ଲକ୍ଷ୍ନୌ: ଅତର୍କିତ ଗୁଳି ଚଳାଇ ଆତଙ୍କ ଖେଳାଇଲେ ଦୁଇ ଦୁର୍ବୃତ୍ତ । ଉତ୍ତର ପ୍ରଦେଶ ଅଲିଗଡ ମୁସଲିମ ବିଶ୍ବବିଦ୍ୟାଳୟରେ ଅତର୍କିତ ଭାବେ ଦୁଇ ଦୁର୍ବୃତ୍ତ ଆଖିବୁଜା ଗୁଳି ଚଳାଇ ଆତଙ୍କ ଖେଳାଇଛନ୍ତି (firing in aligarh muslim university)। ବେଶ କିଛି ସମୟ ଧରି କ୍ୟାମ୍ପସ ପରିସରରେ ଭୟର ବାତାବରଣ ଦେଖିବାକୁ ମିଳିଥିଲା । ତେବେ କ୍ୟାମ୍ପସର ସୁରକ୍ଷା ଦାୟିତ୍ବରେ ଥିବା ସୁରକ୍ଷାକର୍ମୀ ଜଣେ ଦୁର୍ବୃତ୍ତକୁ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟଜଣେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଛି । କାବୁ ହୋଇଥିବା ଅଭିଯୁକ୍ତକୁ ସ୍ଥାନୀୟ ପୋଲିସ ପହଞ୍ଚି ଗିରଫ କରିବା ସହ ତାହା ନିକଟରୁ ଏକ ଦେଶୀ ବନ୍ଧୁକ ଓ ବହୁ ଅଫୁଟା ଗୁଳି ମଧ୍ୟ ଜବତ କରିଛି ।
ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି (ଶୁକ୍ରବାର) ମଧ୍ୟାହ୍ନ ପ୍ରାୟ 12.30 ସମୟରେ ଦୁଇଜଣ ଯୁବକ ଏକ ମୋଟର ସାଇକେଲରେ କ୍ୟାମ୍ପସରେ ପ୍ରବେଶ କରିଥିଲେ । ଉଭୟ ଛାତ୍ରମାନଙ୍କୁ ଧମକ ଦେବା ଆରମ୍ଭ କରିଥିଲେ । କିଛି ଛାତ୍ର ଏହାର ପ୍ରତିରୋଧ କରିବାରୁ ଦୁଇ ଅଭିଯୁକ୍ତ ବନ୍ଧୁକ ବାହାର କରି ଏକାଧିକ ରାଉଣ୍ଡ ଫାଏରିଂ କରିଥିଲେ । ଫଳରେ କ୍ୟାମ୍ପସରେ ଭୟର ବାତାବରଣ ଖେଳି ଯାଇଥିଲା । ଉଭୟ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହେବା ପାଇଁ ଚେଷ୍ଟା କରୁଥିବା ବେଳେ କ୍ୟାମ୍ପସ ସୁରକ୍ଷାକର୍ମୀଙ୍କ ଦ୍ବାରା ଜଣଙ୍କୁ କାବୁ କରାଯାଇଛି । ପରେ ପୋଲିସ ପହଞ୍ଚି କାବୁ ହୋଇଥିବା ଦୁର୍ବୃତ୍ତକୁ ହେପାଜତକୁ ନେଇଥିଲା ।
ଅନ୍ୟଜଣେ ଅଭିଯୁକ୍ତ ଫେରାର ହୋଇଯିବାରେ ସଫଳ ହୋଇଛି । ପୋଲିସ ଗିରଫ ଅଭିଯୁକ୍ତକୁ ଜେରା କରି ଅନ୍ୟଜଣଙ୍କୁ ଚିହ୍ନଟ ଓ ଠାବ କରିବାର ପ୍ରୟାସ ଜାରି ରଖିଛି । କେଉଁ କାରଣ ପାଇଁ ଦୁଇ ଅଭିଯୁକ୍ତ ଏପରି କଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ତେବେ ସୌଭାଗ୍ୟବଶତଃ ଏହି ଗୁଳିକାଣ୍ଡ ଘଟଣାରେ କୌଣସି ଧନଜୀବନ ହାନି ହୋଇନାହିଁ ।ଉଭୟ ଅଣଛାତ୍ର ବୋଲି ସୂଚନା ମିଳିବା ସହ ପୋଲିସର ତଦନ୍ତ ଜାରି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ