ଚେନ୍ନାଇ: WAKF ବୋର୍ଡ ଅଧିନରେ ତାମିଲନାଡ଼ୁର ୭ ଗ୍ରାମ । ଏହି ୭ଟି ଗ୍ରାମ ଗୁଡ଼ିକ ହେଉଛି ସେମ୍ପାନକୁଲାମ,ପେରିୟାନାଏକଛତ୍ରମ, ଚିତାନାଥମ୍, ତିରୁଚେନଥୁରାଇ, କୋମାକୁଡି, ମାମେଡୁ ଓ ବାଗାନୁର୍ ।(WAKF board acquire many villages) ତ୍ରିଚ୍ଚୀ ଜିଲ୍ଲାରେ ଏହି ଗ୍ରାମଗୁଡ଼ିକ ବର୍ତ୍ତମାନ WAKF ବୋର୍ଡ ଅଧିନରେ ରହିଛି । ଯାହାଫଳରେ ଗ୍ରାମବାସୀ ନିଜର ସମ୍ପତ୍ତି ବିକ୍ରି କରି ପାରୁନଥିବା ଅଭିଯୋଗ ହୋଇଛି ।
ଏହାକୁ ନେଇ ବିଜେପି ନେତା ଏଚ୍. ରାଜା ଡିଏମ୍କେ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, "ତାମିଲନାଡ଼ୁରେ ଭୂତ ସରକାର ଚଳାଉଛନ୍ତି । WAKF ବୋର୍ଡ ହିନ୍ଦୁ ସମ୍ପତ୍ତି ଆତ୍ମସାତ କରିବାକୁ ବସିଛି । ଏଥିରେ WAKF ବୋର୍ଡର ମୁଖ୍ୟ ପ୍ରଶାସନିକ ଅଧିକାରୀ ସାମିଲ ରହିଛନ୍ତି । ଏଭଳି ଦୁର୍ନୀତିରେ ଲିପ୍ତ ଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବା ପାଇଁ ମୁଁ ଦାବି କରୁଛି । WAKF ବୋର୍ଡର ଏଭଳି କାର୍ଯ୍ୟ ଦ୍ବାରା ଗ୍ରାମରେ ଥିବା ଉଭୟ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟ ବ୍ୟକ୍ତି ବିଶେଷ ସମସ୍ୟା ଭୋଗୁଛନ୍ତି ।"
ତିରୁଚେନଥୁରାଇ ଗ୍ରାମବାସୀ ବର୍ତ୍ତମାନ WAKF ବୋର୍ଡ ବିରୋଧରେ ଆନ୍ଦୋଳନ କରିବାକୁ ଧମକ ଦେଉଛନ୍ତି । ଏହାରି ମଧ୍ୟରେ ପ୍ରଶାସନିକ ଅଧିକାରୀ ଗ୍ରାମବାସୀଙ୍କ ସହ ଶାନ୍ତିବାର୍ତ୍ତା ନେଇ ଆଲୋଚନା କରିଛନ୍ତି । ଏହାପରେ ତିରୁଚେନଥୁରାଇ ଓ କାଡିଆକୁରିଚି ଗ୍ରାମବାସୀ ନିଜନିଜ ଜମିକୁ ନେଇ ପୁନଃ ପଞ୍ଜିକରଣ କରି ପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ଏହାପରେ ଆନ୍ଦୋଳନରୁ ବିରତ ହୋଇଛନ୍ତି ଦୁଇ ଗ୍ରାମର ଗ୍ରାମବାସୀ ।
ବରିଷ୍ଠ ବିଜେପି ନେତା ଏଚ୍ ରାଜା ତିରୁଚେନଥୁରାଇରେ ଥିବା ଶିବ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ଦର୍ଶନ ସାରିବା ପରେ ସେ କିଛି ଗ୍ରାମବାସୀଙ୍କୁ ଭେଟିଥିଲେ । ଏହାପରେ ଗ୍ରାମବାସୀ ତାଙ୍କୁ ସମସ୍ତ ସମସ୍ୟା ବିଷୟରେ ଅବଗତ କରାଇଥିଲେ । WAKF ବୋର୍ଡର ଏଭଳି କାର୍ଯ୍ୟକୁ ବେଆଇନ୍ ଦର୍ଶାଇଛନ୍ତି ବିଜେପି ନେତା ।
ତିରୁଚେନଥୁରାଇରେ ଗ୍ରାମରେ ରାଜଗୋପାଳ ନାମକ ବ୍ୟକ୍ତି ଝିଅ ବିବାହ ପାଇଁ ନିଜ ଜମି ବିକ୍ରି କରିବାକୁ ରେଜିଷ୍ଟ୍ରାର ଅଫିସ୍ ଯାଇଥିଲେ । ତେବେ ସେ ଯେଉଁ ଜମି ବିକ୍ରି କରିବାକୁ ଚାହୁଁଛନ୍ତି ତାହା ତାଙ୍କର ନୁହେଁ ବୋଲି କହିଥିଲେ ରେଜିଷ୍ଟ୍ରାର ଅଫିସ୍ ଅଧିକାରୀ । ଏହି ଜମି ବର୍ତ୍ତମାନ WAKF ବୋର୍ଡ ଅଧିନରେ ଥିବା ଜଣା ପଡ଼ିଥିଲା । କେବଳ ତାଙ୍କ ଜମି ନୁହେଁ ବରଂ ପୁରା ଗାଁ WAKF ବୋର୍ଡ ଅଧିନରେ ଥିବା ଜଣା ପଡ଼ିଥିଲା । ଯଦି ସେମାନେ ଜମି ବିକ୍ରି କରିବେ ତେବେ ତାଙ୍କୁ WAKF ବୋର୍ଡ ନିକଟରୁ ନୋ ଅବ୍ଜେକ୍ସନ୍ ପ୍ରମାଣପତ୍ର ଆଣିବାକୁ ହେବ ବୋଲି କୁହାଯାଇଥିଲା । ଗାଁରେ ଥିବା ୧୫୦୦ ବର୍ଷ ପୁରୁଣା ମନ୍ଦିର ମଧ୍ୟ WAKF ବୋର୍ଡ ଅଧିନରେ ରହିଛି ।
WAKF କଣ, WAKF ବୋର୍ଡ କଣ ?
WAKF ବା ୱାକ୍ଫ ଏକ ଆରବିଆନ ଶବ୍ଦ । ଏହାର ଅର୍ଥ ସେହି ସମ୍ପତ୍ତି ଯାହା ଆହ୍ଲାଙ୍କ ନାମରେ ଦାନ ଦିଆଯାଇଛି । ତାହା ଟଙ୍କା, ଜମି, ଗହଣା କିଛି ବି ହୋଇପାରେ । ଏହି ସମ୍ପତ୍ତିକୁ ଗରିବଙ୍କ ସୁରକ୍ଷା ପାଇଁ ବ୍ୟବହାର କରାଯାଏ । ଯଦି କୌଣସି ସମ୍ପତ୍ତି WAKFକୁ ଦାନ କରାଯାଇଥାଏ, ତେବେ ତାହା କେବେ ଫେରସ୍ତ ହୋଇନଥାଏ । ଏହାଛଡ଼ା ଯଦି କୌଣସି ସମ୍ପତ୍ତି ଦୀର୍ଘ କାଳୀନ ପାଇଁ ଇସ୍ଲାମ୍ ଧର୍ମ କାର୍ଯ୍ୟରେ ଲାଗିଥାଏ ତେବେ ତାହାକୁ ୱାକ୍ଫ ବୋଲି ଧରାଯିବ ।
ୱାକ୍ଫରେ ମିଳିଥିବା ସମ୍ପତ୍ତିର ପରିଚାଳନା ପାଇଁ WAKF ବୋର୍ଡ ରହିଛି । ଯଦି କୌଣସି ମୁସ୍ଲିମ୍ ସମ୍ପ୍ରଦାୟ ବ୍ୟକ୍ତି ବିଶେଷ କୌଣସି ଦାନ ଦିଅନ୍ତି, ତେବେ ଏହି ସମ୍ପତ୍ତିର ତଦାରଖ କରେ WAKF ବୋର୍ଡ । ଏହି ବୋର୍ଡ ପାଖରେ ସେହି ସମ୍ପତ୍ତିକୁ ରଖିବା ତଥା ଏହାକୁ ଦାନ କରିବା ଅଧିକାର ରହିଥାଏ । ଭାରତରେ ବର୍ତ୍ତମାନ ୩୨ଟି WAKF ବୋର୍ଡ କାର୍ଯ୍ୟ କରୁଛି । ଏହି ବୋର୍ଡ ପରିଚାଳନା ପାଇଁ ୧୯୯୫ରେ WAKF ବୋର୍ଡ ଆଇନ୍ ମଧ୍ୟ ପ୍ରଣୟନ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ