ଲକ୍ଷ୍ନୌ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅଯୋଧ୍ୟା ରାମ ମନ୍ଦିରକୁ ବୋମାରେ ଉଡାଇବାକୁ ସୋସିଆଲ ମିଡିଆରେ ଧମକ । ଏହି ଘଟଣାରେ 2 ଜଣଙ୍କୁ ଗିରଫ କରିଛି ପୋଲିସ । ଉତ୍ତରପ୍ରଦେଶର ସ୍ୱତନ୍ତ୍ର ଟାସ୍କ ଫୋର୍ସର ଏକ ଟିମ୍ ଲକ୍ଷ୍ନୌ ଗୋମତି ନଗରର ବିଭୂତି ଖଣ୍ଡ ଅଞ୍ଚଳରୁ ତାହର ସିଂ ଏବଂ ଓମ ପ୍ରକାଶ ମିଶ୍ର ନାମକ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣାର ମାଷ୍ଟରମାଇଣ୍ଡ ଭାରତ କିସାନ ମଞ୍ଚର ଅଧ୍ୟକ୍ଷ ତଥା ଭାରତୀୟ ଗୋସେବା ପରିଷଦର ସଦସ୍ୟ ଦେବେନ୍ଦ୍ର ତିଓ୍ବାରୀ ବୋଲି ଜଣାପଡିଛି ।
ଏକ ବିବୃତ୍ତିରେ କୁହାଯାଇଛି ଯେ, ଗତ ନଭେମ୍ବର ମାସରେ ଏକ୍ସରେ @iDevendraOffice ନାମକ ଆକାଉଣ୍ଟକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାମ ମନ୍ଦିର ଏବଂ ଏସଟିଏଫ୍ ଏଡିଜିଙ୍କୁ ବୋମାରେ ଉଡାଇବାକୁ ଧମକ ଆସିଥିଲା । ଏନେଇ ଅନୁସନ୍ଧାନ କରାଯିବା ପରେ 2 ଜଣଙ୍କୁ ଗିରଫ କରାଯାଇଛି । ଏହି ଧମକପୂର୍ଣ୍ଣ ମେସେଜ ପଠାଇବା ପାଇଁ 2ଟି ଇମେଲ ଆଇଡିର ମଧ୍ୟ ବ୍ୟବହାର କରାଯାଇଥିଲା । ବୈଷୟିକ ଯାଞ୍ଚ ପରେ ଜଣାପଡିଛି ଯେ, ତାହର ସିଂ ଇମେଲ ଆଇଡି କ୍ରିଏଟ କରିଥିଲା ଏବଂ ଓମ ପ୍ରକାଶ ଧମକପୂର୍ଣ୍ଣ ମେସେଜ ପଠାଇଥିଲା । ଗିରଫ ଦୁଇ ଅଭିଯୁକ୍ତ ଗୋଣ୍ଡାର ବାସିନ୍ଦା ଏବଂ ପାରାମେଡିକାଲ୍ ଇନଷ୍ଟିଚ୍ୟୁଟରେ କାର୍ଯ୍ୟ କରନ୍ତି । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ଏସଟିଏଫ ।
ଏହା ମଧ୍ୟ ପଢନ୍ତୁ-ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ: ଅଯୋଧ୍ୟାରେ ହୋଟେଲ ବୁକିଂ ବେଳେ ଅତିଥି ଦେଖାଇବେ ନିମନ୍ତ୍ରଣପତ୍ର
ଏହି ଘଟଣାରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି ଏସଟିଏଫ । ନିଜକୁ ଗୋ ସେବକ ତଥା କୃଷକ ନେତା କହୁଥିବା ଜଣେ କଲେଜ ଅପରେଟର ଦେବେନ୍ଦ୍ର ତିଓ୍ବାରୀ ଏହି ଧମକପୂର୍ଣ୍ଣ ମେସେଜ ପଠାଇବାକୁ ପାଇଁ ଷଡଯନ୍ତ୍ର ରଚିଥିଲା । ନିଜ କର୍ମଚାରୀଙ୍କ ଦ୍ବାରା ଏକ ଇମେଲ ଆଇଡିରେ ନିଜକୁ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ, ରାମ ମନ୍ଦିର ଏବଂ ଏସଟିଏଫ ମୁଖ୍ୟଙ୍କ ଉପରକୁ ବୋମାମାଡ କରିବାକୁ ଧମକ ଦେଇଥିଲା । ଏହାପରେ ସେ ଏହାକୁ ସୋସିଆଲ ମିଡିଆରେ ସେୟାର କରିଥିଲା । ବିଗତ କିଛି ବର୍ଷ ମଧ୍ୟରେ ପ୍ରାୟ 12 ଥର ଏପରି ଧମକ ଦିଆଯାଇଥିବା ସେ ଦାବି କରିଥିଲା । STF କୃଷକ ନେତାଙ୍କ ଷଡଯନ୍ତ୍ରକୁ ପଣ୍ଡ କରି ତା'ର ଦୁଇ ସହଯୋଗୀ ତାହର ସିଂ ଏବଂ ଓମ ପ୍ରକାଶ ମିଶ୍ରଙ୍କୁ ଗିରଫ କରିଛି ।
ଡିସେମ୍ବର 27 ତାରିଖରେ ଆଲାମବାଗ ନିବାସୀ ଭାରତୀୟ କିସାନ ମଞ୍ଚର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦେବେନ୍ଦ୍ର ତିୱାରୀ କହିଥିଲେ ଯେ, ଜୁବେଏର ଖାନ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ତାଙ୍କୁ ଏକ ମେଲ୍ ଆସିଥିଲା । ଏଥିରେ ତାଙ୍କୁ, ଅଯୋଧ୍ୟା ରାମ ମନ୍ଦିର, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଏସଟିଏଫ ଏଡିଜି ଅମିତାଭ ୟଶଙ୍କୁ ବୋମା ପକାଇ ଉଡାଇ ଦେବାକୁ ଧମକ ଦିଆଯାଇଥିଲା । ଜଣେ ଅଜ୍ଞାତ ବ୍ୟକ୍ତି 112କୁ ଫୋନ୍ କରି ଦେବେନ୍ଦ୍ର ତିୱାରୀ, ରାମ ମନ୍ଦିର ଏବଂ ମୁଖ୍ୟମନ୍ତ୍ରୀଙ୍କ ଉପରେ ବୋମାମାଡ କରିବାକୁ ଧମକ ଦେଇଥିଲା । ଏନେଇ ସୁଶାନ୍ତ ଗଲ୍ଫ ସିଟି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା ।