ଲଣ୍ଡନ: ବ୍ରିଟେନରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ସଂକ୍ରମଣ ଜନିତ ପ୍ରଥମ ମୃତ୍ୟୁ ଘଟଣା । ପ୍ରାଣ ହରାଇଥିବା ସଂକ୍ରମିତ ଜଣଙ୍କ କୋଭିଡର ନୂଆ ଭ୍ୟାରିଏଣ୍ଟରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନେଇ ସ୍ପଷ୍ଟ କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଓମିକ୍ରନ ସଂଙ୍କଟ ସାମ୍ନାକୁ ଆସିବା ପରେ ବ୍ରିଟେନ ସରକାର ଯୁଦ୍ଧାକାଳୀନ ଭିତ୍ତିରେ ବୁଷ୍ଟର ଡୋଜ ଟିକାକରଣ ପ୍ରକ୍ରିୟା ଆରମ୍ଭ କରିଥିବା ମଧ୍ୟ କହିଛନ୍ତି ବୋରିସ ।
ପ୍ରଧାନମନ୍ତ୍ରୀ ଜନସନ ପଶ୍ଚିମ ଲଣ୍ଡନରେ ଏକ ଟିକାକରଣ କେନ୍ଦ୍ର ପରିଦର୍ଶନ କରିବା ଅବସରରେ କହିଛନ୍ତି, ବ୍ରିଟେନର ନୂଆ ଭୂତାଣୁ ସଂକ୍ରମଣ ଚିନ୍ତାଜନକ ସ୍ଥିତିରେ ରହିଛି । ଦେଶରେ ବର୍ତ୍ତମାନ ଜଣଙ୍କ ମୃତ୍ୟୁ ସାମ୍ନାକୁ ଆସିଥିବାବେଳେ ଇଂଲଣ୍ଡରେ ଜାତୀୟ କୋଭିଡ ଆଲର୍ଟ ଜାରି କରାଯାଇଛି । ଟିକାକରଣକୁ ତ୍ବାରନ୍ବିତ କରାଯିବା ସହ ବୁଷ୍ଟର ଡୋଜ ପ୍ରଦାନ ଉପରେ ମଧ୍ୟ ପ୍ରାଥମିକତା ଦିଆଯାଉଛି ।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO)ର ତଥ୍ୟ ଅନୁସାରେ, ଏହି ନୂଆ ପ୍ରଜାତି ଓମିକ୍ରନ ଡେଲ୍ଟା ଷ୍ଟ୍ରେନ୍ ଅପେକ୍ଷା ଅଧିକ ସଂକ୍ରାମକ । ମିଳିତ ଜାତିସଂଘର ସ୍ୱାସ୍ଥ୍ୟ ଏଜେନ୍ସି ରିପୋର୍ଟରେ ଦର୍ଶାଯାଇଛି ଯେ ଡିସେମ୍ବର 9 ସୁଦ୍ଧା ଅତି କମରେ 63ଟି ଦେଶରେ ଓମିକ୍ରନର ଭ୍ୟାରିଏଣ୍ଟ ଚିହ୍ନଟ ହୋଇସାରିଲାଣି । ବର୍ତ୍ତମାନର ବ୍ରିଟେନ ସ୍ଥିତିକୁ ଦେଖି ୨୦୨୨ ସୁଦ୍ଧା ବ୍ରିଟେନରେ 74,800 ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାର ଆଶଙ୍କା ମଧ୍ୟ କରିଛନ୍ତି କିଛି ସ୍ବାସ୍ଥ୍ୟ ବିଶେଷଜ୍ଞ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ