ମୁମ୍ବାଇ: ନିଲାମ ହେଲା ଅଣ୍ଡରୱାର୍ଲ୍ଡ ଡନ ଦାଉଦର ସମ୍ପତ୍ତି । ମହାରାଷ୍ଟ୍ର ରତ୍ନଗିରି ଜିଲ୍ଲାରେ ଥିବା 4ଟି ସମ୍ପତ୍ତିର ନିଲାମୀ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା । ଦୁଇଟି ଜମି ବିକ୍ରି ହୋଇଥିବା ବେଳେ ଆଉ 2ଟି ସମ୍ପତ୍ତି କିଣିବାକୁ କେହି ଆଗ୍ରହ ପ୍ରକାଶ କରିନଥିଲେ । ତେବେ ଦାଉଦର 15 ହଜାର ଟଙ୍କାର ଏକ ଜମି 2କୋଟି 1 ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ଦିଲ୍ଲୀର ଜଣେ ଓକିଲ ଏହି ଜମିକୁ କିଣିଛନ୍ତି । ମୋଟ ଚାରି ଜଣ ନିଲାମୀଧାରୀ ଏଥିରେ ସାମିଲ ହୋଇଥିଲେ । ସେହିପରି ଅନ୍ୟ ଏକ ଜମି 3.28 ଲକ୍ଷରେ ନିଲାମ ହୋଇଛି । ଏହାର ମୂଲ୍ୟ ରହିଥିଲା 1 ଲକ୍ଷ, 56 ହଜାର 270 ଟଙ୍କା । ମୋଟ ତିନି ଜଣ ନିଲାମଧାରୀ ଏଥିରେ ଅଂଶଗ୍ରହଣ କରିଥିଲେ ।
ନିଲାମୀରେ 7 ଜଣ ଅଂଶଗ୍ରହଣ କରିଥିଲେ: ଶୁକ୍ରବାର ଅନୁଷ୍ଠିତ ନିଲାମୀରେ 7ଜଣ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ । ଦୁଇ ଜଣ ବ୍ୟକ୍ତି ସେହି ସ୍ଥାନରେ ଉପସ୍ଥିତ ଥିଲେ ଏବଂ ଅନ୍ୟ ଦୁଇ ଜଣ ସିଲ୍ ଟେଣ୍ଡର ମାଧ୍ୟମରେ ନିଲାମୀରେ ଅଂଶଗ୍ରହଣ କରିଥିଲେ । ଇ-ନିଲାମ ମାଧ୍ୟମରେ ତିନିଜଣ ଅଂଶ ଗ୍ରହଣ କରିଥିଲେ ।
2.1 କେଟିରେ ନିଲାମ ହେଲା 15 ହଜାର ଟଙ୍କାର ଜମି: ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାର ଖେଡ ତହସିଲର ମୁମ୍ବେକେ ଗ୍ରାମରେ ଥିବା ମୋଟ ଚାରିଟି ସମ୍ପତ୍ତି ନିଲାମୀରେ ସାମିଲ ହୋଇଥିଲା । କିନ୍ତୁ ସେଥିମଧ୍ୟରୁ 2ଟି ସମ୍ପତ୍ତି ନେବାକୁ କେହି ଆଗ୍ରହ ପ୍ରକାଶ କରିନଥିଲେ । ରତ୍ନଗିରିରେ ଥିବା ଏକ ଜମି ପାଇଁ 4 ଜଣ ନିଲାମୀରେ ଅଂଶଗ୍ରହଣ କରିଥିଲେ । ଦିଲ୍ଲୀର ଓକିଲ ଅଜୟ ଶ୍ରୀବାସ୍ତବ 2 କୋଟି 1 ଲକ୍ଷ ଟଙ୍କା ବିଡ ଲଗାଇ ଏହି ଜମିକୁ କ୍ରୟ କରିଥିଲେ ।
ଏହା ମଧ୍ୟ ପଢନ୍ତୁ-ନିଲାମ ହେବ ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମର ସମ୍ପତ୍ତି
3.28 ଲକ୍ଷ୍ୟରେ କ୍ରୟ ହେଲା ଦ୍ବିତୀୟ ଜମି: ଦାଉଦ ଇବ୍ରାହିମର ରତ୍ନଗିରିରେ ଥିବା ଆଉ ଏକ 17.10 ଗୁଣ୍ଠର ଜମି ନିଲାମୀ ହୋଇଛି । ଏହାର ଦାମ 1.56 ଲକ୍ଷ ରହିଥିବା ବେଳେ 3.28 ଲକ୍ଷରେ ନିଲାମୀ ହୋଇଛି । ଏହି ଜମିକୁ ମଧ୍ୟ ଓକିଲ ଅଜୟ ଶ୍ରୀବାସ୍ତବ ଇ-ନିଲାମୀରେ କ୍ରୟ କରିଥିଲେ । ଦୁଇଟି ସମ୍ପତ୍ତି ନିଲାମୀ ହୋଇଥିବା ବେଳେ ଅନ୍ୟ 2ଟି କେବେ ନିଲାମୀ ହେବ ସେନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ସ୍ମଗଲର୍ସ ଆଣ୍ଡ ଫରେନ ଏକ୍ସଚେଞ୍ଜ ମାନିପୁଲେଟରସର ନିୟମ ଅନୁଯାୟୀ ଦକ୍ଷ ଅଧିକାରୀଙ୍କ ଦ୍ୱାରା ମୁମ୍ବାଇର ଆୟକର ଭବନରେ ନିଲାମୀ ଅନୁଷ୍ଠିତ ହୋଇଥିଲା ।