ଡେରାଡୁନ: ହନୁମାନ ଜୟନ୍ତୀ ଦିନ ହରିଦ୍ବାରର ଡାଡା ଜଲାଲପୁରରେ ହିନ୍ଦୁ ଶୋଭାଯାତ୍ରା ଉପରେ ପଥର ମାଡ଼ ହୋଇଥିଲା । ଏହାକୁ ବିରୋଧ କରି କାଳୀସେନା ପକ୍ଷରୁ ବୁଧବାର ମହାପଞ୍ଚାୟତ କରିବାକୁ ଘୋଷଣା କରାଯାଇଥିଲା । ତେବେ ଏହାପୂର୍ବରୁ ଡାଡା ଜଲାଲପୁରର ୫ କିମି ପରିଧିରେ ୧୪୪ ଧାରା ଜାରି କରିବା ସହ କାଳୀସେନା ରାଜ୍ୟ ସଂଯୋଜକ ସ୍ବାମୀ ଦୀନେଶାନନ୍ଦ ଭାରତୀଙ୍କୁ ଗିରଫ କରିଛି ପୋଲିସ (Swami Dineshanand Bharti arrested before Hindu Mahapanchayat) ।
ସ୍ବାମୀଜୀଙ୍କୁ ଗିରଫ କରିବା ପରେ ଆଲର୍ଟରେ ରହିଛି ପୋଲିସ । ଶୋଭାଯାତ୍ରା ଉପରେ ପଥର ମାଡ଼ ଡାଡା ଜଲାଲପୁରରେ ପରିସ୍ଥିତି ସମ୍ବେଦନଶୀଳ ହୋଇପଡ଼ିଛି । ପଥର ମାଡ଼କୁ ବିରୋଧ କରି କାଳୀସେନା ଓ ଧର୍ମ ସଂସଦ ପକ୍ଷରୁ ହିନ୍ଦୁ ମହାପଞ୍ଚାୟତ ଆୟୋଜନ କରିବାକୁ ଯୋଜନା କରାଯାଇଥିଲା । ତେବେ ପୋଲିସ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଏଠାରେ ୧୪୪ ଧାରା ଜାରି କରିଛି । ବର୍ତ୍ତମାନ ସ୍ଥିତି ଏଠାରେ ଶାନ୍ତ ରହିଛି ।
ଏହାକୁ ନେଇ ପୋଲିସ ଓ ପ୍ରଶାସନକୁ ଟାର୍ଗେଟ କରିଛନ୍ତି ସ୍ବାମୀ ଦୀନେଶାନନ୍ଦ ଭାରତୀଙ୍କ ସମର୍ଥକ ବା ତାଙ୍କ ଅନୁଗାମୀ ସ୍ବାମୀ ଆନନ୍ଦ ସ୍ବରୂପ । ସୁପ୍ରିମକୋର୍ଟଙ୍କୁ ଭୁଲ୍ ରିପୋର୍ଟ ଦେଇ ଜାଣିଶୁଣି ଏହି ମହାପଞ୍ଚାୟତକୁ ବନ୍ଦ କରାଯାଇଥିବା ଅଭିଯୋଗ କରିଛନ୍ତି ସ୍ବାମୀ ଆନନ୍ଦ ସ୍ବରୂପ । ହିନ୍ଦୁ ଶୋଭାଯାତ୍ରା ଉପରେ ଆକ୍ରମଣ ହେଉଥିବା ବେଳେ ପୋଲିସ ଓଲଟା କାଳୀସେନା ବିରୋଧର କାର୍ଯ୍ୟାନୁଷ୍ଠନ ନେଉଥିବା ଅଭିଯୋଗ ହୋଇଛି । ସ୍ବାମୀ ଦୀନେଶାନନ୍ଦ ଭାରତୀଙ୍କୁ ଗିରଫର ପରିଣାମ ପ୍ରଶାସନ ଦେଖିବ ବୋଲି କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ