ନୂଆଦିଲ୍ଲୀ: ତାମିଲନାଡୁ କୁନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ମୃତ ଅନ୍ୟ ୪ ଯବାନଙ୍କ ମୃତଦେହ ଚିହ୍ନଟ କରାଯାଇଛି । ସେମାନେ ହେଲେ ୱିଙ୍ଗ କମାଣ୍ଡର ପିଏସ ଚୌହାନ(Wg Cdr PS Chauhan), ଜୁନିୟର ୱାରେଣ୍ଟ ଅଫିସର ରାଣାପ୍ରତାପ ଦାସ(JWO Rana Pratap Das), ଜୁନିୟର ୱାରେଣ୍ଟ ଅଫିସର ପ୍ରଦୀପ ଏ(JWO Pradeep A) ଏବଂ Sqn Leader କୁଲଦୀପ ସିଂ ।
ବାୟୁସେନା କହିଛି କି, ମୃତ ବାୟୁସେନା ଅଧିକାରୀଙ୍କ ପାର୍ଥିବ ଶରୀର ବିମାନ ଯୋଗେ ତାଙ୍କ ଜନ୍ମମାଟିକୁ ପଠାଯିବ । ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମସ୍ତଙ୍କର ଅନ୍ତିମ ସଂସ୍କାର କରାଯିବ । ଭାରତୀୟ ସେନାର ଲାଂସ ନାୟକ ବି ସାଇ ତେଜା ଏବଂ ଲାଂସ ନାୟକ ବିବେକ କୁମାରଙ୍କ ମୃତଦେହର ମଧ୍ୟ ଚିହ୍ନଟୀକରଣ କରାଯାଇଛି । ଆଜି(ଶନିବାର) ପାର୍ଥିବ ଶରୀରକୁ ସେମାନଙ୍କ ଆତ୍ମୀୟ ପରିଜନଙ୍କୁ ହସ୍ତାନ୍ତର କରାଯିବ ।
ସୂଚନା ଅନୁଯାୟୀ, ସମସ୍ତ ବାୟୁସେନା ଯବାନଙ୍କ ମୃତଦେହ ବିମାନ ଯୋଗେ ପଠାଯିବ । ଏହାପୂର୍ବରୁ ଦିଲ୍ଲୀ କ୍ୟାଣ୍ଟ ବେସ୍ ହସ୍ପିଟାଲରେ ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ ।
ଉଲ୍ଲେଖଯୋଗ୍ୟ, ଗତ ବୁଧବାର ଦିନ କୁନ୍ନୁର ଠାରେ ବାୟୁସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ସିଡିଏସ ବିପିନ ରାୱତ(CDS Bipin Rawat)ଙ୍କ ସମେତ ମୋଟ ୧୩ ଜଣ ପ୍ରାଣ ହରାଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ