କୋଲକାତା: 2021 ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲାଗିଚାଲିଛି ଝଟକା ପରେ ଝଟକା । ମମତା ବାନାର୍ଜୀଙ୍କର ସବୁଠୁ ନିକଟତର ଶୁଭେନ୍ଦୁ ଅଧିକାରୀ ଇସ୍ତଫା ଦେବା ପରେ ଏବେ ଟିଏମସି ବିଧାୟକ ଓ ଆସାନସୋଲ ନଗରନିଗମର ଅଧ୍ୟକ୍ଷ ଜିତେନ୍ଦ୍ର ତିୱାରୀ ନିଜ ପଦରୁ ଦେଇଛନ୍ତି ଇସ୍ତଫା । ତିୱାରୀ ଡିସେମ୍ବର 19ରେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ସୂଚନା ଅନୁଯାୟୀ ଜେତେନ୍ଦ୍ର ତିୱାରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ମିଶି ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ମେଦିନାପୁରର ଖୋଲା ଜନସଭାରେ ଧରିପାରିନ୍ତି ପଦ୍ମ । ଦିନକ ପୂର୍ବରୁ ଜିତେନ୍ଦ୍ର ତିୱାରୀ କେନ୍ଦ୍ର ପକ୍ଷରୁ ମିଳୁଥିବା ପାଣ୍ଠିକୁ ନେଇ ରାଜ୍ୟ ସରକାର ରାଜନୀତି କରୁଥିବା ଅଭିଯୋଗ ଆଣିଥିଲେ । ଜିତେନ୍ଦ୍ରଙ୍କ ଅଭିଯୋଗ ଅନୁଯାୟୀ ମମତା ସରକାର ରାଜନୀତି କାରଣରୁ ଆସାନସୋଲ ନଗରନିଗମକୁ କେନ୍ଦ୍ର ପକ୍ଷରୁ ମିଳୁଥିବା ପାଣ୍ଠି ଉପଯୋଗ କରିବାକୁ ଦେଉନାହାନ୍ତି ।
ରବିବାର ଜିତେନ୍ଦ୍ର ତିୱାରୀ ସହର ବିକାଶମନ୍ତ୍ରୀ ହାକିମଙ୍କୁ ଚିଠି ଲେଖିଥିଲେ । ସରକାର ରାଜନୀତି କାରଣରୁ ନଗରନିଗମକୁ କେନ୍ଦ୍ର ପକ୍ଷରୁ ମିଳିଥିବା 2000 କୋଟି ଟଙ୍କାର ପାଣ୍ଠିର ଉପଯୋଗ କରିବାକୁ ଦେଇନାହାନ୍ତି । ଏହି ଫଣ୍ଡ୍ ସ୍ମାର୍ଟ ସିଟି ପ୍ରୋଜେକ୍ଟ ଅନ୍ତର୍ଗତ ପ୍ରଦାନ କରାଯାଇଥିଲା ।
ଚିଠି ଲେଖିବା ପରେ ଜିତେନ୍ଦ୍ର ତିୱାରୀ ମମତା ବାନାର୍ଜୀଙ୍କୁ ଫୋନ ମଧ୍ୟ କରିଥଇଲେ । ଏହି ବାବଦରେ ଶୁକ୍ରବାର ତାଙ୍କ ସହ ମମତାଙ୍କ ବୈଠକ ବସିବାର ଥିଲା । ହେଲେ ଏହା ପୂର୍ବରୁ ହିଁ ସେ ଚେୟାରମ୍ୟାନ ପଦରୁ ଇସ୍ତଫା ଦେଇଛନ୍ତି ।