ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିରେ ଏକ ବଡ ସମ୍ଭାବନା ସାମ୍ନାକୁ ଆସିଛି । ବେଲାରୁଷରେ ଉଭୟ ପକ୍ଷଙ୍କ ମଧ୍ୟରେ ଶାନ୍ତି ଆଲୋଚନା ହେବା ନେଇ ସହମତି ପ୍ରକାଶ କରିଛି ୟୁକ୍ରେନ । ପୂର୍ବରୁ ୟୁକ୍ରେନ ଏହି ପ୍ରସ୍ତାବରେ ଅସହମତି ପ୍ରକାଶ କରିଥିବାବେଳେ ସନ୍ଧ୍ୟାରେ ଏନେଇ ପୁନଃ ସହମତ ହୋଇଛି । ତେବେ ଆଲୋଚନା ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ବେଲାରୁଷ ରାଷ୍ଟ୍ରପତିଙ୍କ ସହ କଥା ମଧ୍ୟ ହୋଇଥିବା ସୂଚନା ରହିଛି ।
ମିଳିଥିବା ସୂଚନା ଅନୁସାରେ, ୟୁକ୍ରେନ ଓ ବେଲାରୁଷ ସୀମାବର୍ତ୍ତୀ ଅଞ୍ଚଳରେ ଥିବା ପ୍ରିପାୟତ ନଦୀକୂଳରେ ଏହି ଉଭୟ ପକ୍ଷର ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଶାନ୍ତି ଆଲୋଚନାରେ ଅଂଶଗ୍ରହଣ କରିବେ । ଆଜି ଅପରାହ୍ନରେ ଋଷ ପକ୍ଷରୁ ଶାନ୍ତି ଆଲୋଚନା ପ୍ରସ୍ତାବ ଆସିଥିଲେ ସୁଦ୍ଧା ସ୍ଥାନ ପରିବର୍ତ୍ତନ କରିବା କହିଥିଲା ୟୁକ୍ରେନ । ବେଲାରୁଷ ଋଷର ସହଯୋଗୀ ରାଷ୍ଟ୍ର ହୋଇଥିବାରୁ ସେଠାରେ ଆଲୋଚନା ହୋଇପାରିବ ନାହିଁ ବୋଲି କହିଥିଲେ ୟୁକ୍ରେନ ରାଷ୍ଟ୍ରପତି । ତେବେ ପରେ ଏନେଇ ୟୁକ୍ରେନ ସହମତି ପ୍ରକାଶ କରିଛି ।
ତେବେ ୟୁକ୍ରେନରେ ଋଷର ପ୍ରଚଣ୍ଡ ଆକ୍ରମଣ କ୍ରମାଗତ ୪ ଦିନରେ ପହଞ୍ଚିଛି । ୟୁକ୍ରେନ ସେନା ମଧ୍ୟ ଋଷ ସେନା ସହ ଲଢୁଥିବାବେଳେ ଯୁଦ୍ଧ ଉଗ୍ର ରୂପ ଧାରଣ କରିବାରେ ଲାଗିଛି । ବିଶ୍ବର ଅନ୍ୟ ପ୍ରମୁଖ ରାଷ୍ଟ୍ରମାନେ ମଧ୍ୟ ଋଷକୁ ଆକ୍ରମଣ ବନ୍ଦ କରିବା ସହ ସୈନ୍ୟ ପ୍ରତ୍ୟାହାର କରିବା ପାଇଁ ଚାପ ପକାଉଥିବା ବେଳେ ଋଷ କୌଣସି ତାଗିଦକୁ ଖାତିର କରୁନାହିଁ । ଏପରି ସ୍ଥିତିରେ ଏହି ଶାନ୍ତି ଆଲୋଚନା ଯୁଦ୍ଧକୁ ସମାପ୍ତ କରିବ ବୋଲି ବିଶ୍ବବ୍ୟାପୀ ଆଶା କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ