ବେଙ୍ଗାଲୁରୁ: ସବୁଜ ବନାନୀ ଜଙ୍ଗଲ ସହ ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କର୍ଣ୍ଣାଟକର ପଶ୍ଚିମ ଘାଟ ପର୍ବତ ମାଳା। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ଅଞ୍ଚଳର କେତେ ଯେ ରୂପ ତାହା କହିବା ଅସମ୍ଭବ। ଏହି ସୌନ୍ଦର୍ଯ୍ୟତାକୁ ଦ୍ବିଗୁଣିତ କରିବା ପାଇଁ ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଏକ ପ୍ରଜାପତି ପାର୍କ। ପ୍ରଜାପତିଙ୍କ ବିଭିନ୍ନ ପ୍ରଜାତିଙ୍କୁ ସଂରକ୍ଷଣ କରିବା ସହ ଲୋକଙ୍କ ମୁହଁରେ ଖୁସି ଫୁଟାଇଛି ଏହି ବଟରଫ୍ଲାଏ ପାର୍କ।
କାଳୀ ନଦୀ ତଟରେ ରହିଛି ସୁନ୍ଦର ପ୍ରଜାପତିଙ୍କ ଅନେକ ପ୍ରଜାତି। କିନ୍ତୁ ସେମାନଙ୍କ ଏବେ ଖାଦ୍ୟର ଅଭାବ ଦେଖା ଦେଇଛି। ଏହାକୁ ହୃଦୟଙ୍ଗମ କରି ବନ ବିଭାଗ ପକ୍ଷରୁ ତିଆରି ହୋଇଛି 30ରୁ ଅଧିକ କିଷମ ଥିବା ଫୁଲ ବଗିଚା। ଏହି ବଗିଚାରେ ରହିଛି ଟେରି ଫ୍ଲାୱାର, ପେଣ୍ଟାସ୍, ମିଲ୍କୱିଡ୍, ଗୋଡ ଫ୍ଲାୱାର ଭଳି କିସମର ଫୁଲ ଗଛ, ଯାହା ପ୍ରଜାପତିଙ୍କ ମୁଖ୍ୟ ଖାଦ୍ୟ। ସେହିଭଳି ବଗିଚାରେ ଆଙ୍ଗଲେଡ୍ ପିଆରୋଟ୍ , ଗ୍ରେ କାଉଣ୍ଟ୍ , ପିକୋ ଫ୍ୟାନ୍ସି , ଜୁନୋନିଆ ଆଟଲିଟ୍ସ ଏବଂ ଇଷ୍ଟର୍ନ ଟାଇଗର କିଶମର ସୁନ୍ଦର ସୁନ୍ଦର ପ୍ରଜାପତି ଦେଖିବାକୁ ମିଳୁଛି।
ଥିମକ୍କା ପାର୍କ ମୋଟ 43 ହେକ୍ଟର ଜମିରେ ସଂପ୍ରସାରିତ। ସେଥିମଧ୍ୟରେ ଏକ ହେକ୍ଟର ଜମିରେ ସ୍ଥାପିତ ପ୍ରଜାପତି ପାର୍କ। ବନ ବିଭାଗ ପକ୍ଷରୁ ବାକି ଥିବା ଜମିରେ ଜଙ୍ଗଲ ଗଢ଼ିବାକୁ ଚାଲିଛି ପ୍ରସ୍ତୁତି। ଭବିଷ୍ୟତରେ ଅଧିକରୁ ଅଧିକ ଜମିରେ ଜଙ୍ଗଲ ଗଢ଼ିବାକୁ ଯୋଜନା କରିଛି ଜଙ୍ଗଲ ବିଭାଗ। ପୂର୍ବରୁ ଏଠାରେ କେବଳ 3ରୁ 4ଟି ପ୍ରଜାତି ପ୍ରଜାପତି ଦେଖା ଯାଉଥିଲା। କିନ୍ତୁ ପ୍ରଜାପତି ପାର୍କ ହେବା ପରେ ଏଠାରେ ପ୍ରାୟ 102 ପ୍ରଜାତି ପ୍ରଜାପତି ଦେଖିବାକୁ ମିଳିଛି। ପ୍ରଜାପତିଙ୍କ ଆବଶ୍ୟକ ମୁତାବକ ଫୁଲ ଗଛ ଲଗାଇ ସେମାନଙ୍କ ସଂଖ୍ୟା ବୃଦ୍ଧି କରିବାକୁ ପ୍ରୟାସ ଜାରି ରହିଛି।
ଏହି ସୁନ୍ଦର ସୁନ୍ଦର ପ୍ରଜାପତିଙ୍କୁ ଦେଖିବାକୁ ଛାତ୍ରଛାତ୍ରୀଙ୍କ ସହ ହଜାର ହଜାର ପର୍ଯ୍ୟଟକ ଆସନ୍ତି। ଆମ କର୍ମଚାରୀମାନେ ପ୍ରଜାପତିଙ୍କୁ ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କରାନ୍ତି।
ଉତ୍ତର କନ୍ନଡ ବନ ବିଭାଗ ବର୍ତ୍ତମାନ ଜୋଏଡ଼ାର ପ୍ରଜାପତି ପାର୍କ ବିକଶିତ କରିବାକୁ ଯୋଜନା କରୁଛି। ପ୍ରଜାପତି ପାର୍କ ଛଡ଼ା ପାର୍କ ପରିସରରେ ହିଁ ଔଷଧୀୟ ଗଛ ଲଗାଇବାକୁ ପ୍ରସ୍ତୁତ ହେଉଛି ଯୋଜନା । ବନ ଅଧିକାରୀମାନେ ପୂର୍ବରୁ ହିଁ ସିରିସିରେ ବଗିଚା ସଂସ୍ଥାନର ପରାମର୍ଶ ନେଇ କିଛି ଔଷଧୀୟ ଗଛ ଲଗାଇବା ଆରମ୍ଭ କରିଛି। ବନ କର୍ମଚାରୀମାନେ କିଛି ଦୁର୍ଲଭ ଗଛକୁ ଏକତ୍ର କରି ରୋପଣ କରିଛନ୍ତି। ଏହି ଗଛ କେବଳ ପଶ୍ଚିମ ଘାଟରେ ଦେଖାଯାଏ। ଔଷଧୀୟ ଗଛ ଉପରେ ବସିଥିବା ସୁନ୍ଦର ପ୍ରଜାପତିଙ୍କୁ ଦେଖିବା ପାଇଁ ପ୍ରତିଦିନ ପର୍ଯ୍ୟଟକ ଟାଣି ହୋଇ ଚାଲି ଆସନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ