ମୁମ୍ବାଇ: ବିଗତ କିଛି ମାସ ହେବ ଆତଙ୍କବାଦୀ ମାନେ ମୁମ୍ବାଇରେ ପ୍ରବେଶ କରିଛନ୍ତି ତଥା ମୁମ୍ବାଇରେ ବୋମା ବିସ୍ଫୋରଣ ହେବ ବୋଲି ପୋଲିସକୁ ଫୋନ ଏବଂ ଇମେଲ ଦ୍ବାରା ଲଗାତାର ଭାବେ ଧମକପୂର୍ଣ୍ଣ ମେସେଜ ଆସୁଛି । ଏନେଇ ମହାରାଷ୍ଟ୍ରର ରାଜଧାନୀରେ ଆତଙ୍କବାଦର ଭୟ ଥମିବାର ନାଁ ନେଉନାହିଁ । ତେବେ ଆଜି ଅପରାହ୍ନରେ ମଧ୍ୟ ମୁମ୍ବାଇ ପୋଲିସର କଣ୍ଟ୍ରୋଲ ରୁମକୁ ଏକ ଫୋନ କଲ ଆସିଥିବା ସୂଚନା ମିଳିଛି । ଫୋନ କରିଥିବା ବ୍ୟକ୍ତିର ସୂଚନା ଅନୁସାରେ ଶୁକ୍ରବାର ସକାଳେ ଦୁବାଇରୁ ତିନି ଜଣ ଆତଙ୍କବାଦୀ ମୁମ୍ବାଇରେ ପ୍ରବେଶ କରିଛନ୍ତି । ତେବେ ଏହି ତଥ୍ୟ ସତ୍ୟ କି ନୁହେଁ, ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।
ମୁମ୍ବାଇ ପୋଲିସ୍ କଣ୍ଟ୍ରୋଲ୍ ରୁମକୁ ଫୋନ କରିଥିବା ବ୍ୟକ୍ତି ନିଜକୁ ରାଜା ଠୋଙ୍ଗେ ବୋଲି ପରିଚୟ ଦେଇଛି । ସେ ଆହୁରି ମଧ୍ୟ କହିଛି ଯେ ମୁମ୍ବାଇରେ ସେ ଚୋରା ବେଆଇନ କାରବାରରେ ସମ୍ପୃକ୍ତ ଅଛି । ତେବେ ଶୁକ୍ରବାର ଦୁବାଇରୁ ଆତଙ୍କବାଦୀ ଆସି ମୁମ୍ବାଇରେ ପ୍ରବେଶ କରିଥିବା ସମ୍ପର୍କରେ ସେ ସୂଚନା ଦେଇଛି । ସେପଟେ ମିଳିଥିବା ସୂଚନାକୁ ଗମ୍ଭୀରତାର ସହ ନେଇ ମୁମ୍ବାଇ ପୋଲିସ ଏହି ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି । ତେବେ ମୁମ୍ବାଇରେ ପ୍ରବେଶ କରିଥିବା ତିନି ଜଣ ଆତଙ୍କବାଦୀଙ୍କର ପାକିସ୍ତାନ ସହ ଲିଙ୍କ ଅଛି ବୋଲି ଦାବି କରିଛି ମୁମ୍ବାଇ ପୋଲିସ୍କୁ ଫୋନ କରି ସୂଚନା ଦେଇଥିବା ବ୍ୟକ୍ତି ରାଜା ଠୋଙ୍ଗେ ।
ଏହା ମଧ୍ୟ ପଢ଼ନ୍ତୁ... ବିମାନର ଏମର୍ଜେନ୍ସି ଡୋର୍ ଖୋଲିବାକୁ ଉଦ୍ୟମ କରି ନିଶାସକ୍ତ ଯାତ୍ରୀ ଗିରଫ
ସେ ପୋଲିସକୁ ଦେଇଥିବା ତଥ୍ୟ ଅନୁସାରେ, ତିନି ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ହେଉଛି ମୁଜିମ ସୟଦ । ସେହିଭଳି ମୁଜିମ ସୟଦ ନାମକ ଆତଙ୍କବାଦୀର ଗାଡି ନମ୍ବର ଏବଂ ମୋବାଇଲ ନମ୍ବର ମଧ୍ୟ ରାଜା ଠୋଙ୍ଗେ ମୁମ୍ବାଇ ପୋଲିସକୁ ଦେଇଛି । ମୁଜିମ ସୟଦର ମୋବାଇଲ୍ ନମ୍ବର ଏବଂ ଗାଡି ନମ୍ବର ଯାଞ୍ଚ କରିବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ସେହିଭଳି ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ପ୍ରକୃତରେ ତିନି ଜଣ ଆତଙ୍କବାଦୀ ମୁମ୍ବାଇରେ ଆକ୍ରମଣ ପାଇଁ ପ୍ରବେଶ କରିଛନ୍ତି । ଏନେଇ ମୁମ୍ବାଇ ପୋଲିସ ପୂର୍ବରୁ ଫୋନ କଲ୍ ପାଇଛି । ତେବେ ଏଭଳି ସୂଚନା ପାଇବା ପରେ ମୁମ୍ବାଇ ପୋଲିସ ପକ୍ଷରୁ ସତର୍କତାର ସହ ତଦନ୍ତ ଆରମ୍ଭ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ