ଲକ୍ଷ୍ନୌ: ସମ୍ପତ୍ତି ପାଇଁ ପୁତୁରାକୁ ହତ୍ୟା କଲା ଦାଦା । ଜନଗହଳି ପୂର୍ଣ୍ଣ ରାସ୍ତାରେ କଲା ଛୁରାମାଡ । ଉତ୍ତର ପ୍ରଦେଶ ମିରଟରେ ଦେଖିବାକୁ ମିଳିଛି ଏଭଳି ଛାତିଥରା ହତ୍ୟାକାଣ୍ତ । ହତ୍ୟା ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ତେବେ ମୃତକ ହେଉଛନ୍ତି ମିରଟର ବାସିନ୍ଦା ସାଜିଦ୍ ।
ସୂଚନା ଅନୁସାରେ, ଉତ୍ତର ପ୍ରଦେଶ ମିରଟ ଅଞ୍ଚଳ ଫିରୋଜନଗରରେ ରୁହନ୍ତି ମହମ୍ମଦ ୟୁନୁସଙ୍କ ପରିବାର । ସ୍ତ୍ରୀ, ପାଞ୍ଚ ପୁଅ ଓ ଗୋଟିଏ ଝିଅକୁ ନେଇ ସଂସାର । ସମ୍ପତ୍ତିକୁ ନେଇ ମହମ୍ମଦ ୟୁନୁସଙ୍କ ପରିବାର ସହିତ ଦୀର୍ଘ ଦିନ ଧରି ସାଜିଦଙ୍କ ଦାଦାଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ହେଲେ ରବିବାର ଅପରାହ୍ନରେ ସାଜିଦ ଦୋନାକ ବନ୍ଦ କରି ନମାଜ ପାଠ କରି ମସଜିଦରୁ ଫେରୁଥିଲେ । ଏହି ସମୟର ଏକ ସ୍କୁର୍ଟିରେ ତିନି ଦୁର୍ବୃତ୍ତ ଆସି ତାଙ୍କୁ ଛୁରାରେ ଆକ୍ରମଣ କରିଥିଲେ । ଜନଗହଳି ପୂର୍ଣ୍ଣ ରାସ୍ତାରେ ସାଜିଦଙ୍କୁ ଲଗାତାର ଛୁରାମାଡ ହେଉଥିଲେ ମଧ୍ୟ ତାଙ୍କୁ ରକ୍ଷା କରିବା ପାଇଁ କେହି ଆସି ନଥିଲେ । ପରେ ସେଠାରୁ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ ।
ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତଦେହକୁ ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି । ହତ୍ୟାକାଣ୍ଡର ପୁରା ଘଟଣା ସିସିଟିଭିରେ କଏଦ ହୋଇଥିଲା । ଯେଉଁଥିରେ ତିନି ଜଣଙ୍କର ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ହତ୍ୟାକାରୀଙ୍କ ମଧ୍ୟରୁ ସାଜିଦଙ୍କ ଦାଦା ଶାହଜାଦ୍, ଜାଭେଦ୍ ଓ ନୈସଦ୍ ରହିଛନ୍ତି । ତିନି ଜଣଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ସେପଟେ ସିଟି ଏସପି SP City (Vineet Bhatnagar) କହିଛନ୍ତି ଯେ, ସମ୍ପତ୍ତି ପାଇଁ ଏ ହତ୍ୟାକାଣ୍ତ ଘଟିଛି । ଖୁବଶିଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ