ହାଇଦ୍ରାବାଦ: ଇଟିଭି ଭାରତରେ ଖବର ପ୍ରସାରଣ ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ସି ରାଓଙ୍କ ପତ୍ନୀ କେ ଶୋଭା କରିମନଗର ଜିଲ୍ଲାରେ ରହୁଥିବା ଅସହାୟ ପରିବାରକୁ ସହାୟତାର ହାତ ବଢାଇଛନ୍ତି । ସେ ଗରିବ ପରିବାରକୁ 1 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଥିବା ଜଣାପଡିଛି ।
ରାଜ୍ୟର କରିମନଗର ଜିଲ୍ଲା ରାମଡୁଗୁ ମଣ୍ଡଲ ଅଞ୍ଚଳ ଥର୍ମାଲପୁରମ ଠାରେ ରହୁଥିବା ତିରୁପତିଙ୍କ ଗତ ଅକ୍ଟୋବର ମାସ 18 ତାରିଖରେ ମୃତ୍ୟୁ ଘଟିଥିଲା । ପରିବାରର ଏକମାତ୍ର ରୋଜଗାରକ୍ଷମ ମଣିଷକୁ ହରାଇବା ପରେ ପରିବାର ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମୁଣ୍ଡ ଗୁଞ୍ଜିବାକୁ ସେମାନଙ୍କ ନିକଟରେ ଘରଟିଏ ମଧ୍ୟ ନାହିଁ । ଭଡାରେ ଘର ନେବାକୁ ମଧ୍ୟ ସେମାନଙ୍କ ନିକଟରେ ଯଥେଷ୍ଟ ଅର୍ଥ ନାହିଁ । ଫଳରେ ବୃଦ୍ଧ ପିତାମାତା, ପିଲାମାନଙ୍କୁ ଧରି ମୃତକଙ୍କ ପତ୍ନୀ ଅଧା ପନ୍ତରିଆ ଅବସ୍ଥାରେ ପଡି ରହିଥିବା ଘରେ ରହୁଛନ୍ତି ।
ମୃତକ ତିରୁପତି ଟଙ୍କା କରଜ କରି ପରିବାର ପାଇଁ ଘରଟିଏ ନିର୍ମାଣ କରୁଥିଲେ । କିନ୍ତୁ ତାଙ୍କର ମୃ୍ତ୍ୟୁ ପରେ ଘରକାମ ଅଧାତୋଳା ପଡି ରହିଛି । ଘରର କାନ୍ଥ ନ ଥିବାରୁ ବୃଦ୍ଧ ପିତାମାତା ଓ ଛୋଟ ପିଲାମାନେ ବିଶେଷ ଭାବରେ ପ୍ରଭାବିତ ହେଉଛନ୍ତି ।
ତେବେ ଏହି ଖବରଟି ଗତ କିଛି ଦିନ ପୂର୍ବେ ଇଟିଭି ଭାରତରେ ପ୍ରସାରଣ କରାଯାଇଥିଲା । ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କ ସାମନାକୁ ଇଟିଭି ଭାରତର ଏହି ଖବର ଆସିବା ପରେ ସେ ଗରିବ ପରିବାରକୁ 1ଲକ୍ଷ ଟଙ୍କାର ଅର୍ଥରାଶି ଦାନ କରି ସେମାନଙ୍କୁ ସହାୟ ହୋଇଛନ୍ତି । ତେବେ ଶୋଭାଙ୍କ ଏହି ସୁକର୍ମ ପରେ ସ୍ଥାନୀୟ ବିଧାୟକ ସୁନକେ ରବି ଶଙ୍କର ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଆଉ 2ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିବା ସହ ବିଧାୟକ ସେମାନଙ୍କ ଲାଗି ଏକ ବାସସ୍ଥାନ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ