ ସ୍ଥାନରେ ଜନସଭା ଓ ରାଲି ନେଇ କଟକଣା ଜାରି କରିବା ସହ ଡିଜିଟାଲ କ୍ୟାମ୍ପେନିଂ ଉପରେ ଗୁରୁତ୍ବାରୋପ କରିଥିଲେ । ତେଣୁ ଶାହା ମଧ୍ୟ ଦଳର ସୋସିଆଲ ମିଡିଆ କାର୍ଯ୍ୟକର୍ତ୍ତାଙ୍କ ସହ ବିଶେଷ ଆଲୋଚନା କରିବେ । ସୋସିଆଲ ମିଡିଆରେ ପ୍ରଚାର ରଣନୀତି ନେଇ ନେତା ଓ କର୍ମୀଙ୍କୁ କିଛି ମନ୍ତ୍ର ଦେବା ସହ କିଛି ଟାର୍ଗେଟ ମଧ୍ୟ ପ୍ରଦାନ କରିପାରନ୍ତି ବୋଲି ସୂଚନା ମିଳିଛି ।
ନିକଟ ଅତୀତରେ ଶାହା ଉତ୍ତର ପ୍ରଦେଶରେ ମାରାଥନ ପ୍ରଚାର କରିଥିଲେ । ଏକାଧିକ ଥର ଉତ୍ତର ପ୍ରଦେଶ ଗସ୍ତ କରି ଡୋର ଟୁ ଡୋର କ୍ୟାମ୍ପେନିଂ ଜରିଆରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିବା ବେଳେ ଆଜି ଗୋଆରେ ପହଞ୍ଚିଛନ୍ତି ଶାହା । 40 ବିଧାନସଭା ଆସନ ବିଶିଷ୍ଟ ଗୋଆରେ ବିଜେପି କ୍ଷମତାରେ ଥିବାବେଳେ ଚଳିତ ବର୍ଷ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଓ କେଜ୍ରିଓ୍ବାଲଙ୍କ ଆପ ପ୍ରତିଦ୍ବନ୍ଦୀ ଭାବେ ପ୍ରମୁଖ ବିଜେପିକୁ ଚ୍ୟାଲେଞ୍ଜ ଦେଉଛନ୍ତି । ଫେବୃଆରୀ ୧୪ ତାରିଖରେ ଗୋଟିଏ ପର୍ଯ୍ୟାୟରେ ଗୋଆରେ ମତଦାନ ଶେଷ ହେବା ସହ ମାର୍ଚ୍ଚ ୧୦ ତାରିଖରେ ଫଳାଫଳ ପ୍ରକାଶ ପାଇବ ।
ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ