ଚେନ୍ନାଇ: ବାୟୁସେନାରେ ମହିଳା ଅଫିସରଙ୍କ ଦୁଷ୍କର୍ମକୁ ନେଇ ଘନଉଛି ବିବାଦ । ସହକର୍ମୀଙ୍କ ଉପରେ ଦୁଷ୍କର୍ମ ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବାୟୁସେନା (IAF)ର ୨୮ ବର୍ଷୀୟା ମହିଳା ଅଫିସର । କେବଳ ସେତିକି ନହେଁ, ଦୁଷ୍କର୍ମର ସ୍ପଷ୍ଟତା ପାଇଁ ତାଙ୍କର ଟୁ ଫିଙ୍ଗର୍ ଟେଷ୍ଟ ହୋଇଥିବା ମଧ୍ୟ ଡାକ୍ତରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ପୀଡିତା । ପ୍ରକାଶ ଯେ, ପୂର୍ବରୁ ଟୁ ଫିଙ୍ଗର ଟେଷ୍ଟ ଉପରେ ପ୍ରତିବନ୍ଧକ ଲଗାଇସାରିଛନ୍ତି ସୁପ୍ରିମକୋର୍ଟ ।
ଦୁଷ୍କର୍ମ ଅଭିଯୋଗ ନେଇ ୨୦ ସେପ୍ଟେମ୍ବରରେ ତାମିଲ ପୋଲିସ ଗ୍ରହଣ କରିଥିଲା ଏକ ଏତଲା । ଅଭିଯୋଗ ଅନୁଯାୟୀ, ତାମିଲନାଡୁର କୋୟମ୍ବାଟୁର ଜିଲ୍ଲାରେ ବାୟୁସେନାର ପ୍ରଶାସନିକ କଲେଜ ପରିସରରେ ତାଙ୍କ ସହ ଦୁଷ୍କର୍ମ କରାଯାଇଥିଲା । ସେପଟେ ଭାରତୀୟ ବାୟୁସେନା ଏହି ଅଭିଯୋଗ ଉପରେ କୌଣସି ଟିପ୍ପଣୀ କରିବାକୁ ମନା କରିଦେଇଛି ।
ମାମଲାରେ ୨୯ ବର୍ଷୀୟ ଅଭିଯୁକ୍ତ ଫ୍ଲାଇଟ ଲେଫ୍ଟନାଣ୍ଟଙ୍କୁ ଗିରଫ କରିଛି ସ୍ଥାନୀୟ ପୋଲିସ । ତେବେ ଏହି ମାମଲା ସିଭିଲ ପୋଲିସର ଅଧିକାର କ୍ଷେତ୍ରରେ ଆସୁନଥିବା ତାମିଲନାଡୁ ଅତିରିକ୍ତ ମହିଳା ଅଦାଲତରେ ଯୁକ୍ତି ରଖିଛନ୍ତି ଅଭିଯୁକ୍ତଙ୍କ ଆଇନଜୀବୀ । ହେଲେ ଅଭିଯୁକ୍ତର ନାୟିକ ହେପାଜତକୁ ୩୦ ସେପ୍ଟେମ୍ବର ତଥା ଗୁରୁବାର ପର୍ଯ୍ୟନ୍ତ ବଢାଇଦେଇଥିଲେ ଅଦାଲତ ।
ଏଫଆଇଆରରେ ହୋଇଥିବା ଅଭିଯୋଗ ଅନୁଯାୟୀ, ପୀଡିତା ୯ ସେପ୍ଟେମ୍ବରରେ ପ୍ରଶିକ୍ଷଣ ସମୟରେ ବାସ୍କେଟ ବଲ୍ ଖେଳୁଥିଲେ । ଏହି ସମୟରେ ତାଙ୍କ ଡାହାଣ ପାଦରେ ଆଘାତ ଲାଗିଥିଲା । ପରେ ସେ ପେନ୍କ୍ଲିୟର ଔଷଧ ନେଇ ସଂଧ୍ୟାରେ ମେସ୍ ବାର୍ରେ ସହଯୋଗୀଙ୍କ ସହ ସାମିଲ ହୋଇଥିଲେ । ତେବେ ସେଠାରୁ ବାନ୍ତି ହେବା କାରଣରୁ ନିଜ୍ ରୁମକୁ ପଳାଇ ଆସିଥିଲେ । ଏଠାରେ ଦୁଇ ଜଣ ତାଙ୍କୁ ଦେଖାରଖା କରିବା ପରେ ବାହାରପଟୁ କବାଟ ଦେଇ ପଳାଇଥିଲେ । ଏହି ସମୟରେ ଅଭିଯୁକ୍ତି ଭିତରେ ପଶି ତାଙ୍କୁ ଦୁଷ୍କର୍ମ କରିଥିଲା ।
ଦୁଷ୍କର୍ମ ପରେ ପୀଡିତା ଜଣଙ୍କ ଏୟାରଫୋର୍ସ ହସ୍ପିଟାଲ ଯାଇଥିଲେ । ହେଲେ ଏଠାରେ ତାଙ୍କୁ ଡାକ୍ତରମାନେ ଅନେକ ବ୍ୟକ୍ତିଗତ ପ୍ରଶ୍ନ ପଚାରିବା ସହ ଟୁ ଫିଙ୍ଗର ଟେଷ୍ଟ କରାଇଥିବା ଅଭିଯୋଗ କରିଛନ୍ତି ମହିଳା ଅଫିସର ।
ଟୁ ଫିଙ୍ଗର ଟେଷ୍ଟକୁ ଦୀର୍ଘ ଦିନ ହେବ ବ୍ୟାନ୍ କରିସାରିଛନ୍ତି ସୁପ୍ରିମକୋର୍ଟ । ଏହି ଅମାନବୀୟ ବ୍ୟବହାର ପରେ ମହିଳା ଜଣକ ଥାନାରେ ଏଫଆଇଆର ଦାଖଲ କରିଥିଲେ ।