ଭୁବନେଶ୍ବର: ଚଳିତ ମାସ ଶେଷ ସୁଦ୍ଧା ହୋଇପାରେ ରାଜ୍ୟ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ମନ୍ତ୍ରୀଙ୍କ ସହ ଗତକାଲି(ମଙ୍ଗଳବାର) ଓ୍ବାନ ଟୁ ଓ୍ବାନ କଥା ହେବା ପରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଆରମ୍ଭ ହୋଇଛି । ଆଲୋଚନା ଅବସରରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ମାନଙ୍କ କାର୍ଯ୍ୟ ଦକ୍ଷତା ସମୀକ୍ଷା କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ସମୀକ୍ଷା ପରେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ବଡ ଧରଣର ଅଦଳ ବଦଳ ହୋଇପାରେ । ସମ୍ଭବତଃ ବିଧାନସଭାରେ ମୌସୁମୀ ଅଧିବେଶନ ପୂର୍ବରୁ ନବୀନ ନିଜ ଟିମ ନବକଳେବର କରିପାରନ୍ତି ।
ମନ୍ତ୍ରୀମଣ୍ଡଳ ଅଦଳ ବଦଳର ପୂର୍ବ ପ୍ରସ୍ତୁତି...
ଆସନ୍ତା କିଛିଦିନ ମଧ୍ୟରେ ରାଜ୍ୟ ମନ୍ତ୍ରୀମଣ୍ଡଳର ଅଦଳବଦଳ ହୋଇପାରେ । ଯାହା ସମ୍ପର୍କରେ ଗତକାଲି (ମଙ୍ଗଳବାର) ସ୍ପଷ୍ଟ ଆଭାସ ମିଳିଛି । ମନ୍ତ୍ରୀଙ୍କୁ ଦିଆଯାଇଥିବା ଟାସ୍କ ବାବଦରେ ପଚାରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ କୋଭିଡ ମୁକାବିଲା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଆସନ୍ତା କିଛିଦିନ ଭିତରେ ନୂଆ ଟିମ ଗଠନ ହେବ । ଯାହାକୁ ନେଇ ନବୀନ ଏବେ ମନ୍ତ୍ରୀ ମାନଙ୍କ କାର୍ଯ୍ୟ ସମୀକ୍ଷା କରୁଛନ୍ତି । କିଛି ମନ୍ତ୍ରୀଙ୍କ ପାଇଁ ବଦନାମ ହେଲେଣି ସରକାର । ଅନେକଙ୍କ ପ୍ରଦର୍ଶନ ମଧ୍ୟ ଭଲ ନାହିଁ । ଏହାକୁ ନେଇ କିଛି ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ ହୋଇପାରେ କିଛି ମନ୍ତ୍ରୀଙ୍କ କ୍ଷମତା ହ୍ରାସ ମଧ୍ୟ ହୋଇପାରେ ।
କିଏ ବାଦ ପଡିପାରନ୍ତି...
ଆକଳନ ଅନୁସାରେ କିଛି ଯୁବ ଆନୁଗତ୍ୟଙ୍କୁ ନବୀନ ମନ୍ତ୍ରୀ କରି ସନ୍ତୁଷ୍ଟ କରିବାକୁ ଚାହିଁବେ । ଆଉ କିଛି ନେତାଙ୍କୁ ସଂଗଠନ ଦାୟିତ୍ବ ଦେବେ ।
ସମ୍ଭାବ୍ୟ ବାଦ ପଡିବାକୁ ଥିବା ତାଲିକାରେ ମନ୍ତ୍ରୀ ଅରୁଣ ସାହୁ, ରାଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରତାପ ଜେନା, ନବକିଶୋର ଦାସଙ୍କ ନାଁ ଥିବା ଚର୍ଚ୍ଚା ହେଉଛି । ନୟାଗଡର ଶିଶୁକନ୍ୟା ପରୀ ମାମଲାରେ ବିବାଦୀୟ ହୋଇପଡିଥିବା ଅରୁଣ ସାହୁଙ୍କୁ ନବୀନ ଟିମରୁ ହଟାଇ ପାରନ୍ତି । ଧାନ କିଣା ଅବ୍ୟବସ୍ଥା ଓ ଭାଇଙ୍କ ନାଁରେ ଦୂର୍ନୀତି ଅଭିଯୋଗ କାରଣରୁ ରାଣେନ୍ଦ୍ର ପ୍ରତାପ ସ୍ବାଇଁ ବାଦ ପଡିପାରନ୍ତି । ସେହିପରି ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ବିବାଦ ଘେରରେ ଥିବା ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମଧ୍ୟ ବିଦା କରି ନବୀନ ବିରୋଧୀଙ୍କୁ କଡା ସନ୍ଦେଶ ଦେଇପାରନ୍ତି । ସେହିପରି ମନ୍ତ୍ରୀ ସମୀର ଦାସ, ଜଗନ୍ନାଥ ସାରକା, ପଦ୍ମିନୀ ଦିଆନ, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ଜ୍ୟୋତି ପାଣିଗ୍ରାହୀ, ତୁଷାରକାନ୍ତି ବେହେରା ପ୍ରମୁଖ ବାଦ ପଡିବାର ସମ୍ଭାବନା ରହିଛି । ତେବେ ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବରିଷ୍ଠ ମନ୍ତ୍ରୀ ପ୍ରତାପ ଜେନା ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ବିରୋଧରେ ବିରୋଧୀ କୌଣସି ନା କୌଣସି ଅଭିଯୋଗ ଆଣିଥିଲେ ମଧ୍ୟ ତାଙ୍କର ପ୍ରଦର୍ଶନ ଭଲ ଥିବା କୁହାଯାଉଛି । ସେହିପରି ଏମାନେ ଉଭୟ ମୁଖ୍ୟମନ୍ତ୍ରୀ ଓ ବିଜେଡି ନେତୃତ୍ବଙ୍କ ଗୁଡ ବୁକରେ ଅଛନ୍ତି । ତେଣୁ କିଛି ଅଭିଯୋଗ ଥିଲେ ମଧ୍ୟ ନବୀନ ଏମାନଙ୍କୁ ବାଦ ଦେଇନପାରନ୍ତି । ଅନ୍ୟପଟେ କୋଭିଡ ମୁକାବିଲା କୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ବିବାଦ ଘେରରେ ଥିଲେ ମଧ୍ୟ ତାଙ୍କୁ ମଧ୍ୟ ବାଦ ଦେବେ ନାହିଁ ନବୀନ ।
ଆଞ୍ଚଳିକ ଭାରସାମ୍ୟକୁ ଗୁରୁତ୍ବ...
ଆସନ୍ତା ବର୍ଷ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ତା ପୂର୍ବରୁ ନବୀନ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରି ଆଞ୍ଚଳିକ ଭାରସାମ୍ୟକୁ ଗୁରୁତ୍ବ ଦେଇପାରନ୍ତି । ଗଞ୍ଜାମ ଜିଲ୍ଲାରୁ ଆଉ ଜଣଙ୍କୁ କ୍ୟାବିନେଟରେ ନେଇପାରନ୍ତି ନବୀନ । ଯଦି ଏହା ହୁଏ ମନ୍ତ୍ରୀ ଦୌଡରେ ସର୍ବାଗ୍ରେ ରହିଛନ୍ତି ବର୍ତ୍ତମାନର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଜନ ବିରୋଧୀ କାର୍ଯ୍ୟ ପାଇଁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କାର ହେବାପରେ ସୂର୍ଯ୍ୟଙ୍କ ପାଇଁ ସୁଯୋଗ ଉପନୀତ ହୋଇଛି ।
ଯଦି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯାଏ, ତେବେ ବାଚସ୍ପତି ପଦ ପୁଣି ପଶ୍ଚିମ ଓଡିଶାକୁ ଫେରିପାରେ । ଏହି ପରିପ୍ରେକ୍ଷୀରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ବାଚସ୍ପତି କରାଯାଇପାରେ ନଚେତ ବୌଦ୍ଧ ବିଧାୟକ ପ୍ରଦୀପ ଅମାତ ହୋଇପାରନ୍ତି ବାଚସ୍ପତି । ତେବେ ନିରଞ୍ଜନ ବାଚସ୍ପତି ହେବା ସମ୍ଭାବନା ଅଧିକ । କାରଣ ସୁବର୍ଣ୍ଣପୁର ଜିଲ୍ଲାର 2 ଜଣ ବିଧାୟକ ଏବେ ନବୀନଙ୍କ କ୍ୟାବିନେଟରେ । ଏପରି ସ୍ଥିତିରେ ଜଣଙ୍କୁ ବାଚସ୍ପତି କରି ପ୍ରଦୀପ ଅମାତଙ୍କୁ ମନ୍ତ୍ରୀମଣ୍ଡଳକୁ ଫେରାଇ ଅଣାଯାଇପାରେ । ସେହିଭଳି ଉପକୂଳରୁ କେନ୍ଦ୍ରାପଡା ଜିଲ୍ଲାକୁ ଅଧିକ ଗୁରୁତ୍ବ ମିଳିପାରେ । କାରଣ ଏବେ ଜିଲ୍ଲାରୁ ମନ୍ତ୍ରୀ ଶୁନ୍ୟ ରହିଛନ୍ତି । ଯଦି ତାହା ହୁଏ ପ୍ରତାପ ଦେବ, ଅତନୁ ସବ୍ୟସାଚୀ, କିମ୍ବା ଶଶୀଭୂଷଣ ବେହେରାଙ୍କ ମଧ୍ୟରୁ କିଏ ଜଣେ ହୋଇପାରନ୍ତି ମନ୍ତ୍ରୀ । ଯଦି କେନ୍ଦ୍ରାପଡାକୁ ସୁଯୋଗ ମିଳେ ଉଭୟ ପ୍ରତାପ ଓ ଅତନୁ ଦାବିଦାର । କାହାକୁ ମିଳିବ ସୁଯୋଗ ଏବେ ଅପେକ୍ଷାର ବେଳ ।
ପୂରଣ ହୋଇଛି ପଞ୍ଚମ ପାଳିର ଦ୍ବିତୀୟ ବର୍ଷ...
‘‘ଆମେ କଥା ନୁହେଁ କାମରେ ବିଶ୍ବାସ କରୁ" ଏହି ଉକ୍ତିକୁ ଗତ 2 ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀ ଓ ବିଜେଡି କହି ଆସୁଛି । କେବଳ କଥାରେ ନୁହେଁ କାମ କରି ନବୀନ ନିଜ ମନ୍ତବ୍ୟ ଅକ୍ଷରେ ଅକ୍ଷରେ ପାଳନ କରୁଥିବା ବିଜେଡି କହିଆସୁଛି । ଗତ ମେ 29 ରେ ନବୀନ ସରକାରର ପଞ୍ଚମ ପାଳିର ଦ୍ବିତୀୟ ବର୍ଷ ପୂରଣ କରିଛି । ଏହି ପରିପ୍ରେକ୍ଷୀରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି କେତେ ପାଳନ ହୋଇଛି, ସରକାରଙ୍କ ବିଭିନ୍ନ ବିଭାଗ କେତେ ସଫଳ ହୋଇଛନ୍ତି ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରୁଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ପରିଷଦର ସଭ୍ୟମାନଙ୍କୁ ବ୍ୟକ୍ତିଗତ ଭାବରେ ପତ୍ର ଲେଖି ଏହା ଜଣାଇଥିଲେ । ଯାହା ଆରମ୍ଭ ହୋଇଛି । ସଚିବମାନଙ୍କ ଉପସ୍ଥିତିରେ ମନ୍ତ୍ରୀମାନେ ସେମାନଙ୍କ ବିଭାଗ ଦ୍ବାରା କାର୍ଯ୍ୟକାରୀ ହେଉଥିବା ପାଞ୍ଚଟି ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, '5T' ଓ 'ମୋ ସରକାର କାର୍ଯ୍ୟକ୍ରମ' ମନ୍ତ୍ରୀଙ୍କ ବିଭାଗରେ କିଭଳି କାର୍ଯ୍ୟକାରୀ କରାଯାଇଛି । ଏହା ସେମାନଙ୍କ ବିଭାଗର କାର୍ଯ୍ୟ ଧାରାରେ କିଭଳି ଉନ୍ନତି ଆଣିଛି । ଏହା ଦ୍ବାରା ବିଭାଗ କେତେ ଲୋକାଭିମୁଖୀ ହୋଇଛି ସେ ସମ୍ପର୍କରେ ମଧ୍ୟ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥାନ୍ତେ । କିନ୍ତୁ କୋଭିଡର ଦ୍ବିତୀୟ ଲହର ସବୁ ବିଗାଡି ଦେଲା ।
କୁହାଯାଉଛି ନବୀନ ଚଳିତ ମାସ ଶେଷ ସୁଦ୍ଧା ନିଜ ଟିମ ପୁନର୍ଗଠନ କରିପାରନ୍ତି । ତେବେ କିଏ ମନ୍ତ୍ରୀ ହେବେ କିଏ ବାଦ ପଡିବେ, କାହାକୁ କେଉଁ ଦାୟିତ୍ବ ମିଳିବ ତାହା ସମ୍ପୂର୍ଣ୍ଣ ଭାବେ ମୁଖ୍ୟମନ୍ତ୍ରୀଙ୍କ ଇଛାଧୀନ ବ୍ୟାପାର ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ