ଲକ୍ଷ୍ନୌ: ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଆଗ୍ରାର ତାଜମହଲରେ ବିସ୍ଫୋରକ ରହିଥିବା ଘଟଣାରେ କୌଣସି ବିସ୍ଫୋରକ ମିଳିନାହିଁ । ତେବେ ଏହି ବିସ୍ଫୋରକ ରଖାଯାଇଥିବା ସମ୍ପର୍କରେ ଜଣେ ଅଜଣା ବ୍ୟକ୍ତି ଫୋନ ଯୋଗେ ସୂଚନା ଦେଇଥିଲେ । ଖବର ପାଇବା ପରେ ପୋଲିସ ତାଜମହଲଠାରେ ଯାଞ୍ଚ କରିଥିଲା ।
ଏହି ଖବର ପାଇବା ପରେ ସ୍ଥାନୀୟ କର୍ତ୍ତୃପକ୍ଷ ତାଜମହଲରୁ ପର୍ଯ୍ୟଟକଙ୍କୁ ବାହାରକୁ ବାହାର କରିବା ସହିତ ଏହାର 2ଟି ଗେଟକୁ ବନ୍ଦ କରିଥିଲେ । କିନ୍ତୁ ବର୍ତ୍ତମାନ ପୁଣି ପର୍ଯ୍ୟଟକଙ୍କ ଲାଗି ତାଜମହଲ ଗେଟକୁ ଖୋଲାଯାଇଛି । ସେପଟେ ସିଆଇଏସଏଫ ଓ ସ୍ଥାନୀୟ ପୋଲିସଙ୍କୁ ତାଜମହଲଠାରେ ମୁତୟନ କରାଯାଇଛି । ଅଜଣା ବ୍ୟକ୍ତିଙ୍କ ଫୋନ କଲକୁ ଯାଞ୍ଚ କରାଯିବା ପରେ ଉକ୍ତ କଲ ଫିରୋଜାବାଦରୁ ଆସିଥିବା ଆଗ୍ରାର ଏସପି ଶିବ ରାମ ୟାଦବ ସୂଚନା ଦେଇଛନ୍ତି ।
ଏହି ଫୋନ କଲ ଯୋଗେ ତାଜମହଲରେ ବିସ୍ଫୋରକ ରହିଥିବା ସମ୍ପର୍କରେ ପୋଲିସ ସୂଚନା ପାଇବା ପରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲା । ତେବେ ଯାଞ୍ଚ ପରେ ସେଠାରେ କୌଣସି ବିସ୍ଫୋରକକୁ ପୋଲିସ ଠାବ କରିନାହିଁ । ଖବର ପାଇବା ପରେ ପର୍ଯ୍ୟଟକମାନେ ଭୟଭୀତ ହୋଇଯାଇଥିଲେ । ତାଜମହଲ ପରିସରରେ ଯାଞ୍ଚ ପାଇଁ ପର୍ଯ୍ୟଟକଙ୍କୁ କିଛି ସମୟ ପାଇଁ ମହଲ ମଧ୍ୟରୁ ବାହାର କରାଯାଇଥିଲା । ତେବେ ପୁଣି ସେଠାରେ ପୂର୍ବଭଳି ପର୍ଯ୍ୟଟକମାନେ ବୁଲୁଥିବା ସୂଚନା ମିଳିଛି । ସିଆଇଏସଏଫ ଅଜଣା ବ୍ୟକ୍ତି ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ