ଲକ୍ଷ୍ନୌ: ଉତ୍ତରପ୍ରଦେଶର ପ୍ରୟାଗରାଜ ରେଳଷ୍ଚେସନ୍ଠାରେ ଏକ ସୁପରଫାଷ୍ଟ ଏକ୍ସପ୍ରେସ୍ ଲାଇନଚ୍ୟୁତ । ଗତକାଲି(ମଙ୍ଗଳବାର) ରାତି 9ଟାରେ ଲାଇନଚ୍ୟୁତ ହୋଇଥିବା ନେଇ ଉତ୍ତର କେନ୍ଦ୍ର ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । 2ଟି କୋଚ୍ ଓ ଇଞ୍ଜିନ ଲାଇନଚ୍ୟୁତ ହୋଇଥିଲା । ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ଟ୍ରେନ୍ ମରାମତି କାର୍ଯ୍ୟ କରାଯାଇଥିଲା । ଦିଲ୍ଲୀ ଆନନ୍ଦବିହାରରୁ ଉତ୍ତରପ୍ରଦେଶର ଗାଜିପୁର ସହର ପର୍ଯ୍ୟନ୍ତ ଯାତାୟତ କରେ ଏହି ଲାଇନଚ୍ୟୁତ ହୋଇଥିବା ସୁହେଲଦେବ ଏକ୍ସପ୍ରେସ ଟ୍ରେନ୍ ।
ଏହାମଧ୍ୟ ପଢନ୍ତୁ..AP Train Tragedy: ୧୪ ନୁହେଁ ୧୩ ମୃତ, ଆହତଙ୍କ ଚିକିତ୍ସା ପାଇଁ ତତ୍ପର ପ୍ରଶାସନ
ତେବେ ଉତ୍ତର କେନ୍ଦ୍ର ରେଳ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଗତକାଲି (ମଙ୍ଗଳବାର) ରାତି 9ଟା ସୁଦ୍ଧା ପ୍ରୟାଗରାଜ ରେଳ ଷ୍ଟେସନର 6 ନମ୍ବର ପ୍ଲାଟଫର୍ମରେ ସୁପରଫାଷ୍ଟ ଏକ୍ସପ୍ରେସ ଗଡିବା ଆରମ୍ଭ କରିବାର କିଛି ସମୟ ମଧ୍ୟରେ ଲାଇନଚ୍ୟୁତ ହୋଇଯାଇଥିଲା । 2ଟି କୋଚ ଓ ଇଞ୍ଜିନ ରେଳ ଧାରଣା ତଳକୁ ଗଡି ଯାଇଥିଲା । ଲାଇନଚ୍ୟୁତ ସମୟରେ ଟ୍ରେନ ମନ୍ଥର ଗତିରେ ଯାଉଥିବାରୁ କୌଣସି କ୍ଷୟକ୍ଷତି ହୋଇନାହିଁ । ସୌଭାଗ୍ୟବଶତଃ କୌଣସି ଆହତ କିମ୍ବା ମୃତାହତ ଘଟଣା ସାମ୍ନାକୁ ଆସିନାହିଁ । ତେବେ କେଉଁ କାରଣରୁ ଟ୍ରେନ ଲାଇନଚ୍ୟୁତ ହେଲା ସେନେଇ ତଦନ୍ତ ଆରମ୍ଭ ହୋଇଯିବ ଓ ଖୁବ ଶୀଘ୍ର ଦୁର୍ଘଟଣାର କାରଣ ଜଣାପଡିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ଅନ୍ୟପଟେ ଲାଇନଚ୍ୟୁତ ହେବାର କିଛି ସମୟ ମଧ୍ୟରେ ମରାମତି କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା । ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସୁହେଲଦେବ ଏକ୍ସପ୍ରେସ ଟ୍ରେନ ପ୍ରତିଦିନ ଦିଲ୍ଲୀ ଆନନ୍ଦବିହାରରୁ ଉତ୍ତରପ୍ରଦେଶର ଗାଜିପୁର ସହର ପର୍ଯ୍ୟନ୍ତ ଯାତାୟତ କରିଥାଏ । ତେବେ ଦୁର୍ଘଟଣା ସମୟରେ ଟ୍ରେନର ଗତି ମନ୍ଥର ଥିବାରୁ ଏକ ବିପଦ ଟଳିଯାଇଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ତେବେ ମରାମତି ପରେ ଟ୍ରେନ ଚଳାଚଳ ସ୍ବଭାବିକ ରହିଛି ।
ଏହାମଧ୍ୟ ପଢନ୍ତୁ..Train Tragedy: ଏସସିବିରେ ଗଲା ଆଉ ଜଣଙ୍କ ଜୀବନ, ମୃତ୍ୟୁସଂଖ୍ୟା ୨୯୧କୁ ବୃଦ୍ଧି
ସୂଚନାଯୋଗ୍ୟ, ବାରମ୍ବାର ବଡ଼ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିବା ପରେ ଯାତ୍ରୀମାନଙ୍କ ମନରେ ଟ୍ରେନରେ ଗମନାଗମନ ପାଇଁ ଏକ ଭୟ ସୃଷ୍ଟି ହୋଇଗଲାଣି । ବାଲେଶ୍ବର ବାହାନଗା ଟ୍ରେନ ଟ୍ରାଜେଡି ମନରୁ ଲିଭିନଥିବା ବେଳେ ଗତ ରବିବାର ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶ ଆଲମଣ୍ଡା ଓ କାଣ୍ଟକାପଲ୍ଲୀ ମଧ୍ୟରେ ବିଶାଖାପାଟଣା-ରାୟଗଡ଼ା ଓ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍ ମଧ୍ୟରେ ଭୟଙ୍କର ଦୁର୍ଘଟଣା ହୋଇଥିଲା । ଏହି ଦୁର୍ଘଟଣାରେ 13 ଜଣଙ୍କ ଜୀବନ ଯାଇଥିବା ବେଳେ 80ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ । ତେବେ ବାହାନଗା ଟ୍ରେନ ଦୁର୍ଘଟଣାରେ 290ରୁ ଉର୍ଦ୍ଧ୍ୱ ଜୀବନ ଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ