ଅଗରତାଲା: ତ୍ରିପୁରାରେ ଦିନକୁ ଦିନ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରୁ କଟକଣା କଡାକଡି କରାଯାଇଛି । ତେବେ ମାସ୍କ କିମ୍ବା ଫେସ୍ କଭର ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ଭଳି କୋଭିଡ୍ ପ୍ରୋଟୋକଲ୍ ପାଳନ ନକଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ତ୍ରିପୁରା ସରକାର ସୂଚନା ଦେଇଛନ୍ତି । ସାର୍ବଜନୀନ ସଚିବଙ୍କ ଦ୍ବାରା ମଙ୍ଗଳବାର ଜାରି କରାଯାଇଥିବା ଏକ ନିର୍ଦ୍ଦେଶନାମା ଅନୁସାରେ “ଘରେ ତିଆରି କପଡା ମାସ୍କ କିମ୍ବା ଯେକୌଣସି ମାସ୍କକୁ ସର୍ବସାଧାରଣ / କର୍ମକ୍ଷେତ୍ରରେ ଏବଂ ଟ୍ରାଭେଲିଂ ସମୟରେ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।
ସଂକ୍ରମଣକୁ ରୋକିବା ପାଇଁ ବୃହତ ସମାବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏକ ମିଟରରୁ କମ୍ ଫ୍ରଣ୍ଟେଜ୍ ଥିବା ଦୋକାନଗୁଡିକ ଏକ ସମୟରେ କେବଳ ଜଣେ ବ୍ୟକ୍ତିଙ୍କୁ ଅନୁମତି ଦେବେ । ଅନ୍ୟପଟେ ଗ୍ରାହକମାନଙ୍କ ମଧ୍ୟରେ ଏକ ମିଟର ଦୂରତା ରହିବ ଏବଂ ଦୋକାନୀ ଏବଂ ଗ୍ରାହକମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଯଦି ସୁରକ୍ଷା ପ୍ରୋଟୋକଲ ଅନୁସରଣ ନକରନ୍ତି, ତେବେ ପୁନଃ ଜୋରିମାନା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି ।
ପ୍ରଥମ ଉଲ୍ଲଂଘନରେ 200 ଟଙ୍କା ଜୋରିମାନା ଏବଂ ପରବର୍ତ୍ତି ସମୟରେ ମାସ୍କ କିମ୍ବା ଫେସ୍ କଭର ନ ପିନ୍ଧିବା ପରି ଉଲ୍ଲଂଘନ ପାଇଁ 400 ଟଙ୍କା ଜୋରିମାନା ଲାଗୁ କରାଯାଇଛି । ସେହିପରି ସାମାଜିକ ଦୂରତା କ୍ଷେତ୍ରରେ, ଅର୍ଥାତ ସରକାରୀ ତଥା ବେସରକାରୀ ପରିବହନରେ ସାମାଜିକ ଦୂରତା ଉଲ୍ଲଂଘନ ପାଇଁ 1000 ଟଙ୍କା ଜୋରିମାନା ଲାଗୁ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ