କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସେତେ ଜୋରରେ ଲାଗିଚାଲିଛି ଗୋଟିଏ ପରେ ଗୋଟିଏ ଝଟକା । ଏହି ମଧ୍ୟରେ ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେଇସାରିଲେଣି ଅନେକ ନେତା । ଏହାରି ମଧ୍ୟରେ ଦୁର୍ଘଟଣାରେ ଆହତ ହୋଇ ହ୍ବିଲଚେୟାରରେ ପ୍ରଚାର କରୁଥିବା ଦିଦିଙ୍କ ହାତ ଛାଡିଛନ୍ତି ଆଉ ଜଣେ ଟିଏମସି ବିଧାୟିକା ।
ସୋମବାର ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଅଭିନେତ୍ରୀରୁ ରାଜନୀତିକୁ ଆସିଥିବା ଦେବାଶ୍ରୀ ରୟ । ଦକ୍ଷିଣ 25 ପ୍ରଗଣାର ରାୟଦିଘି ବିଧାନସଭା ଆସନରୁ 2 ଥର ବିଧାୟକ ନିର୍ବାଚିତ ହୋଇଥିବା ଦେବାଶ୍ରୀଙ୍କୁ ଏଥର ଟିକେଟ ଦେଇନଥିଲା ତୃଣମୂଳ କଂଗ୍ରେସ । ଏହା ଫଳରେ ନାରାଜ ବିଧାୟିକା ଦେବାଶ୍ରୀ ଦଳରୁ ଦେଇଛନ୍ତି ଇସ୍ତଫା ।
ସୂଚନା ଅନୁଯାୟୀ, ଦଳ କୌଣସି ବଡ ଦାୟିତ୍ବ କିମ୍ବା ଟିକେଟ ନଦେବା କାରଣରୁ ଦୁଃଖିତ ଥିଲେ ଦେବାଶ୍ରୀ । ଏନେଇ ସେ ଇସ୍ତଫା ଦେଇଛନ୍ତି । ଗୋଟିଏ ପରେ ଗୋଟିଏ ନେତାଙ୍କ ଦଳ ଛାଡିବା ଯୋଗୁଁ ଏବେ ଦୋହଲିବାକୁ ଲାଗିଛି ତୃଣମୂଳ କଂଗ୍ରେସର ଗଡ । ସେପଟେ ଟିଏମସି ଛାଡୁଥିବା ନେତା,ମନ୍ତ୍ରୀ ବିଧାୟକଙ୍କୁ ନିଜ କ୍ୟାମ୍ପକୁ ନେଇ ଶକ୍ତି ବଢାଉଛି ଭାରତୀୟ ଜନତା ପାର୍ଟି ।