ନୂଆଦିଲ୍ଲୀ: ବିଶ୍ବପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଆଗ୍ରା ତାଜମହଲରେ ଆଜିଠୁ ଆସନ୍ତା ୩ଦିନ ପର୍ଯ୍ୟନ୍ତ ରହିଛି ଫ୍ରି ଏଣ୍ଟ୍ରି । ପର୍ଯ୍ୟଟକମାନେ ନିଶୁଳ୍କରେ ତାଜମହଲ ବୁଲି ଦେଖିପାରିବେ । ଆସନ୍ତା ଫେବୃଆରୀ ୧୯ ତାରିଖରେ ମୋଗଲ ବାଦଶାହ ଶାହାଜାହାନଙ୍କ ୩୬୮ତମ ଶ୍ରାଦ୍ଧ ବାର୍ଷିକୀ ରହିଥିବାରୁ ଫେବୃଆରୀ ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକମାନେ ମାଗଣାରେ ତାଜମହଲ ମଧ୍ୟକୁ ପ୍ରବେଶ କରିପାରିବେ । ଫଳରେ ପର୍ଯ୍ୟଟକମାନେ ମାଗଣାରେ ବିଶ୍ବର ଏହି ଆଶ୍ଚର୍ଯ୍ୟ କୀର୍ତ୍ତିକୁ ଉପଭୋଗ କରିପାରିବେ ।
ଶାହାଜାହାନଙ୍କ ଶ୍ରାଦ୍ଧ ଅବସରରେ ତାଜମହଲରେ ଅନେକ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରାଯିବ । ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ସମାନ ଢଙ୍ଗରେ ଏଠାରେ ବିଭିନ୍ନ ପ୍ରକାର ନୀତି ସମ୍ପନ୍ନ ହେବ । ଏହି ୩ଦିନ ମଧ୍ୟରେ ଯେକୌଣସି ବ୍ୟକ୍ତି ତାଜମହଲ ମଧ୍ୟକୁ ପ୍ରବେଶ କରିପାରିବେ । ଶାହାଜାହାନଙ୍କ ଶ୍ରାଦ୍ଧ ବାର୍ଷିକୀରେ ହେଉଥିବା ଏହି କାର୍ଯ୍ୟକ୍ରମକୁ ଉର୍ସ (Urs) ବୋଲି କୁହାଯାଏ । ଉର୍ସ କମିଟିର ସଭାପତି ଇବ୍ରାହିମ ଜୈଦି କହିଛନ୍ତି ଯେ ଉର୍ସର ପୂର୍ବ ଦିନ ତଥା ଆଜି ଗୁସ୍ଲ ରୀତିନୀତି ଅନୁଷ୍ଠିତ ହେବ । ଏହାପରେ ଅଜାନ ହେବ । ଫେବୃଆରୀ ୧୮ ବା ଗତକାଲି ସନ୍ଦଲ ଓ ମିଲାଦ ଶରିଫ ରୀତିନୀତି ଅନୁଷ୍ଠିତ ହେବ ।
ଏହା ବି ପଢନ୍ତୁ- ପାହାଡିଆ ଅଞ୍ଚଳରେ ଔଷଧ ନେଇ ପହଞ୍ଚିଲା ଡ୍ରୋନ
ସନ୍ଦଲ ରୀତିନୀତି ବେଳେ ପୁରା ତାଜମହଲ ଉପରେ ଚନ୍ଦନର ଏକ ଲେପ ଦିଆଯିବ । ଏହାର ସୁଗନ୍ଧରେ ତାଜମହଲର ଚତୁର୍ଦ୍ଦିଗ ମହକି ଉଠିବ । ଶେଷ ଦିନ ଚାଦର ପୋସି ରୀତି ଅନୁଷ୍ଠିତ ହେବ ବୋଲି ଇବ୍ରାହିମ ସୂଚନା ଦେଇଛନ୍ତି । ଏହି ୩ଦିନ ଲାଗି ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟରେ କର୍ମଚାରୀଙ୍କ ସମେତ କିଛି ସ୍ବେଚ୍ଛାସେବୀ ମଧ୍ୟ ପରିଚାଳନା ଦାୟିତ୍ବରେ ରହିବେ । ପ୍ରାୟ ୧୦୦ଜଣ ସ୍ବେଚ୍ଛାସେବୀ ଏହି କାର୍ଯ୍ୟ ଲାଗି ନିୟୋଜିତ ହେବେ । ତାଜମହଲ ସାପ୍ତାହିକ ଭାବେ ପ୍ରତି ଶୁକ୍ରବାର ବନ୍ଦ ରହିଥାଏ । ମଧ୍ୟାହ୍ନ ୧୨ଟା ପରେ କେବଳ ସ୍ଥାନୀୟ ଲୋକଙ୍କୁ ପ୍ରବେଶର ଅନୁମତି ମିଳିଥାଏ । ଏଥିଲାଗି ଫେବୃଆରୀ ୧୮ ବା ଗତକାଲି ଅପରାହ୍ନ ୨ଟା ପରେ ପର୍ଯ୍ୟଟକମାନଙ୍କୁ ମାଗଣା ପ୍ରବେଶ ଲାଗି ଅନୁମତି ମିଳିବ । ରବିବାର (ଫେବୃଆରୀ ୧୯)ରେ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ତାଜମହଲ ଭିତରକୁ ମାଗଣା ପ୍ରବେଶ କରିପାରିବେ ।
ଉର୍ସରେ ହେବ ଏହି ରୀତିନୀତି:- ଉର୍ସ ସେଲିବ୍ରେସନ କମିଟିର ସଭାପତି ସୈୟଦ ଇବ୍ରାହିମ ଦୁସୈନ ଜୈଦି କହିଛନ୍ତି ଶାହାଜାହାନଙ୍କ ୩୬୮ତମ ଉର୍ସ ଲାଗି ASI ପକ୍ଷରୁ ନିର୍ଦ୍ଦେଶ ଆସିଛି । ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ୩ଦିନ ଲାଗି ପର୍ଯ୍ୟଟକଙ୍କୁ ମାଗଣା ପ୍ରବେଶ ଲାଗି ଅନୁମତି ମିଳିବ । ଉର୍ସରେ ଲଗାତାର ୩ଦିନ ପର୍ଯ୍ୟନ୍ତ ରୀତିନୀତି ଅନୁଷ୍ଠିତ ହେବ ।
୧୭ ଫେବୃଆରୀ ୨୦୨୩:- ଶୁକ୍ରବାର ଅପରାହ୍ନ ୨ଟାରେ ଗୁସଲ ରୀତିନୀତି ସହିତ ଉର୍ସର ଶୁଭାରମ୍ଭ ହେବ । ଏହାପରେ ତାଜମହଲ ପରିସରରେ ରହିଥିବା ଶାହାଜାହାନ ଓ ମମତାଜଙ୍କ କବର ଖୋଲାଯିବ । ଅଜାନ ପରେ ଫତିହା ପଢାଯିବ । ତାଜମହଲ ବନ୍ଦ ହେବା ପର୍ଯ୍ୟନ୍ତ କୱାଲି ପରିବେଷିତ ହେବ ।
୧୮ ଫେବୃଆରୀ ୨୦୨୩:- ଶନିବାର ଅପରାହ୍ନ ୨ଟାରେ ସନ୍ଦଲ ଅନୁଷ୍ଠିତ ହେବ । ମିଲାଦ-ଉନି-ନବି ପଢାଯିବ । ଏହି ଦିନ ମଧ୍ୟ ତାଜମହଲ ବନ୍ଦ ହେବା ପର୍ଯ୍ୟନ୍ତ କୱାଲି ପରିବେଷିତ ହେବ ।
୧୯ ଫେବୃଆରୀ ୨୦୨୩:- ରବିବାର ସକାଳ ସୂର୍ଯ୍ୟୋଦୟ ପରେ କୁରାନଖବାନି, ଫତିହା ପଢାଯିବ । ସକାଳଠୁ ସନ୍ଧ୍ୟା ପର୍ଯ୍ୟନ୍ତ ଚାଦରପୋଶି, ଗୁଲପୋଶି କରାଯିବ । ଏହି ଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପର୍ଯ୍ୟଟକମାନେ ମାଗଣା ପ୍ରବେଶ କରିପାରିବେ ।
ଏହି ବସ୍ତୁ ଉପରେ ପ୍ରତିବନ୍ଧକ:- ତାଜମହଲ ପ୍ରବେଶ ବେଳେ ASI ପକ୍ଷରୁ କିଛି ନିର୍ଦ୍ଦିଷ୍ଟ ବସ୍ତୁ ଉପରେ ପ୍ରତିବନ୍ଧକ ଲଗାଯାଇଥାଏ । ପର୍ଯ୍ୟଟକମାନେ ପ୍ରବେଶ ବେଳେ ସିଗାରେଟ, ବିଡି, ଗୁଟଖା, ତମ୍ବାକୁ, ପାନ ମସଲା ସହିତ ପତାକା, ବ୍ୟାନର, ପୋଷ୍ଟର, ବହି, ବାଦକ ଯନ୍ତ୍ର, ପେଚକସ, ଲାଇଟର, ଛୁରୀ ନେଇ ଯାଇପାରିବେ ନାହିଁ ।