ନୂଆଦିଲ୍ଲୀ: 1984 ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ବରିଷ୍ଠ କଂଗ୍ରେସ ନେତା ଜଗଦୀଶ ଟାଇଟଲର ସିବିଆରେ ହାଜର ହୋଇଛନ୍ତି । ତଦନ୍ତକାରୀ ସଂସ୍ଥା ପକ୍ଷରୁ ତାଙ୍କର କଣ୍ଠସ୍ବର ନମୂନା ବା ଭଏସ ସାମ୍ପଲ ସଂଗ୍ରହ କରାଯାଇଛି । ପୂର୍ବରୁ ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଥିବା କଂଗ୍ରେସର ଏହି ପୂର୍ବତନ ସାଂସଦ ତଥା ପୂର୍ବ କେନ୍ଦ୍ରମନ୍ତ୍ରୀ ଟାଇଟଲରଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା 3ଥର କ୍ଲିନଚିଟ୍ ଦେଇସାରିଥିଲା । ହେଲେ 2015 ରେ ତାଙ୍କ ବିରୋଧରେ ଏହି ମାମଲାର ତଦନ୍ତ ଜାରି ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାର ତଦନ୍ତ ଏବେ ଜାତୀୟ ତଦନ୍ତ ବ୍ୟୁରୋ (CBI) ଦ୍ବାରା ଜାରି ରହିଛି ।
ସମନ ପାଇବା ପରେ ଟାଇଟଲର ଦିଲ୍ଲୀ ସ୍ଥିତ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଥିଲେ । ସେଠାରୁ ତାଙ୍କୁ କେନ୍ଦ୍ରୀୟ ଫୋରେନସିକ ସାଇନ୍ସ ଲାବରୋଟେରୀକୁ ନିଆଯାଇଥିଲା । ସେଠାରେ ତାଙ୍କର କଣ୍ଠସ୍ବର ନମୂନା ରେକର୍ଡ କରିଛି ତଦନ୍ତକାରୀ ସଂସ୍ଥା । ଉକ୍ତ ଦଙ୍ଗାରେ ଟାଇଟଲର ଇନ୍ଦିରାଙ୍କ ହତ୍ୟାକାରୀ ଗୋଷ୍ଠୀକୁ ମରଣାନ୍ତକ ଆକ୍ରମଣ କରିବା ପାଇଁ ଭାଷଣ ମାଧ୍ୟମରେ କଂଗ୍ରେସ କର୍ମୀ ଓ ସାଧାରଣ ଜନତାଙ୍କୁ ଉତ୍ତେଜିତ କରିଥିବାର ଅଭିଯୋଗ ହୋଇଥିଲା । ତେବେ ଟାଇଟଲର ଏପରି ମନ୍ତବ୍ୟ ଦେଇଥିବା ଅଡିଓ ମଧ୍ୟ ପୋଲିସ ହାତରେ ଲାଗିଥିଲା । ହେଲେ ଅଦ୍ୟାବଧି ଏହାର ସତ୍ୟତା ପ୍ରମାଣିତ ହୋଇପାରିନାହିଁ । ଏବେ ସିବିଆଇ ସଂଗ୍ରହ କରିଥିବା ତାଙ୍କ ଭଏସ ସାମ୍ପଲକୁ ଉକ୍ତ ମନ୍ତବ୍ୟର ଅଡିଓ କ୍ଲିପ ସହ ମେଳ କରାଯିବ ।
1984 ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଏହି ଦଙ୍ଗା ଦେଖାଯାଇଥିଲା । ଇନ୍ଦିରାଙ୍କ ଅଙ୍ଗରକ୍ଷୀ ଦାୟିତ୍ବରେ ଥିବା ଶିଖ୍ ସୁରକ୍ଷାକର୍ମୀଙ୍କ ଗୁଳିରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ଶିଖମାନେ ଆକ୍ରମଣର ଶିକାର ହୋଇଥିଲେ । ଉତ୍ତର-ଦିଲ୍ଲୀରେ ନଭେମ୍ବର ପହିଲାରେ ଏହି ଦଙ୍ଗାରେ ଶିଖ ସମ୍ପ୍ରଦାୟ ସମେତ ଅନେକ ଲୋକେ ପ୍ରାଣ ହରାଇଥିଲେ । ତତ୍କାଳୀନ କଂଗ୍ରେସର ଅନେକ ନେତାଙ୍କ ଉପେର ଏହି ଦଙ୍ଗାକୁ ଉତ୍ସାହିତ କରିବାର ଅଭିଯୋଗ ମଧ୍ୟ ରହିଛି । ଅଭିଯୁକ୍ତମାନଙ୍କ ମଧ୍ୟରୁ କଂଗ୍ରେସର ତତ୍କାଳୀନ ଯୁବନେତା ଜଗଦୀଶ ଟାଇଟଲର ମଧ୍ୟ ଦୀର୍ଘ ଦଶନ୍ଧି ଧରି ତଦନ୍ତ ପରିସରରେ ଥିଲେ । ଏବେ ଏହି ଦଙ୍ଗାକୁ 39ବର୍ଷ ବିତି ସାରିଥିଲେ ସୁଦ୍ଧା ଏବେ ମଧ୍ୟ ଅନେକ କଂଗ୍ରେସ ନେତାଙ୍କ ବିରୋଧରେ ମାମଲା ଜାରି ରହିଛି । ଏମାନଙ୍କ ମଧ୍ୟରୁ କିଛି କ୍ଲିନଚିଟ ପାଇସାରିଥିବା ବେଳେ ଏବେ ମଧ୍ୟ କିଛି ବରିଷ୍ଠ ନେତା ତଦନ୍ତ ପରିସରରେ ରହିଛନ୍ତି ।
ପୂର୍ବରୁ ଟାଇଟଲର ଏହି ମାମଲାରେ କ୍ଲିନଚିଟ ପାଇସାରିଥିଲେ ସୁଦ୍ଧା, 2015ରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ସେ ପୁଣି ଥରେ ତଦନ୍ତ ପରିଧିକୁ ଟାଣି ହୋଇଆସିଥିଲେ । 2018 ରେ ଭାରତୀୟ ଜନତା ପାର୍ଟି ପୁଣି ଥରେ ଏହି ପ୍ରସଙ୍ଗ ଉଠାଇ ତାଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲା । ଏପରିକି ତାଙ୍କ ବିରୋଧରେ ପୁଣି ଏକ ନୂଆ ମାମଲା ମଧ୍ୟ ରୁଜୁ ହୋଇଥିଲା । କଂଗ୍ରେସର ଏହି ବରିଷ୍ଠ ନେତା 2004 ରେ ମନମୋହନ ସିଂଙ୍କ ନେତୃତ୍ବାଧୀନ ୟୁପିଏ-1 ସରକାରରେ ମନ୍ତ୍ରୀ ଭାବେ ପଦ ସମ୍ଭାଳିଥିଲେ । ଅବଶ୍ୟ ଏହାକୁ ପ୍ରବଳ ବିରୋଧ ମଧ୍ୟ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ