ନୂଆଦିଲ୍ଲୀ: ଗତ ସପ୍ତାହରେ ପଶ୍ଚିମ ଭାରତର ରାଜ୍ୟଗୁଡିକରେ ତାଣ୍ଡବ ରଚିଥିଲା ବାତ୍ୟା ତାଉ'ତେ । ଗୋଆ, ଡାମନ ଡିଉ, ମହାରାଷ୍ଟ୍ର, ଗୁଜୁରାଟ, କର୍ଣ୍ଣାଟକ, କେରଳ, ତାମିଲନାଡୁରେ ଦେଖିବାକୁ ମିଳିଥିଲା ବାତ୍ୟା ତାଉତେ ବିଭିଷୀକା । ତାଉତେ ଯିବା ପରେ ଏବେ ଓଡିଶା ଆଡକୁ ମାଡିଆସୁଛି ବାତ୍ୟା ୟସ ।
ୟସ ପରେ ଆଗାମୀ ବାତ୍ୟାର ନାଁ ରହିଛି ଗୁଲାବ । ୟସ ପରେ ଅନେକ ବାତ୍ୟା ଆସିବାର ଅଛି । ଯାହାର ଏବେଠାରୁ ନାଁ ରଖାଯାଇସାରିଛି । ୟସ ପରେ ବାତ୍ୟା ଗୁଲାବ ଓ ଶାହୀନ ଆସିବ ବୋଲି ଜଣାପଡିଛି ।
ବିଶ୍ବ ପାଣିପାଗ ବିଭାଗ (WMO) ନାମଗୁଡିକର ତାଲିକା ପରିଚାଳନା କରେ ଯାହା ପ୍ରତ୍ୟେକ ବାତ୍ୟା ପାଇଁ ଉପଯୁକ୍ତ । ବଙ୍ଗୋପସାଗର, ଆରବ ସାଗର ଓ ଭାରତ ମହାସାଗରରେ ସୃଷ୍ଟ ବାତ୍ୟାର ନାଁ WMO ଓ ESCAP ପ୍ୟାନେଲ ନିର୍ଣ୍ଣୟ ନେଇଥାଏ ।
ଆରବ ସାଗର, ଭାରତ ମହାସାଗର ଏବଂ ବଙ୍ଗୋପସାଗରରେ ବାତ୍ୟାର ନାମକରଣ ପ୍ରକ୍ରିୟା ଭିନ୍ନ ଭିନ୍ନ ରହିଥାଏ। ଯେତେବେଳେ ବାତ୍ୟା ପ୍ରଭାବରେ ପବନର ବେଗ ଘଣ୍ଟା ପ୍ରତି 40 ମାଇଲରୁ ଅଧିକ ହୋଇଥାଏ, ସେତେବେଳେ ହିଁ ଏହି ତାଲିକାରୁ ବାତ୍ୟାର ନାମକରଣ କରାଯାଏ ।