ନୂଆଦିଲ୍ଲୀ: କୋରୋନାର ତୃତୀୟ ଲହରୀ ପୂର୍ବରୁ ଆରମ୍ଭ ହୋଇଛି ଶିଶୁଙ୍କ ଉପରେ ଟୀକାକରଣର ଟ୍ରାଏଲ । ଏବେ 2ରୁ 6 ବର୍ଷର 5 ଜଣ ଶିଶୁଙ୍କୁ ଲାଗିସାରିଛି ଟିକା । ପ୍ରଥମ ଥର ପାଇଁ 2ରୁ 8 ମାସର ଶିଶୁକନ୍ୟାକୁ ମଧ୍ୟ ଦିଆଯାଇଛି ଭ୍ୟାକ୍ସିନ ।
କାନପୁରର ଦେହାତରେ ଜଣେ ଡାକ୍ତର ନିଜ ଝିଅ ଉପରେ କୋଭାକ୍ସିନର ଟ୍ରାଏଲ ପାଇଁ ଟୀକାକରଣ କରିଛନ୍ତି । ଏହି ଶିଶୁଙ୍କୁ ଟିକା ଦିଆଯିବା ପୂର୍ବରୁ ରକ୍ତ ନମୁନା ନିଆଯାଇଥିଲା । ବର୍ତ୍ତମାନ ସମସ୍ତ ଶିଶୁ ସୁସ୍ଥ ଅଛନ୍ତି ।
ସେପଟେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ମଧ୍ୟ ଶିଶୁଙ୍କୁ କୋରୋନାରୁ ସୁରକ୍ଷା ଦେଉଥିବା କୋଭୋଭ୍ୟାକ୍ସ ଭ୍ୟାକ୍ସିନର ଟ୍ରାଏଲ ଜୁଲାଇ ସୁଦ୍ଧା ଆରମ୍ଭ ହେବା ନେଇ ସଙ୍କେତ ଦେଇଛି । ଟିକା ବିକଶିତ କରିଥିବା ଆମେରିକୀୟ କମ୍ପାନୀ ନୋଭାଭ୍ୟାକ୍ସ ଆମେରିକାରେ କରାଯାଇଥିବା ଶିଶୁଙ୍କ ଉପରେ ଟ୍ରାଏଲ ପରେ ଏହା 90.4% ପ୍ରଭାବଶାଳୀ ବୋଲି କହିଥିଲା ।
ଶିଶୁଙ୍କୁ କୋରୋନା ଭ୍ୟାକ୍ସିନ ଲଗାଇବା ଉପରେ ପ୍ରତିକ୍ରିୟା ରଖିଥିଲେ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ । ଡାକ୍ତର ଗୁଲେରିଆ କହିଛନ୍ତି, ପିଲାମାନଙ୍କ ପାଇଁ ଫାଇଜର ଟିକା FDA ଅନୁମୋଦନ ଲାଭ କରିଛି ଏବଂ ଏହି ଟିକାକୁ ଭାରତରେ ମଧ୍ୟ ମଞ୍ଜୁରୀ ମିଳିଛି ।
ଟ୍ରାଏଲ ଶୀଘ୍ର ଶେଷ ହେବ ବୋଲି ଆଶା ରହିଛି । ସେପ୍ଟେମ୍ବର ସୁଦ୍ଧା ଡାଟା ପ୍ରସ୍ତୁତ ହୋଇଯିବ । ଆଉ ଏହି ମାସ ସୁଦ୍ଧା ଟିକାକୁ ଅନୁମୋଦନ ଦିଆଯିବ ବୋଲି କହିଥିଲେ ଏମ୍ସ ନିର୍ଦ୍ଦେଶକ ଗୁଲେରିଆ ।