ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ପରେଡକୁ ନେଇ ବଡ ବୟାନ ଦେଇଛି ଦିଲ୍ଲୀ ପୋଲିସ । ପରେଡରେ ବଡ ଗଡବଡର ଆଶଙ୍କା କରିଛି । ପରେଡରେ ମାହୋଲ ବିଗାଡିବାକୁ ଷଡଯନ୍ତ୍ର ରଚି ପାକିସ୍ତାନରେ 300 ଟ୍ବିଟର ହ୍ୟାଣ୍ଡେଲ ତିଆରି କରାଯାଇଥିବା ସୂଚନା ଦେଇଛି ଦିଲ୍ଲୀ ପୋଲିସ ।
ସେପଟେ ପରେଡ ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଲର୍ଟ ରହିଛି ଦିଲ୍ଲୀ ପୋଲିସ । ଚାଷୀଙ୍କୁ ସର୍ତ୍ତମୂଳକ ଭାବେ ରାଲି ବାହାର କରିବାକୁ ଅନୁମତି ମିଳିଛି ।
ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସିପି ଇଣ୍ଟେଲିଜେନ୍ସ ଦୀପେନ୍ଦ୍ର ପାଠକ ସୂଚନା ଦେଇଛନ୍ତି ଯେ ସିଂଘୁ ସୀମାରେ 62 କିଲୋମିଟରର ରାସ୍ତା, ଟିକରୀ ସୀମାରେ 63 କିଲୋମିଟର ଓ ଗାଜିପୁରରୁ 46 କିଲୋମିଟରର ରାସ୍ତା ନିର୍ଦ୍ଧାରିତ ହୋଇଛି । ଦୀପେନ୍ଦ୍ର ପାଠକ କହିଛନ୍ତି, ଆମକୁ ଗୁଇନ୍ଦା ବିଭାଗରୁ ସୂଚନା ମିଳିଛି ଯେ ଟ୍ରାକ୍ଟର ରାଲିରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ପାକିସ୍ତାନରେ 308 ଟ୍ବିଟର ହ୍ୟାଣ୍ଡେଲ ତିଆରି କରାଯାଇଛି ।
ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସିପି କହିଛନ୍ତି, ଗତ 2 ମାସରୁ ଆନ୍ଦୋଳନ ଜାରି ରହିଛି । ପରେଡକୁ ନେଇ 5ରୁ 6 ଥର ଚାଷୀଙ୍କ ସହ ବୈଠକ ହୋଇଛି । ଦିଲ୍ଲୀର 3ଟି ସ୍ଥାନ ସିଂଘୁ ସୀମା, ଟିକରୀ ସୀମା ଓ ଗାଜିପୁର ସୀମାରେ ଶାନ୍ତିପୂର୍ଣ୍ଣ ଟ୍ରାକ୍ଟର ରାଲି ବାହାର କରିହେବ । ଗଣତନ୍ତ୍ର ଦିବସ ସମାରୋହ ପରେ ଆରମ୍ଭ ହେବ ଟ୍ରାକ୍ଟର ରାଲି ।
26 ଜାନୁଆରୀରେ ଦିଲ୍ଲୀ ପୋଲିସ ପକ୍ଷରୁ ଟ୍ରାକ୍ଟର ରାଲି ପାଇଁ ଚାଷୀଙ୍କୁ ଅନୁମତି ମିଳିଛି। ସେପଟେ ଦିଲ୍ଲୀ ପୋଲିସ କମିଶନର ସୁରକ୍ଷାକର୍ମୀଙ୍କୁ ସଜାଗ ରହିବାକୁ କହିଛନ୍ତି। ସେ କହିଛନ୍ତି, ଗଣତନ୍ତ୍ର ଦିବସ ପରେଡର ସୁରକ୍ଷା ପାଇଁ ନିୟୋଜିତ ସିଆରପିଏଫର ସମସ୍ତ ଅଧିକାରୀ ପ୍ରସ୍ତୁତ ରହିଛନ୍ତି। ଚାଷୀଙ୍କ ଟ୍ରାକ୍ଟର ରାଲି ସଂପର୍କରେ ଅଧିକାରୀ ତୁରନ୍ତ ଆଇନ ଶୃଙ୍ଖଳା ପାଇଁ ପ୍ରସ୍ତୁତ ହେବା ଉଚିତ ବୋଲି କୁହାଯାଇଛି ।